Unknown

 

 

 

 

 

 

 

 

 

ଓଡ଼ିଆ ଭାଷାର ପୁରାତତ୍ତ୍ୱ

(ପ୍ରଥମ ଖଣ୍ଡ)

ପଣ୍ଡିତ ବିନାୟକ ମିଶ୍ର

 

ପ୍ରଥମ ଅଧ୍ୟାୟ

ଭାଷା-ବିଜ୍ଞାନ

 

ମୋଗଲ ସମ୍ରାଟ୍‌ ଆଓରଙ୍ଗଜେବଙ୍କ ରାଜତ୍ୱରେ ଭାରତର ଉପନିଷଦ ଓ ଚରକ ସୁଶ୍ରୁତ ପ୍ରଭୃତି ଚିକିତ୍ସାଗ୍ରନ୍ଥ କେତେକ ସଂସ୍କୃତ ଭାଷାରୁ ପାରସ୍ୟ ଭାଷାରେ ଅନୂଦିତ ହୋଇ ଜର୍ମାନୀରେ ପହଞ୍ଚିଥିଲା । ଏହି ଗ୍ରନ୍ଥମାନଙ୍କ ଆଲୋଚନା ଫଳରେ ଜର୍ମାନୀରେ ଦର୍ଶନ-ଶାସ୍ତ୍ର ଓ ରସାୟନ ବିଜ୍ଞାନର ନୂତନ ଚିନ୍ତାଧାରାର ଅଭ୍ୟୁଦୟ ଘଟିଥିଲା । ୧୭୮୪ ଖ୍ରୀଷ୍ଟାବ୍ଦରେ ଇଷ୍ଟ ଇଣ୍ଡିଆ କମ୍ପାନୀଙ୍କ ସୁପ୍ରିମ କୋର୍ଟର ବିଚାରପତି ସାର୍ ଉଇଲିୟମ ଜୋନ୍‌ଙ୍କ ଉତ୍ସାହ ଓ ଅଧିନାୟକତ୍ୱରେ କଲିକତାରେ ଏସିଆଟିକ୍‌ ସୋସାଇଟି ସ୍ଥାପିତ ହେଲା ଓ କେବଳ ଭାରତର ନୁହେଁ, ସମଗ୍ର ଏସିଆର ଇତିହାସ, ଶିଳ୍ପ ଓ ପ୍ରାଚୀନ ସାହିତ୍ୟର ଅନୁସନ୍ଧାନ ପାଇଁ ଉଦ୍ୟମ ଲାଗିଲା । ଭାରତର ବହୁ ହାତଲେଖା ପ୍ରାଚୀନ ପୋଥିମାନ ସଂଗୃହୀତ ହୋଇ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ଆଲୋଚନା ପାଇଁ ପ୍ୟାରିସ୍‌, ଭିଏନା ପ୍ରଭୃତି ନଗରୀମାନଙ୍କରେ ଥିବା ପୁସ୍ତକାଗାରମାନଙ୍କରେ ସଂରକ୍ଷିତ ରହିଲା-। ପାରିସ୍‌ର ପୁସ୍ତକାଗାରରେ ପାଣିନିଙ୍କ ପ୍ରସିଦ୍ଧ ସଂସ୍କୃତ ବ୍ୟାକରଣ ସାଇତା ହୋଇଥିଲା ଓ ସେଠାକୁ ଜର୍ମାନୀରୁ ଭାଷାଲୋଚନାପ୍ରେମୀ ପଣ୍ଡିତ ଊନବିଂଶ ଶତାବ୍ଦୀର ଶେଷ ପାଦରେ ଆସି ତାହାକୁ ଗଭୀର ଆଲୋଚନା କରିଥିଲେ । ତୁଳାନାମୂଳକ ପାଠଦ୍ୱାରା ସେ ଆବିଷ୍କାର କଲେ ଯେ ସଂସ୍କୃତ ଭାଷା ସହିତ ଇଉରୋପୀୟ ଗ୍ରୀକ୍‌, ଲାଟିନ୍‌, ଜର୍ମାନୀ ଭାଷାର ବହୁ ସାମଞ୍ଜସ୍ୟ ଅଛି ଓ ଅତି ପ୍ରାଚୀନ କାଳର ଗୋଟିଏ ଜାତିର ଗୋଟିଏ ଭାଷାରୁ ଏ ସମସ୍ତ ଭାଷାମାନଙ୍କର ଉତ୍ପତ୍ତି ଘଟିଅଛି; ଏଣୁ ସେ ଭାଷାତତ୍ତ୍ୱ ଆଲୋଚନାର ଭିତ୍ତିସ୍ଥାପନ କଲେ । ମାନବ ଜାତିର ସଭ୍ୟତାର ପ୍ରାଚୀନତମ ନିଦର୍ଶନମାନ ଇଜିପ୍‌ଟର ଭୂଗର୍ଭରୁ ଆବିଷ୍କୃତ ହୋଇଥିବାରୁ ଏହି ଭୂଭାଗର ନୀଳନଦୀର କୂଳବର୍ତ୍ତୀ ଅଞ୍ଚଳ ଆର୍ଯ୍ୟସଭ୍ୟତାର ଶୈଶବୀୟ ଲୀଳାଭୂମି ଥିଲା ବୋଲି ପତ୍ନତତ୍ତ୍ୱବିତ୍‍ମାନେ ମାନି ଯାଇ ମତ ପ୍ରଚାର କରିଥିଲେ ଯେ ନୀଳନଦୀ କୂଳରୁ କେତେକ ଆର୍ଯ୍ୟ ମଧ୍ୟ ଏସିଆକୁ ଅଗ୍ରସର ହେଲା ଉତ୍ତାରୁ ସେଠାରୁ ଏକ ଦଳ ଭାରତକୁ ଓ ଅନ୍ୟ ଏକ ଦଳ ଇଉରୋପକୁ ବିସ୍ତୃତ ହୋଇଥିଲେ । ଏଣୁ ଉଭୟ ଦେଶରେ ଏକ ଆର୍ଯ୍ୟଭାଷା ଓ ଏକ ଆର୍ଯ୍ୟସଭ୍ୟତାର ରୂପ ବଦଳିଥିଲେ ମଧ୍ୟ ତହିଁର ବହୁ ସୌସାଦୃଶ୍ୟାତ୍ମକ ନିଦର୍ଶନ ଅନ୍ତଃସ୍ରୋତ ରୂପରେ ପ୍ରବାହିତ ରହି ଏକତ୍ୱ ପ୍ରତିପାଦନ କରୁଅଛନ୍ତି । କିନ୍ତୁ ଭାରତର ହରପ୍‌ପା ଓ ମହୋଞ୍ଜୋଦାରୋଠାରେ ମୃତ୍ତିକାର ଅନ୍ତରାଳରୁ ଆବିଷ୍କୃତ ପ୍ରତ୍ନତତ୍ତ୍ୱର ନିଦର୍ଶନ ମିଶରରୁ ଆବିଷ୍କୃତ ନିଦର୍ଶନମାନଙ୍କ ଠାରୁ ପୃଥକ୍‌ ହୋଇଥିବାରୁ ପ୍ରାଚୀନ ଇତିହାସରେ ଜାତି ଓ ଭାଷା ସମ୍ବନ୍ଧରେ ପ୍ରଚଳିତ ମତ ତ୍ରୁଟିଯୁକ୍ତ ବୋଲି ସନ୍ଦେହ ଉପୁଜିବାବେଳେ ଭାଷାତତ୍ତ୍ୱବିଦ୍‌ମାନେ କହିଲେଣି ଯେ ଭାଷାର ସେ ସାଦୃଶ୍ୟ ଭାଷାର ଶୈଶବୀୟଏକତ୍ୱର ପ୍ରମାଣ ନୁହେଁ–

 

"After much futile discussion linguists have reached the conclusion that the data with which they are concern yeild little or no evidence about the origin of human speech." (Collected Essays by Thomas Haxley)

 

ବହୁ ନିଷ୍ଫଳ ଆଲୋଚନା ପରେ ଭାଷାତତ୍ତ୍ୱବିଦ୍‌ମାନେ ଏପରି ଉପସଂହାରରେ ଉପନୀତ ହେଲେଣି ଯେ ସେମାନେ ଅନୁମାନର ଯେଉଁସବୁ ଭିତ୍ତିରୁ ପ୍ରମାଣ ସଂଗ୍ରହରେ ଉଦ୍‌ବିଗ୍ନ, ତହିଁରୁ ମାନବୀୟ ଭାଷାର ଆଦିପ୍ରକାଶର ଭୂମି ସମ୍ବନ୍ଧରେ ଅଳ୍ପ ବା କୌଣସି ପ୍ରମାଣ ପାଉନାହାନ୍ତି-।

 

ସେମାନେ ଏପରି ମତ ଦେବାର କାରଣ କ’ଣ ? ଶ୍ୱାସପ୍ରଶ୍ୱାସଯନ୍ତ୍ରରୁ ପ୍ରଶ୍ୱାସ-ବାୟୁର ସ୍ରୋତ ବହିର୍ଗମନ କାଳରେ ସ୍ୱରଯନ୍ତ୍ରଠାରେ ଏହା ପ୍ରଥମେ ବାଧା ପାଏ । ବାୟୁ-ନଳିର ଅଗ୍ରଭାଗରେ ଏହି ସ୍ୱରଯନ୍ତ୍ରଟି ବାୟୁପ୍ରବାହର ତନ୍ତୁମାନଙ୍କର ଗୋଟିଏ ପେଡ଼ା । ଏହାକୁ ଆଜି ନରର ଅତା(Adam's apple) କହନ୍ତି । ଏଥିଭିତରେ ପଛରୁ ଆଗକୁ ଆସିଥିବା ତନ୍ତୁର ନିମ୍ନରେ ଓ ଉପରେ ଦିଓଟି ତନ୍ତୁର ହିଡ଼ ବା ଥାକ ଅଛି । ଏହାକୁ ବାକ୍‌ ନଳି କହନ୍ତି । ଏ ଦିଓଟିର ମଧ୍ୟବର୍ତ୍ତୀ ଫାଙ୍କ ସ୍ଥାନକୁ ବାୟୁ-ନଳିର ଦ୍ୱାର କହନ୍ତି । ଦୁଇ ନଳି ଲଗାଲଗି ହୋଇଗଲେ ବାୟୁନଳି ଦ୍ୱାର ବନ୍ଦ ହୁଏ ଓ ଶ୍ୱାସ ସ୍ରୋତ ଅଟକିଯାଏ । ଶ୍ୱାସପ୍ରଶ୍ୱାସ-ଯନ୍ତ୍ରରୁ ଚାପ ପଡ଼ିଲେ ବାୟୁନଳି ଦ୍ୱାର ପଛରେ ବାୟୁ ଚିପି ହୋଇ ବାକ୍‌ ନଳି ଦିଓଟି ସହସା ଅଲଗା ଅଲଗା ହୋଇ ଯତ୍‌ସାମାନ୍ୟ କାଶ ହୁଏ । ଏହାକୁ ଗଳନଳି ଦ୍ୱାର-ବନ୍ଧ କୁହାଯାଏ । ଏହି କାଶ ପରି ଧ୍ୱନି ଇଂରାଜୀରେ mountain ଭଳି କେତେକ ଶବ୍ଦ ଉଚ୍ଚାରଣ କଲାବେଳେ ଆମେରିକାର କେତେକ ଅଞ୍ଚଳର ଭାଷାରେ ଶୁଣାଯାଏ ଓ ସ୍କଟଲାଣ୍ଡରେ Saturday, bottle ପ୍ରଭୃତି ଶବ୍ଦ ଉଚ୍ଚାରଣ କଲାବେଳେ ଶୁଣାଯାଏ । ଯଦି ବାକ୍‌ନଳି ପୂରା ବନ୍ଦ ନ ହୋଇ ସାମାନ୍ୟ ଲଗାଲଗି ହୁଏ, ତେବେ ବାୟୁର ଗତି ଗଳନଳିର ହିଡ଼କୁ କମ୍ପାଇ ଦିଏ ଓ ଫଳରେ ଶୂନ୍ୟ ନାମକ ସଙ୍ଗୀତର ସ୍ୱର ଜାତ ହୁଏ । *

 

*

As the stream of air passes outward from the lungs the first place where it can be checked is in the larynx, the box of cartilage at the top of the wind pipe which is sometimes called the Adam's apple. This box contains two ridges or shelves of tissues running from back to front; they are called the vocal cord and space between them is called glottis. When the vocal cords are brought together the glottis is closed and the stream breath is completely stopped. If pressure from the lungs compresses the air behind the glottis then the vocal cords are suddenly drawn apart, the result is a slight cough, which is known as glottal stop. This sound is often heard in English; it serves for ‘t’ in certain words e. g. mountain) in some American dialects and it is well - known in some Scotch pronunciation of Saturday, bottle etc. If the vocal cords are drawn near without complete closure of glottis the passage of air sets their edges in to rapid vibration, thereby causing the musical tone called voice, (Collected Essays by Thomas Haxley).

 

ବର୍ତ୍ତମାନ ପାଠକେ ବୁଝିପାରିବେ ଯେ ମୁଖ ଭିତରେ ଥିବା କେତେକ ଯନ୍ତ୍ର ଓ ବାୟୁର ଧ୍ୱନି-ଲହରୀର ଅଭିନୟ କ୍ରିୟା ଘେନି ଭାଷାର ପ୍ରକାଶ । ସ୍ଥାନ ଓ କାଳ ଭେଦ ହେତୁରୁ ଏହି ଅଭିନୟର କ୍ରିୟା ଛାଞ୍ଚ ଢଳା ବସ୍ତୁ ପରି ସର୍ବଦା ଏକ ପ୍ରକାର ହୋଇ ନ ପାରେ । ଏଣୁ ଭାଷା-ପ୍ରକାଶ ବେଳରେ ଏକ ଶବ୍ଦର ଉଚ୍ଚାରଣରେ ବହୁ ବର୍ଣ୍ଣର ଧ୍ୱନି ଏକ ବ୍ୟକ୍ତିର ମୁଖରେ ବିଭିନ୍ନ ଅବସ୍ଥାରେ ବିଷମ ହୁଏ । ବିଭିନ୍ନ ବ୍ୟକ୍ତିଙ୍କ ମୁଖରେ ବିଷମ ହେବା ବିଚିତ୍ର ନୁହେଁ । ସେଥିପାଇଁ ସାର୍‌ ଉଇଲିୟମ ଜୋନ୍‌ସଙ୍କ ମତରେ ଗ୍ରୀକ୍‌, ଲାଟିନ୍‌ ଓ ସଂସ୍କୃତ ବ୍ୟାକରଣରୁ ଯେଉଁ ରୀତିର ସୌସାଦୃଶ୍ୟ ବିଚାରରେ ଭାଷା-ବିଜ୍ଞାନ ପ୍ରତିଷ୍ଠିତ ହୋଇଅଛି, ସେହି ସୌସାଦୃଶ୍ୟର କୌଣସି ଅସାଧାରଣ କାରଣ ଥାଇପାରେ । କିନ୍ତୁ ଏକ ଆର୍ଯ୍ୟଜାତି ଓ ଆର୍ଯ୍ୟଭାଷା ଇଉରୋପ ଓ ଭାରତରେ ବିଭିନ୍ନ ହୋଇଥିବାର ଆମେ ବିଶ୍ୱାସକରି ନ ପାରୁ । ପୃଥିବୀର ସମଗ୍ର ଜାତିର ସାହିତ୍ୟ ମଧ୍ୟରେ ଆମ ହିନ୍ଦୁ ଜାତିର ବେଦ ପ୍ରାଚୀନତମ ।

 

ଏଣୁ ଭାରତୀୟ ସାହିତ୍ୟରେ ଯେଉଁ ପାରମ୍ପରିକ ମତ ଅଛି, ଆମେ ତାହା ବିଚାର କରିବା ଉଚିତ । ଋଗ୍‌ବେଦର ନିମ୍ନରେ ଉଦ୍ଧୃତ ମନ୍ତ୍ରଟି ବଚାର କରାଯାଉ :–

 

ଚତ୍ୱାରିଶୃଙ୍ଗା ତ୍ରୟୋଽସ୍ୟ ପାଦା ଦ୍ୱେଶୀର୍ଷେ ସପ୍ତାହସ୍ତାଂ ଶୋଷ୍ୟ

ତ୍ରେଧାରଦ୍ଧୋ ବୃଷଭୋ ଶ୍ୱେରବୀତି ମହୋଦେବୋମର୍ତ୍ତ୍ୟାମାବିବେଶ ।’’

 

ନାମ, ଆଖ୍ୟାତ, ନିପାତନ ଓ ବିସର୍ଗ–ଚାରି ଶୃଙ୍ଗ; ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ–ତିନି ପାଦ; କାର୍ଯ୍ୟ ଓ ଅର୍ଥ–ଦୁଇ ଶିର; ପ୍ରଥମାଠାରୁ ସପ୍ତମୀ ପର୍ଯ୍ୟନ୍ତ ସାତ ବିଭକ୍ତି; ସପ୍ତହସ୍ତ, ବକ୍ଷ, କଣ୍ଠ, ମୂର୍ଦ୍ଧା–ଏହି ତିନି ସ୍ଥାନରେ ଆବଦ୍ଧ ହୋଇ ଭାଷାରୂପ ଜ୍ୟୋତିର୍ମୟ ଦେବ ବୃଷଭ ହୋଇ ପ୍ରାଣୀମାନଙ୍କ ଭିତରେ ପ୍ରବେଶ କରିଥିଲେ ।

 

ବ୍ୟାକରଣ ସୂତ୍ରରୁ ବହିର୍ଭୂତ ହୋଇ ନିଷ୍ପନ୍ନ ହେଉଥିବା ପଦକୁ ନିପାତନସିଦ୍ଧ କୁହାଯାଉଥିବାରୁ ଜଣାଯାଏ ଯେ ବେଦରଚନା କାଳକୁ ବୈଦିକ ଭାଷାର ବ୍ୟାକରଣ ଥିଲା । ଏଣୁ ବିଭିନ୍ନ ବେଦର ବ୍ୟାକରଣସ୍ୱରୂପ ଯେଉଁ ପ୍ରାତିଶାଖ୍ୟମାନ ଆମେ ଦେଖୁଅଛୁ, ସେଗୁଡ଼ିକ ବେଦ-ରଚନାର ବହୁକାଳ ଉତ୍ତାରୁ ସଂକଳିତ ହୋଇଥିଲା ବୋଲି କହିବା ଉଚିତ ନୁହେଁ । ବକ୍ଷ, କଣ୍ଠ ଓ ମୂର୍ଦ୍ଧାରେ ଭାଷା ଆବଦ୍ଧ କୁହାଯାଇଥିବାର ଅର୍ଥ ଅନ୍ତରର ଧ୍ୱନି କଣ୍ଠ ଓ ମୂର୍ଦ୍ଧା ବା ଅନୁଭୂତିକେନ୍ଦ୍ର ମସ୍ତକର ସାହାଯ୍ୟରେ ପ୍ରକାଶପାଏ । ପାଣିନି ବର୍ଣ୍ଣମାନଙ୍କ ଧ୍ୱନିର ଉଚ୍ଚାରଣ ସ୍ଥାନ ନୂଆ ଆବିଷ୍କାର କରିନାହାନ୍ତି । ଆମ ଦେଶର ପାରମ୍ପରିକ ପ୍ରବାଦ ଅନୁସାରେ ରୁଦ୍ର, ଚନ୍ଦ୍ର, ବୃହସ୍ପତି ପ୍ରଭୃତି ପ୍ରାଚୀନ ବ୍ୟାକରଣମାନ ସଂକଳନ କରିଥିଲେ । ଏ ବ୍ୟାକରଣମାନ ଲୁପ୍ତ ହୋଇଅଛି । ବୃଷଭ ରୁଦ୍ରଙ୍କର ବାହନ । ଭାଷା ବୃଷଭରୂପରେ ପ୍ରବେଶ କରିଥିଲେ । ‘ଋତ୍‌’ ଧାତୁରୁ ରୁଦ୍ର-ନାମ ନିଷ୍ପନ୍ନ ଓ ଏହି ଧାତୁର ଅର୍ଥ ରୋଦନ କରିବା । ଋଗ୍‌ବେଦରେ ବୃଷ ଗୋତ୍ରର ଉଲ୍ଲେଖ ଅଛି ଓ ବାଣପୁରର ବଢ଼େଇମାନେ ବୃଷଗୋତ୍ରୀ । ଜୈନମାନଙ୍କର ଆଦିତୀର୍ଥଙ୍କର ଋଷଭ ବା ବୃଷଭ ନାମରେ ପରିଚିତ-। ଶତପଥ ବ୍ରାହ୍ମଣ ଅନୁସାରେ ଋଷଭ ନାମରେ ଜଣେ ରାଜା ସିଂହାସନ ତ୍ୟାଗ କରି ସନ୍ନ୍ୟାସୀ ହୋଇ ଦେଶଭ୍ରମଣ କରୁଥିଲେ । ସଙ୍ଗୀତର ପ୍ରଥମ ସ୍ୱରକୁ ‘ସା’ ବା ‘ଷଡ଼ଜ୍‌’ କହନ୍ତି ଓ ଏହାକୁ ମୟୂରର ସ୍ୱର କହନ୍ତି । ‘ଷଡ଼୍‌ଜ’ର ଅର୍ଥ ଷଡ଼େନ୍ଦ୍ରିୟର ଉତ୍ତେଜେନାରୁ ଜାତ । ସଙ୍ଗୀତର ଦ୍ୱିତୀୟ ସ୍ୱରକୁ ‘ରି’ ବା ବୃଷଭର ସ୍ୱର କହନ୍ତି । ମୟୂର ସଙ୍ଗୀତରେ ସଙ୍ଗମ ନିମିତ୍ତ ମୟୂରୀକୁ ଆକର୍ଷଣ କରେ । କିନ୍ତୁ ବୃଷଭ ସର୍ବଦା ସଂଯତେନ୍ଦ୍ରିୟ ହୋଇ ଗର୍ଭଧାରଣ ଉପଯୁକ୍ତ କାଳରେ ଗମ୍ଭୀର ଗର୍ଜନ କରି ଗାଭୀ ସହିତ ସଙ୍ଗମ କରେ । ମୟୂରୀ ଡିମ୍ୱପ୍ରସବ କରେ । କିନ୍ତୁ ଗାଭୀ ନିଜ ଜାତୀୟ ଶିଶୁ ପ୍ରସବ କରେ । ଏଥିପାଇଁ ବୃହଦାରଣ୍ୟକୋପନିଷଦରେ ଉକ୍ତ ଅଛି ଯେ ପରମାତ୍ମା ବୃଷ ରୂପଧରି ଜୀବଜନ୍ତୁ ସୃଷ୍ଟି କରିଥିଲେ । ଭାଗବତ ପୁରାଣ ଅନୁସାରେ ଧର୍ମ ବୃଷ ରୂପଧରି ପ୍ରଥମେ ପୃଥିବୀରେ ଆବିର୍ଭୂତ ହୋଇଥିଲେ । ଏଥିରୁ ଜଣାଯାଏ ଯେ ପ୍ରଥମେ ମନୁଷ୍ୟ ଅସଂଯତେନ୍ଦ୍ରିୟ ହୋଇ ମୟୂର ପରି ନୃତ୍ୟଗୀତ କରୁଥିଲା । ସଂଯତେନ୍ଦ୍ରିୟ ହେବାର ପ୍ରୟୋଜନ ସେ ବୃଷର ସ୍ୱଭାବରୁ ଉପଲବ୍‌ଧି କରି ଅନୁକରଣ କରିବାରୁ ସଭ୍ୟତାରେ କ୍ରମଶଃ ଅଗ୍ରସର ହେଲା-

 

ବର୍ତ୍ତମାନ ଉତ୍କଳ-ଜାତିର ଜନ୍ମ ସମ୍ୱନ୍ଧରେ ପୌରାଣିକ ଆଖ୍ୟାନ ଆଲୋଚନା କରାଯାଉ । ବୈବସ୍ୱତ ମନୁଙ୍କର ଜ୍ୟେଷ୍ଠପୁତ୍ର ଇଳ କୁମାରଙ୍କ ଜନ୍ମସ୍ଥାନ ଶରବନକୁ ବିଳମ୍ୱରେ ଯାଇ ପାର୍ବତୀଙ୍କ ଅଭିଶାପରେ ନାରୀ ପାଲଟି ଇଳା ହେଲେ । ଏହି ଇଳା ସୋମଙ୍କ ପୁତ୍ର ବୁଧଙ୍କ ଔରସରେ ପୁରରବାଙ୍କୁ ଜନ୍ମଦେଲେ । ତତ୍ପରେ ଶିବଙ୍କ ପ୍ରସାଦରୁ ମାସେ ପୁରୁଷ ଓ ମାସେ ନାରୀ ହୋଇ ସୁଦ୍ୟୁମ୍ନ ହେଲେ । ପରବର୍ତ୍ତୀ କାଳରେ ସୁଦ୍ୟୁମ୍ନଙ୍କଠାରୁ ଉତ୍କଳ, ଗୟ ଓ ବିନତାଶ୍ୱ ନାମକ ତିନି ପୁତ୍ର ଜନ୍ମ ହେଲେ ।

 

ଆଖ୍ୟାନ କଥିତ ‘ବୈବସ୍ୱତ ମନୁ’ର ଅର୍ଥ ଆଲୋକିତ ବା ଚୈତନ୍ୟଯୁକ୍ତ ମନର ପ୍ରବୃତ୍ତି-। ‘ଇଳ’ର ଅର୍ଥ ଯୌନ-ସଂଯୋଗ ଲିପ୍ସା; କାରଣ ସଂଯୋଗ ଅର୍ଥରେ ‘ଫେନ’ ଶବ୍ଦରେ ‘ଇଳ’ ଯୋଗକରି ଫେନିଳ ନିଷ୍ପନ୍ନ ହେଉଅଛି । ଯେଉଁଠାରେ ନରନାରୀ ଅବିବାହିତ ଜୀବନ ଅତିବାହିତ କରୁଥିଲେ, ସେଠାରେ ‘ଶ’ ବା ଶକ୍ତି ଓ ‘ର’ ବା କାମାଗ୍ନି ସୃଷ୍ଟିର ମୂଳ କାରଣ ବିବେଚିତ ହେଉଥିବାରୁ ତାହାକୁ ଶରବନ କହୁଥିଲେ । ପାର୍ବତୀଙ୍କର ଅଭିଶାପରେ ଅର୍ଥାତ୍‌ ପାର୍ବତୀୟନାରୀଙ୍କ ସହିତ ଅତିରିକ୍ତ ସହବାସ ହେତୁ ଇଳା ନାମ ବହି ନାରୀ ପାଲଟିଲେ ଅର୍ଥାତ୍‌ ବଳବତୀ ସଙ୍ଗମ ଲିପ୍‌ସା କ୍ଷୀଣ ହେଲା । ସେତେବେଳେ ପୁରୁରବା ନାମରେ ତାଙ୍କର ପୁତ୍ର ଜନ୍ମିଲେ ବା (ପୁରୁ) ବହୁ ପ୍ରକାର ରବ କରିବାକୁ ଅଭ୍ୟାସ କଲେ । ତତ୍ପରେ ମାସେ ପୁରୁଷ ଓ ମାସେ ନାରୀ ହୋଇ ସୁଦ୍ୟୁମ୍ନ ବା ସଂଯତେନ୍ଦ୍ରିୟ ହେଲେ । ସୁଦ୍ୟୁମ୍ନଙ୍କଠାରୁ ଉତ୍କଳ, ଗୟ ଓ ବିନତାଶ୍ୱ ନାମରେ ତିନି ପୁତ୍ର ଜନ୍ମିଲେ-। ପୁରୁରବାଙ୍କ ପିତା ସୋମଙ୍କ ପୁତ୍ର ବୁଧର ଅର୍ଥ ସୋମରସ ପାନଜନିତ ଜ୍ଞାନ । ମୃଗପରି ତୃଣପତ୍ର ଖାଉ ଖାଉ ସୋମରସରୁ ଶକ୍ତି ଜାତହୁଏ ବୋଲି ଜାଣିପାରି ପଶୁପକ୍ଷୀଙ୍କ ରବ ଅନୁକରଣ କରିଥିଲେ ।

 

ବୈଦିକ ମନ୍ତ୍ରରଚୟିତା ଉତ୍କିଳ-ଋଷିଙ୍କୁ ପୁରାଣରେ ‘ଉତ୍କଳ’ କୁହାଯାଇଅଛି । ‘ଉତ୍‌’-ର ଅର୍ଥ ଊର୍ଦ୍ଧ୍ୱକୁ ‘କିଳ’ର ଅର୍ଥ ପୁଂଜନନେନ୍ଦ୍ରିୟ ‘କଳ’ର ଅର୍ଥ ଶରୀରସ୍ଥ ଯନ୍ତ୍ର * । ଏଣୁ ଉତ୍କିଳ ବା ଉତ୍କଳର ଅର୍ଥ ଉର୍ଦ୍ଧ୍ୱରେତା । ‘କିଳ’ ବଦଳରେ ‘କଳ’ ପରବର୍ତ୍ତୀ କାଳରେ ଯୋଗ କରିବାର କାରଣ ଅଛି । ‘ଗା’ର ଅର୍ଥ ଗନ୍ଧର୍ବ ଓ ‘ୟ’ର ଅର୍ଥ ବାୟୁ । ଏଣୁ ପ୍ରାଣାୟାମ-ସାଧନା ‘ଗୟ’ ନାମରେ ପରିଚିତ ଓ ଏ ବୈଦିକ ମନ୍ତ୍ରରଚୟିତା ଅଟନ୍ତି । ଅଶ୍ୱିନ୍‌ମାନଙ୍କୁ ବେଦରେ ଦେବତାରୂପରେ ସ୍ତୁତି କରାଯାଇଅଛି । ଏମାନେ ବିନତାଶ୍ୱ ଅଟନ୍ତି ।

 

*

Vaishnavism by R.G Bhandarkar, P.175.

 

ପୁରୁଷର ମେରୁଦଣ୍ଡ ସନ୍ନିହିତ ବାମପାର୍ଶ୍ୱର ନାଡ଼ିକୁ ‘ଇଳା’ ବା ‘ଚନ୍ଦ୍ର ନାଡ଼ି’ କୁହାଯାଏ । ଚନ୍ଦ୍ରର ଅର୍ଥ ପ୍ରଜନନ-କାମନା । ଏଣୁ ଏହି କାମନାର ଉଦ୍ରେକ କରାଇବା ବିଧିକୁ ଚନ୍ଦ୍ରଚାଳନା କହନ୍ତି । ଏହି ଅର୍ଥର ସମର୍ଥନ ନିମନ୍ତେ Indian Culture and Cult of Jagannath ନାମକ ଗ୍ରନ୍ଥର ପାଣ୍ଡୁଲିପିରେ ବହୁ ପ୍ରମାଣ ଦିଆଯାଇଛି ।

 

ବର୍ତ୍ତମାନ ପ୍ରଶ୍ନ ଉଠିପାରେ ଯେ ଉତ୍କଳ, ଗୟ ଓ ବିନତାଶ୍ୱଙ୍କ ଜନ୍ମ କେବେ ? ପୁରାଣ ଅନୁସାରେ ଅତ୍ରୀ, ମରୀଚି, ଅଙ୍ଗିରା ପ୍ରଭୃତି ସାତ ପ୍ରଜାପତି ଭାରତୀୟ ଜାତିଙ୍କୁ ସୃଷ୍ଟି କରିବା ଉତ୍ତାରୁ ଉତ୍କଳ ପ୍ରଭୃତିଙ୍କ ଜନ୍ମ । ସେଥିପାଇଁ ‘ଇଳ’ ଜ୍ୟେଷ୍ଠପୁତ୍ର ହୋଇ ବିଳମ୍ୱରେ କୁମାରଙ୍କ ଜନ୍ମସ୍ଥାନକୁ ଯାଇଥିବାର କୁହାଯାଇଅଛି । ହରିବଂଶ ଅନୁସାରେ ଅଗସ୍ତି ଋଷିଙ୍କର ସାତ ଶିଷ୍ୟ ଗୁରୁଙ୍କର କପିଳା ନାମର ଗାଭୀ ବଧ କରି ଦଶାରଣ୍ୟରେ ବ୍ୟାଧ, କାଳଞ୍ଜରଗିରିରେ ମୃଗ, ସରଦ୍ୱୀପରେ ଚକ୍ରବାକ, ମାନସ ସରସୀରେ ହଂସ ହେବା ଉତ୍ତାରୁ କୁରୁକ୍ଷେତ୍ରରେ ଜାତ ହୋଇ ବେଦପାରଗ ବ୍ରାହ୍ମଣ ହେଲେ-। ଏହି ସାତ ଜଣ ବ୍ୟାଧ ଅତ୍ରୀ, ମରୀଚି ପ୍ରଭୃତି ସାତ ପ୍ରଜାପତି । ଓଡ଼ିଶାର ବ୍ରାହ୍ମଣମାନେ ପିତୃ ମାତୃ ଶ୍ରାଦ୍ଧର ଶେଷରେ ଏପରି ମର୍ମର ବାକ୍ୟଟି ପଢ଼ି ଗୋବଧରୁ ମୁକ୍ତି ପାଇବା ପାଇଁ ସ୍ତୁତି କରନ୍ତି-। ଦଶାରଣ୍ୟ, ବ୍ୟାଧ, କାଳଞ୍ଜର ଗିରି, ମୃଗ, ସରଦ୍ୱୀପ ଚକ୍ରବାକ ପ୍ରଭୃତିର ଶ୍ଳେଷାର୍ଥ ଲେଖିବା ପାଇଁ ଏଠାରେ ଅବକାଶ ନାହିଁ । କପିଳା ନାମରେ ଗାଭୀର ଅର୍ଥ କପିଳଙ୍କ ସାଂଖ୍ୟମତ । ଏହାକୁ ବଧ କରିବାର ଅର୍ଥ ମତର ଅବମାନନା । ପ୍ରଜନନ ଶକ୍ତିର ଅପଚୟକୁ ଗୋ-ବଧ କୁହାଯାଇଅଛି । ବେଦର କୁମାର-ସୂକ୍ତରେ ସମ୍ୱୁଦ୍ଧ ବା ସମ୍ୟକ୍‌ ଜ୍ଞାନକୁ ମାତାଠାରୁ ପିତା ଛଡ଼ାଇ ନେବା ଯଜ୍ଞ କପିଳ ଅନୁଷ୍ଠାନ କରିଥିବା କଥା ଉକ୍ତ ଅଛି । ଏଠାରେ ପିତା ମସ୍ତିଷ୍କର ସ୍ନାୟୁକେନ୍ଦ୍ର ଓ ମାତା ଜନନେନ୍ଦ୍ରିୟ । ସାୟନ ସଂବୁଦ୍ଧଂର ଅର୍ଥ ବୁଝାଇବା ପାଇଁ ଶାଟ୍ୟାୟନ ବ୍ରାହ୍ମଣରୁ ଯେଉଁ ଆଖ୍ୟାନ ଉଦ୍ଧାର କରିଅଛନ୍ତି, ତାହା ଅନୁସାରେ ରଥରୂପ ଶରୀରରେ ରାଜା ତ୍ରୟାରୁଣ କ୍ରିୟିବିଷ୍ଣବ ମନ, ସାରଥି ବୃଷଜାର ଆତ୍ମା ଓ ରଥର ଚକ ବୌଦ୍ଧଧର୍ମଚକ୍ର । ଚକତଳେ ବ୍ରାହ୍ମଣ ବାଳକଙ୍କର ମୃତ୍ୟୁର ଅର୍ଥ ପତନ । ମନ ଓ ସାରଥି ଆତ୍ମା ଶରୀର ରକ୍ଷା ପାଇଁ ଯତ୍ନ ନ କଲେ ପତନ ଅନିବାର୍ଯ୍ୟ-। ବୌଦ୍ଧମାନଙ୍କ ସହିତ ବ୍ରାହ୍ମଣମାନଙ୍କର ବାଦାନୁବାଦ ଲାଗିଥିବାର ବେଦର ଅନେକ ମନ୍ତ୍ରରୁ ଜଣାଯାଏ :-

 

‘‘ରିତିଂଚ ସତ୍ୟଂଚାଭିଧା ତପସୋଽଧ୍ୟଜାୟତ୍‌ ତତୋ ରାତ୍ରି ଅଜାୟତ୍‌

ତତଃ ସମୁଦୋଽର୍ଣବାଦଧିସଂବ୍ରତ୍ସରୋଽଜାୟତ୍‌ ଆହୋରାତ୍ରୀଣି

ବିଦଧତ୍‌ ବିଶ୍ୱସ୍ୟମୀଶତୋ ବଶୀ ସୂର୍ଯ୍ୟାୟ ଚନ୍ଦ୍ର ମସୌ

ଧାତା ୟଥା ପୂର୍ବମକଳ୍ପୟତ୍‌ ଦିବଞ୍ଚ ପୃଥିବୀଚାନ୍ତରୀକ୍ଷମଥସ୍ୱାହା ।’’

 

ଋତଂ, ସତ୍ୟଂ, ଅଭିଧାବା ନାମ ଧର୍ମସାଧନୋଦ୍ଦେଶ୍ୟରେ କ୍ଳେଶମୟକର୍ମରୁ ଜାତ ହୋଇଥିଲେ । ତତ୍ପରେ ଧାତା ଯେପରି ପୂର୍ବରୁ କଳ୍ପନା କରିଥିଲେ ସେପରି ସମୁଦ୍ରରୁ ଅର୍ଣ୍ଣବରୁ ଅଧିସମ୍ୱତ୍ସର…. ସୂର୍ଯ୍ୟଙ୍କ ପାଇଁ ଚନ୍ଦ୍ରମା ଜାତ ହୋଇଥିଲେ ।

 

ବୌଦ୍ଧମାନେ ଋତ ବା ପଶୁବକ୍ଷୀଙ୍କର ରବ, ସତ୍ୟ, ବସ୍ତୁମାନଙ୍କର ନାମ ପ୍ରଭୃତିର ଅସ୍ତିତ୍ୱ ଆଦୌ ସ୍ୱୀକାର କରୁ ନ ଥିଲେ । ସବୁ ମିଥ୍ୟା ବୋଲି ସେମାନେ କହୁଥିବାରୁ ସେମାନଙ୍କୁ ପଚରା ଯାଉଥିଲା, ‘‘ଭାତ ଯଦି ମିଥ୍ୟା ହୁଏ ଓ ଭାତ ନାମ ନ ଥାଏ, ତେବେ ‘ଭାତ ଦିଅ’ କହିଲେ ତୁମଙ୍କୁ କିଏ କଣ ଦେବ ? ସେଥିପାଇଁ ଧାତା ପୂର୍ବରୁ ବସ୍ତୁମାନ କଳ୍ପନା କରି ସେମାନଙ୍କ ନାମ ସୃଷ୍ଟି କରିଅଛନ୍ତି ବୋଲି କୁହାଯାଇଅଛି । ପୁଣି ଅନ୍ୟ ଏକ ମନ୍ତ୍ରରେ କୁହାଯାଇଅଛି :–

 

‘‘କେତୁଂ କୃଶବନ୍ମ କେତବେ ପେଶେମର୍ଯ୍ୟା ଅପେଶସସେ ସମୁଷଦ୍ଭି ରଜାୟତ୍‌ ।’’

 

ଏହି ମନ୍ତ୍ରରେ କେତୁଗ୍ରହଙ୍କୁ ପୂଜା କରାଯାଏ । କେତୁଗ୍ରହ ସର୍ପାକୃତି ଓ କୃଷ୍ଣବର୍ଣ୍ଣ । କେତୁଗ୍ରହ ଚନ୍ଦ୍ର ସୂର୍ଯ୍ୟଙ୍କୁ ଗ୍ରାସ କଲେ ପରାଗ ହୁଏ ବୋଲି ଲୋକଙ୍କର ବିଶ୍ୱାସ ଅଛି । ପରାଗ କାଳରେ ଚନ୍ଦ୍ର ସୂର୍ଯ୍ୟଙ୍କର ଯେତେ ଅଂଶ କୃଷ୍ଣବର୍ଣ୍ଣ ହୁଏ, ତେତେ ଅଂଶ କେତୁଗ୍ରସ୍ତ କୁହାଯାଏ । ଯାହାହେଉ, ପରାଗରେ ଚନ୍ଦ୍ରଙ୍କଠାରେ ଆଲୋକ ଓ ଅନ୍ଧକାର ଉଭୟ ଉପଲବ୍‌ଧି କରାଯାଏ । ବୌଦ୍ଧମାନେ କହୁଥିଲେ, ‘‘ପୃଥିବୀରେ ଭାବ ପଦାର୍ଥ ନାହିଁ । ସବୁ ଅଭାବ ବା ଅନ୍ଧକାର ।’’ ଜୈମିନି କହୁଥିଲେ,‘‘ଅଭାବଶୂନ୍ୟ ବା ଅନ୍ଧକାର ନୋହି ଗୋଟିଏ ଭାବ ପଦାର୍ଥ ହୋଇଥିବାରୁ ଆମେ ତାହାକୁ ଉପଲବ୍‌ଧି କରୁଁ ।’’ ସାୟନ କେତୁର ଅର୍ଥ କିରଣ ବା ତେଜ ଓ ପେଶେର ଅର୍ଥ ଆକୃତି ବୋଲି କହିଅଛନ୍ତି । ଏଣୁ ଉଦ୍ଧୃତ ମନ୍ତ୍ରର ଅର୍ଥ ଏପରି ହୁଏ :- ଅକେତବେ ବା ବସ୍ତୁର ରୂପ ବା ତେଜ ମାନୁ ନ ଥିବା ଲୋକଙ୍କୁ କେତୁ କଲେ ବା ତେଜ ଅଛି ବୋଲି ମନାଇଲେ । ଅପେଶସେ ବା ଆକୃତି ମାନୁ ନ ଥିବା ଲୋକଙ୍କୁ ପେଶେ କଲେ ବା ଆକୃତି ଅଛି ବୋଲି ମନାଇଲେ । ଗ୍ରହଣ ଦେଖି ବୌଦ୍ଧ-ଧର୍ମର ଅନାଚାର ଛାଡ଼ି ଥିବାରୁ ଗ୍ରହଣ-କାଳରେ ସ୍ନାନ, ଦାନ, ହୋମ ଇତ୍ୟାଦି ପୁଣ୍ୟକାର୍ଯ୍ୟ କରାଯାଏ । ବୌଦ୍ଧସାହିତ୍ୟ ଅନୁସାରେ ବୋଧିସତ୍ତ୍ୱ ବାସୁକୀ ନାଗଦ୍ୱାରା ସଂରକ୍ଷିତ ହୋଇଥିଲେ । ନାଗଧର୍ମ ବୌଦ୍ଧଧର୍ମ ଛଡ଼ା କିଛି ନୁହେଁ । ମହାଭାରତ ଅନୁସାରେ କଳିଙ୍ଗମାନଙ୍କ ସେନାପତିଙ୍କ ନାମ କେତୁମାନ୍‌ । କେତୁଗ୍ରହ ସର୍ପାକୃତି ଓ କୃଷ୍ଣବର୍ଣ୍ଣ । ଏଣୁ ଏହା ନାଗଧର୍ମ ବୋଲି ଅନୁମିତ ହୁଏ । କୃଷ୍ଣକେତୁ ସମ୍ଭବତଃ ବୌଦ୍ଧହୀନଯାନ । ଶ୍ୱେଡ୍ରକେତୁ ବୌଦ୍ଧ- ମହାଯାନ ବା ବୁଦ୍ଧଙ୍କ ପୁତ୍ର ରାହୁଳ । ରାହୁ ଅମୃତ ଖାଇଥିବା ସର୍ପର ମୁଣ୍ଡ ବୋଲି ବର୍ଣ୍ଣିତ ଥିବାରୁ ଏ ସମ୍ପ୍ରଦାୟ ଜ୍ଞାନୀ ଥିବାର ଅନୁମାନ କରାଯାଏ । ତାମ୍ରଶାସନରେ ଉଲ୍ଲେଖଥିବା ‘ଶ୍ୱେତକ’ ଶ୍ୱେତକେତୁ ନାମର ଚିହ୍ନ ବୋଲି ପ୍ରତୀତ ହୁଏ । ଏହି ଶ୍ୱେତକ-ନାମ ଚିକିଟି-ନାମରେ ପରିଣତ ହୋଇ ଅଛି ବୋଲି ଶ୍ରୀସତ୍ୟନାରାୟଣ ରାଜଗୁରୁ ମହାଶୟ କହନ୍ତି ।

 

ବୌଦ୍ଧସାହିତ୍ୟ ଅନୁସାରେ ଗୌତମ ବୁଦ୍ଧ ଊରୁବିଲ୍ୱଠାରେ ବଟବୃକ୍ଷମୂଳରେ ମନୁଷ୍ୟ ଜୀବନର ଚାରି ସତ୍ୟ ଆବିଷ୍କାର କଲାବେଳେ ଉତ୍କଳର ତପ୍‌ପୁସୁ ଓ ଭଲ୍ଲିକ ନାମରେ ଦୁଇ ଜଣ ଭୂୟାଁ ତାହାଙ୍କୁ ଖାଦ୍ୟଦେଇ ତାହାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଏହି ଭୂୟାଁ ଦୁଇ ଜଣ ବୈଦିକ ଭୌମ-ଋଷିଙ୍କ ସମ୍ପ୍ରଦାୟଭୁକ୍ତ ଥିଲେ ବୋଲି ଅନୁମିତ ହୁଏ । ସେମାନେ ବୁଦ୍ଧଦେବଙ୍କୁ ଖାଦ୍ୟଦେଇ ହୃଦୟଙ୍ଗମ କରାଇଦେଲେ ଯେ ଶରୀରମାଦ୍ୟଂ ଖଳୁଧର୍ମସାଧନମ୍‌ । ବୁଦ୍ଧଦେବ ବୁଝିପାରିଥିଲେ ଯେ କେଶ ଓ ନଖ କାଟିବା ବେଳରେ କୌଣସି ଯାତନା ଅନୁଭବ କରାଯାଏ ନାହିଁ । କିନ୍ତୁ କଟାହେବା ଉତ୍ତାରେ କେଶ ଓ ନଖ ବଢ଼ି ପାରନ୍ତି । ଏଣୁ ଭୂତ ପଦାର୍ଥରେ ମଧ୍ୟ ଜୀବତ୍ୱ ଅଛି ।

 

ଭୌମ ରାଜବଂଶ ଓଡ଼ିଶାର ଯାଜପୁରଠାରେ ରାଜତ୍ୱ କରୁଥିଲେ । ସେମାନେ ଅନୁବାୟ-ସମ୍ପ୍ରଦାୟଭୁକ୍ତ ଥିଲେ । ବୁଢ଼ିଆଣୀର ନାଭିରୁ ସୂତା ବାହାରି ପଛକୁ ଆପେ ଆପେ ଲମ୍ୱି ଜାଲପ୍ରସ୍ତୁତ ହୁଏ । ତହିଁରେ ସେ ଖେଳାକରେ । ସେହିପରି ଈଶ୍ୱର ବିଶ୍ୱ ସୃଷ୍ଟିକରି ତହିଁରେ ଖେଳା କରୁଅଛନ୍ତି । ଅନୁବାୟର ଅର୍ଥ ବୁଢ଼ିଆଣୀ ସୂତା ହୋଇଥିବାରୁ ଭୌମମାନେ ମାୟାବାଦୀ ନ ଥିବାର ଅନୁମିତ ହୁଏ । ଭୂତ ଓ ଚୈତନ୍ୟର ଏକତ୍ୱ ଉତ୍କଳ ସ୍ୱୀକାର କରି ଶରୀରର ଉନ୍ନତିପାଇଁ ସଂଯମୀ ଥିବାର ଜଣାଯାଏ । ପାରମ୍ପରିକ ପ୍ରବାଦ ଅନୁସାରେ ବିଷ୍ଣୁ ଗୟାସୁର ମାରିବା ସମୟରେ ତାହାର ମୁଣ୍ଡ ଗୟାଠାରେ, ନାଭି ଯାଜପୁରଠାରେ ଓ ପାଦ ପିଠାପୁରରେ ପଡ଼ିଥିବାରୁ ସେ ସ୍ଥାନମାନ ଯଥାକ୍ରମେ ମୁଣ୍ଡଗୟା, ନାଭିଗୟା ଓ ପାଦଗୟା ନାମରେ ଅଭିହିତ । ମୁଣ୍ଡଗୟାଠାରେ ପଡ଼ିଥିବାରୁ ସେଠାରେ ଚୈତନ୍ୟ ବା ଆତ୍ମାର ପ୍ରାଧାନ୍ୟ ସ୍ୱୀକାର କରାଯାଇ ଥିବାର ଅନୁମିତ ହୁଏ ଓ ସେଠାରେ ମୁଣ୍ଡାନାମକ ଜାତି ବର୍ତ୍ତମାନ ବାସ କରୁଅଛନ୍ତି । ଯାଜପୁରରେ ଅନୁବାୟ ମତ ପ୍ରଚଳିତ ଥିବାରୁ ସେ ସ୍ଥାନକୁ ନାଭିଗୟା କହନ୍ତି । ଯାଜପୁରରେ ଶାସନ କରୁଥିବା ଭୌମରାଜାଙ୍କ ତାମ୍ର ଶାସନରେ ଅନୁବାୟ ମତର ଉଲ୍ଲେଖ ଅଛି । ‘‘ଉର୍ଦ୍ଧ୍ୱ-ମୂଳମଧଶାଖମଶ୍ୱତ୍‌ଥଂ ପ୍ରାହୁରବ୍ୟୟଂ’’ ବା ଅଶ୍ୱତ୍‌ଥ ବୃକ୍ଷର ମୂଳ ଊର୍ଦ୍ଧ୍ୱରେ ଆକାଶରେ ଓ ଶାଖା-ପ୍ରଶାଖା ନିମ୍ନରେ ଥିବାପରି ପରମାତ୍ମାଙ୍କ ପାଦ ଶୂନ୍ୟରେ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ବିଶ୍ୱରେ ଅବସ୍ଥିତ–ଗୀତାର ଏହି ମତ ଅନୁସାରେ ଶୂନ୍ୟବାଦ ପିଠାପୁରଠାରେ ପ୍ରଚଳିତ ଥିବାରୁ ତାହାକୁ ପାଦଗୟା କହନ୍ତି । ଯେଉଁମାନେ ଅଶ୍ୱପରି କୁଶ ବା ତୃଣଭୋଜୀ ଥିଲେ ସେମାନେ ଅଶ୍ୱିନ୍‌ ନାମରେ ଅଭିହିତ ଥିଲେ । ଅଶ୍ୱିନୀକୁମାର ଆୟୁର୍ବେଦ ଆବିଷ୍କାର କରିଥିଲେ । ଏମାନଙ୍କ ମତ କୋଶଳ ନାମରେ ଅଭିହିତ । ସମ୍ୱଲପୁର ଜିଲା ପ୍ରାଚୀନ କାଳରେ ଦକ୍ଷିଣ - କୋଶଳ ନାମରେ ଅଭିହିତ ଥିଲା ଓ ସେଠାରେ ବିନୀତପୁର ସୋମବଂଶୀ ରାଜାମାନଙ୍କର ରାଜଧାନୀ ଥିଲା । ବିନତାଶ୍ୱଙ୍କ ନାମ ଅନୁସାରେ ରାଜଧାନୀର ନାମ ବିନୀତପୁର ଥିବାର ଅନୁମିତ ହୁଏ । ଢେଙ୍କାନାଳରେ ପ୍ରାଚୀନ କାଳରେ ରାଜତ୍ୱ କରୁଥିବା ଶୂକ୍ଳିବଂଶ ବିନତାଶ୍ୱ ଥିଲେ ବୋଲି ଜୈନ ସ୍ଥବିରାବଳୀ-ଚରିତରୁ ଜଣାଯାଏ । ଦୁର୍ଦ୍ଦାନ୍ତ ଅଶ୍ୱକୁ ସଂସ୍କୃତରେ ଶୁଳ୍‍କ କହନ୍ତି ଓ ଜୈନ ପ୍ରାକୃତରେ ଶୋଲାକ କହନ୍ତି । ଜୈନ ଆଖ୍ୟାନ ଅନୁସାରେ ଶୋଲାକ ଘୋଟକୀକୁ ବେଶୀ ଖାଇବାକୁ ଦେଇ ନିଜେ ଅଳ୍ପ ଖାଏ । ତେବେ ନାରୀ ନିକଟରେ ସେ ବିନୀତ ଥିଲା ।

 

ବର୍ତ୍ତମାନ ଜଣାଯାଉଛି ଯେ ବେଦ-ରଚନା ପୂର୍ବରୁ କପିଳଙ୍କ ସାଂଖ୍ୟ ଓ ବୌଦ୍ଧମତ ପ୍ରଚଳିତ ଥିଲା ଏବଂ ପୁରୁରବା, ଉତ୍କଳ, ଗୟ ଓ ବିନତାଶ୍ୱ ଜାତ ହୋଇଥିଲେ । ରାମାୟଣ ଅନୁସାରେ ଦକ୍ଷଯଜ୍ଞଠାରେ ଯେତେ ଦେବତା ଓ ଋଷି ଉପସ୍ଥିତ ଥିଲେ, ଶିବ ଯଜ୍ଞ ଭାଙ୍ଗିଦେବାରୁ ସେମାନେ ପଶୁପକ୍ଷୀଙ୍କ ରୂପଧରି ଚାଲିଯାଇଥିଲେ :-

 

‘‘ଇନ୍ଦ୍ରେ । ମୟୂରସଂବୃତ୍ତୋ ଧର୍ମରାଜସ୍ୟ ବାୟସଃ ।

କୃକଳାସୋ ଧନାଧ୍ୟକ୍ଷୋ ହଂସଶ୍ଚ ବରୁଣୋଽଭବତ୍‌ ।।’’

 

ଇନ୍ଦ୍ର ଦେବତାଙ୍କ ଉପରେ ପ୍ରଭୁତ୍ୱଛାଡ଼ି ମୟୂରପରି ନୃତ୍ୟଗୀତ କରୁଥିବା ଲୋକଙ୍କ ଗହଣରେ ଗଲେ । ଧର୍ମରାଜ ପାପୀଙ୍କ ଶାସନଭାର ଛାଡ଼ି କାକପରି ଅଇଁଠା ଖାଇ ବୁଲିଲେ । କୁବେର କୃକଳାସ ବା ପୋହଳା ଏଣ୍ଡୁଅ ପରି ମୁହୁର୍ମୁହୁ ରୂପ ବଦଳାଇଲେ । ବରୁଣ ହଂସ ହେଲେ ବା ଜ୍ଞାନ-ଅନୁଶୀଳନରେ ବ୍ରତୀହେଲେ । କାହିଁକି ? ଦକ୍ଷ ଶିବଙ୍କୁ ଡାକି ନ ଥିବାରୁ ସେ ଅଶିବ ବା ଅମଙ୍ଗଳ ଯଜ୍ଞ କଲେ! ସତୀ ଆତ୍ମହତ୍ୟା କଲେ ବା ସତୀତ୍ୱ ଲୋପପାଇଲା । ତାଙ୍କ ଚିତା-ଭସ୍ମରେ ଭିନ୍ନ ଭିନ୍ନ ସ୍ଥାନରେ ତାନ୍ତ୍ରିକ ପୂଜାର ପାଠ ପ୍ରତିଷ୍ଠିତ ହେଲା ବା ପ୍ରଚ୍ଛନ୍ନ ନାରୀ-ପୂଜା ପ୍ରଚଳିତ ହେଲା-। ମହାଭାରତର ବନପର୍ବ ଅନୁସାରେ ବୈତରଣୀ-କୂଳରେ ଦକ୍ଷଙ୍କ ଯଜ୍ଞ ଭଙ୍ଗ କରାଯାଇଥିଲା :–

 

 

‘‘ଏତେ କଳିଙ୍ଗୋଃ କୌନ୍ତେୟ ଯତ୍ର ବୈତରଣୀନଦୀ ।

ଯତ୍ରାଜଜତ ଧର୍ମୋପି ଦେବାଞ୍ଛରଣ୍ୟମେତ୍ୟ ବୈ ।।

ଋଷିଭିଃ ସମୁପାଯୁକ୍ତଂ ଯଜ୍ଞାୟଂ ଶିରିଶୋଭିତମ୍‌

ସମାନଂ ଦେବଯାନେନ ପଥା ସ୍ୱର୍ଗମୁପେୟୁଷଃ ।।

ଅତ୍ର ବୈଋଷୟୋଽନ୍ୟେଚ ପୂରା କ୍ରତୁଭିରୀଜିରେ ।

ଅତ୍ରୈବ ରୁଦୋ ରାଜେନ୍ଦ୍ର ଭାଗୋଽୟ ମିତି ଚାବ୍ରବୀତ୍‌ ।।

ହୃତେପଶୌ ଦେବାସ୍ତମୁଚୁ ଭରତର୍ଷଭ ।

‘‘ମା ପରସ୍ୱମଭିଦ୍ରୋରାଧା ମା ଧର୍ମାନ୍‌ ସମଳାନ୍‍ ବଶୀ ।।’’

ତତ୍ର କଲ୍ୟାଣରୂପାଭିର୍ବାଗଭିସ୍ତେ ରୁଦ୍ର ମସ୍ତୁବନ୍‌ ।

ଇଷ୍ଟ୍ୟାଚୈନଂ ତପୟିତ୍ୱା ମାନୟାଞ୍ଚତ୍ରିରେ ତଦା ।।

 

ଦେବତାମାନେ ଅର୍ଜୁନଙ୍କୁ ସପ୍ତମ ଶ୍ଳୋକରେ ‘ଭରତବର୍ଷଭ’ କହିଅଛନ୍ତି । ଏଣୁ ଅର୍ଜ୍ଜୁନ ଭରତ ଜାତିର ରିଷଭ ପୂଜକ । ମୟୂରଭଞ୍ଜର ତାମ୍ରଶାସନ, ଆସାମର ତାମ୍ରଶାସନ, ଜୈନ ହରିବଂଶ ପ୍ରଭୃତିରୁ ସଙ୍କେତ ମିଳେ ଯେ ଦକ୍ଷ ଅମଙ୍ଗଳ ଯଜ୍ଞ କରିଥିଲେ । ଏହି ଯଜ୍ଞ ଭଙ୍ଗ ଉତ୍ତାରୁ ଋଷି ଓ ଦେବତାମାନେ ପ୍ରାଚୀନ ଯୁଗରେ ଯେପରି ପଶୁପକ୍ଷୀଙ୍କର ଜୀବନ ପର୍ଯ୍ୟବେକ୍ଷଣ କରୁଥିଲେ, ପୁଣି ସେପରି କଲେ । ବୈତରଣୀ-କୂଳରେ ଦକ୍ଷ-ଯଜ୍ଞ ଭଙ୍ଗ କରାଯାଇଥିବାର ଅନେକ ପ୍ରମାଣ ଅଛି ।

 

ବୈତରଣୀ କୂଳରେ କଳିଙ୍ଗମାନେ ଥିବାର କୁହାଯାଇଅଛି । କିନ୍ତୁ ବେଦରେ କଳିଙ୍ଗ ନାମର ଉଲ୍ଲେଖ ନାହିଁ । ପୁରାଣ ଅନୁସାରେ ଦୀର୍ଘତମା ଅନ୍ଧ ଥିଲେ । ତାଙ୍କର ଅସଚ୍ଚରିତ୍ରତା କାରଣରୁ ତାଙ୍କ ପୁତ୍ରମାନେ ମାତାଙ୍କ ଆଦେଶରେ ପିତାଙ୍କୁ ବାନ୍ଧି ନଦୀରେ ଭସାଇ ଦେଇଥିଲେ । ସେ ଭାସି ଆସି ଆନବ ଜାତିର ରାଜଧାନୀଠାରେ କୂଳରେ ଲାଗିଲେ । ସେଠାରେ ବଳି ରାଜାର ରାଣୀ ସୁଦେଷ୍ଣା ତାହାଙ୍କୁ ଉଦ୍ଧାର କଲେ ଓ ସ୍ୱାମୀଙ୍କ ଅନୁମତିରେ ତାହାଙ୍କ ଔରସରେ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସୁହ୍ମ ନାମରେ ପାଞ୍ଚ ପୁତ୍ର ପ୍ରସବ କରିଥିଲେ । ନିଜ ନିଜ ନାମ ଅନୁସାରେ ଏମାନେ ପାଞ୍ଚୋଟି ରାଜ୍ୟ ସ୍ଥାପନ କରିଥିଲେ । ‘ଅ’-କୁ ଅର୍ଥାତ୍‌ ଅଭାବକୁ ଯେ ଗମନ କଲା ସେ ଅଙ୍ଗ ବା ସୃଷ୍ଟିର କର୍ତ୍ତାଙ୍କ ଅସ୍ତିତ୍ୱ ଅସ୍ୱୀକାରୀ । ‘ବ’ କୁ ଅର୍ଥାତ୍‌ ବରୁଣ ବା ‘ଜଳରୁ ସୃଷ୍ଟିଜାତ’ ମତ ପ୍ରତିପାଦନକାରୀ ବଙ୍ଗ । ‘କଳି’ - କୁ ଅର୍ଥାତ୍‌ କଢ଼ ବା ବାଳିକା କନ୍ୟା-ସଙ୍ଖକୁ ଯେ ଗମନ କଲା ସେ କଳିଙ୍ଗ । ‘ପୁଣ୍ଡ’ ବା ଖଣ୍ଡଖଣ୍ଡ କରିବା ଅର୍ଥାତ୍‌ ସୃଷ୍ଟିର ବିଚିତ୍ରତା ପ୍ରତିପାଦନକାରୀ ପୁଣ୍ଡ୍ର । ‘ସୁମ୍‌’ ବା ମଙ୍ଗଳ ନିମନ୍ତେ ‘ହ’ ବା କ୍ଳେଶ ପ୍ରତିପାଦନକାରୀ ସୁମହ । ଏହି ପାଞ୍ଚ ପୁତ୍ର ନିଜ ନିଜ ରାଜ୍ୟରେ ବାଳେୟ ଧର୍ମ ବା ବାଳକ ପରି ବାଳିକାଙ୍କ ସଙ୍ଗରେ ଯେଉଁମାନେ ଖେଳିଲେ, ସେମାନେ ବାଳେୟ ସମ୍ପ୍ରଦାୟ ନାମରେ ଅଭିହିତ ହେଲେ । ଦୀର୍ଘତମାଙ୍କ ଔରସରେ ସୁଦେଷ୍ଣାଙ୍କ ଦାସୀ ଉଶୀଜଙ୍କ ଗର୍ଭରୁ କଷିବତ୍‌ ନାମରେ ଏକ ପୁତ୍ର ଜନ୍ମିଥିଲେ । ସେ ପିତାଙ୍କ ଗୁଣରେ ବ୍ରାହ୍ମଣ ଓ ମାତାଙ୍କ ଗୁଣରେ କ୍ଷତ୍ରିୟ ହୋଇ କଳିଙ୍ଗମାନଙ୍କ ସହଚର ଥିଲେ । ତୀର୍ଥ-ଯାତ୍ରା ବିନା କଳିଙ୍ଗକୁ ବ୍ରାହ୍ମଣ ଗଲେ ସେ ପତିତ ବିବେଚିତ ହେଉଥିବାରୁ ସ୍ମୃତି-ଶାସ୍ତ୍ରମାନଙ୍କରେ ଉଲ୍ଲେଖ ଥିବାରୁ କଳିଙ୍ଗ ଅନାର୍ଯ୍ୟ ଦେଶ ନୁହେଁ । କାରଣ ଅନାର୍ଯ୍ୟ ଦେଶରେ ବ୍ରାହ୍ମଣଙ୍କ ତୀର୍ଥ ଅସମ୍ଭବ ।

 

କେନ୍ଦୁଝରରେ ଯମଗର୍ଭମଣ୍ଡଳ ଅବସ୍ଥିତ ଥିବାର ପ୍ରାଚୀନ ତାମ୍ରଶାସନମାନଙ୍କରୁ ଜଣାଯାଏ । ସେଠାରେ ଯମ-ସାଧନା କରାଯାଉଥିଲା । ଏହି ସାଧନାରେ ସାଧକର ଶରୀର କାଟି ରକ୍ତପାତ କରାଯାଉଥିବାର ଅନୁମିତ ହୁଏ । ଶରୀର କାଟି ରକ୍ତପାତ କରାଯାଉଥିବାର ଦୀର୍ଘତମା ନିଜ ସୂକ୍ତରେ ଉଲ୍ଲେଖ କରିଅଛନ୍ତି । ଯାଜପୁରଠାରେ ଅନୁବାୟ ବା ଆନବ ସମ୍ପ୍ରଦାୟ ବାସ କରୁଥିବାର କୁହାଯାଇଅଛି । ଯାହାର ଜଳ ବହୁ ପ୍ରକାର ରକ୍ତମୟ ହୋଇଥିଲା, ସେହି ବୈତରଣୀ ପାର ହୋଇ ତପ୍ତ ବାଲୁକାରେ ତପସ୍ୱୀମାନେ ତାତି ତାତି ଗତି କରୁଥିବାର ରାବଣ ଦେଖିଥିଲା ବୋଲି ରାମାୟଣରେ ଉକ୍ତ ଅଛି–

 

‘‘ସଂତାର୍ଯ୍ୟମାଣାନ୍‌ ବୈତରଣୀଂ ବହୁଶଃ ଶୋଣିତୋଦକାମ୍‌ ।

ବାଲୁକାସୁ ଚ ତପ୍ତାସୁ ତପ୍ୟମାନାନ୍‌ ମୁହୁର୍ମୁହୁଃ ।।’’

 

ବୈତରଣୀ ନିକଟରେ ବଳିର ରାଜ୍ୟ ଅବସ୍ଥିତ ଥିବାର ମହାଭାରତରୁ ମଧ୍ୟ ପ୍ରମାଣ ମିଳେ–

 

‘‘ଦେବେଷୁ ଗଙ୍ଗା ଗନ୍ଧର୍ବ ପ୍ରାପ୍ନୋତ୍ୟଳକନନ୍ଦ୍ରତାମ୍‌ ।

ତଥା ପିତ୍ତୃନ୍‌ ବୈତରଣୀ ଦୁସ୍ତରା ପାପକର୍ମଭିଃ

ଗଙ୍ଗା ଭବତି ବୈପାପ୍ୟ କୃଷ୍ଣଦ୍ୱୈପାୟଯେଽବ୍ରବୀତ୍‌ ।।’’

 

(ହେ ଗନ୍ଧର୍ବ ! କୃଷ୍ଣଦ୍ୱୈପାୟନ କହିଛନ୍ତି; ‘ଗଙ୍ଗା ବା ଗାନ୍ଧର୍ବ ମୋକାଙ୍‌କ୍ଷିଣୀ ନାରୀ ଦେବତାମାନଙ୍କ ମଧ୍ୟରେ ଅଳକ ବା ଆଠ ଠାରୁ ଦଶ ବର୍ଷ ବୟସର ବାଳିକା ପରି ନିଷ୍କାମ ପ୍ରେମାନନ୍ଦ ଉପଭୋଗ କରେ । ପାପକର୍ମା ବଳିମାନେ ବୈତରଣୀ କୂଳର ଯେଉଁ ନାରୀମାନଙ୍କୁ (ଦୁସ୍ତରା) କଷ୍ଟରେ ଉପଭୋଗ କରୁଥିଲେ, ସେମାନେ ଆମ ପିତୃଲୋକଙ୍କୁ ପାଇ (ତଥା) ସେପରି ଅଳକନନ୍ଦଣ ବା ନିଷ୍କାମ ପ୍ରେମାନନ୍ଦ ପାଇ ଗଙ୍ଗା ହେଉଥିଲେ ।)

 

ସୃଷ୍ଟିର ପୂର୍ବରୁ ଅନ୍ଧକାର ଥିଲା ଓ କେବଳ ପ୍ରେମରୁ ସୃଷ୍ଟି ଜାତ ବୋଲି ଦୀର୍ଘତମା ନିଜ ସୂକ୍ତରେ କହିବାରୁ ଗୋଦାବରୀ ପ୍ରଭୃତି ବିଭିନ୍ନ ନଦୀକୂଳର ନରନାରୀଙ୍କ ମଧ୍ୟରେ ଗଙ୍ଗା ବା ଗାନ୍ଧର୍ବବିବାହ ପ୍ରଚଳିତ ହୋଇଥିଲା । ଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କଦ୍ୱାରା ପ୍ରକାଶିତ କଣାସ ତାମ୍ରଶାସନରେ ଉଲ୍ଲେଖଥିବା ‘ଅନ୍ଧମୁନିସୁତବଂଶ’ର ପ୍ରତିଷ୍ଠାତା କକ୍ଷିବତ୍‌ କୋଣାର୍କଠାରେ ଉଷା-ସୂକ୍ତ ରଚନା କରିଥିବାର ଅନୁମିତ ହୁଏ । ବହୁ ପ୍ରମାଣ ଉପରେ ନିର୍ଭର କରି କୁହାଯାଉଅଛି ଯେ ଦୀର୍ଘତମା କେନ୍ଦୁଝରରୁ ବୈତରଣୀରେ ଭାସି ଆସି ଭୌମଙ୍କ ରାଜ୍ୟରେ ପହଞ୍ଚିଥିଲେ ।

 

ବେଦରେ ଉଡ୍ର ଜାତିର ଉଲ୍ଲେଖ ନାହିଁ । ଏକ ଶ୍ରେଣୀର ଯୋଗସାଧନାକୁ ଉଡ୍‌ଡ଼ୀୟାନ ବନ୍ଧ ବା ସିଂହବନ୍ଧ କୁହାଯାଏ । ସିଂହର ଉଦର ଯେପରି ନତ, ସାଧକ ଏ ବନ୍ଧରେ ନିଜର ଉଦରକୁ ସେହିପରି ନତ କରି ମେରୁଦଣ୍ଡସଂଶ୍ଳିଷ୍ଟ କରେ । ସିଦ୍ଧିଲାଭ କଲେ ସେ ପକ୍ଷୀପରି ଉଡ଼ିପାରେ । ଭୁବନେଶ୍ୱରରେ ସିଦ୍ଧେଶ୍ୱର ମନ୍ଦିର-ଗାତ୍ରରେ ଖୋଦିତ ହୋଇଥିବା ଉଡ୍‌ଡ଼ୀୟାନ ବନ୍ଧ ସାଧକଙ୍କ ମୂର୍ତ୍ତିମାନ ଦେଖାଯାଏ । ସିଂହ ସନ୍ତକ ବହୁଥିବା ଓ କଳିଙ୍ଗର ରାଜାଙ୍କର ବନ୍ଧୁ ଜୈନତୀର୍ଥଙ୍କର ମହାବୀର ଏ ବନ୍ଧର ସାଧକ ଥିବାର ଅନୁମିତ ହୁଏ । ଜଗନ୍ନାଥଙ୍କୁ ସ୍ତୁତିକରିବା ରାଜା ଇନ୍ଦ୍ରଭୂତି ଅଷ୍ଟମ ଶତାବ୍ଦୀରେ ଉଡ୍‍ଡ଼ୀୟାନ ଥିବାର କଥିତ ଅଛି । ବେଦରେ କୁତ୍ସମୁନିଙ୍କ ସୂକ୍ତରେ ଉଲ୍ଲେଖ ଥିବା ସିଂହ ଏ ବନ୍ଧ ସୂଚାଉଅଛି । ହିନ୍ଦୁମାନଙ୍କ ନୃସିଂହାବତାର ଓ ବୌଦ୍ଧମାନଙ୍କ ଶାକ୍ୟସିଂହ ଉଡ୍‌ଡ଼ୀୟାନ ବନ୍ଧର ପ୍ରତୀକ ବୋଲି ଅନୁମାନ କରାଯାଇପାରେ । ଏହି ଉଡ୍‌ଡ଼ୀୟାନରୁ ଓଡ଼ ନାମର ଉତ୍ପତ୍ତି ।

 

ଅଶ୍ୱିନୀ ନକ୍ଷତ୍ର କଟପାୟାରେ ଘୋଡ଼ା-ମୁହଁର ଆକୃତି ବୋଲି ବର୍ଣ୍ଣିତ । ଘୋଡ଼ାମାନେ ତୃଣାହାରୀ ଓ ଉଦ୍ଭିଦ୍‍ମାନଙ୍କର ଭୈଷଜ୍ୟ ଗୁଣ ଅଶ୍ୱିନୀକୁମାର ଆବିଷ୍କାର କିରିଥିଲେ । ବେଦର ଅଶ୍ୱିନ୍‌-ସମ୍ପ୍ରଦାୟ ଅନ୍ଧ କଣ୍ୱମୁନିଙ୍କୁ ଦୃଷ୍ଟଶକ୍ତି ଦେଇଥିବାର କଳିଙ୍ଗଙ୍କ ସହଚର କକ୍ଷବତ୍‌ କହିଥିବାରୁ ଅଶ୍ୱିନ୍‌ ବା ଅଶ୍ୱ ସମ୍ପ୍ରଦାୟ ଭିଷକ୍‌ ଥିବାର କିଞ୍ଚିତ୍‌ ପ୍ରମାଣ ମିଳେ । ବୌଦ୍ଧଜାତକରେ କଳିଙ୍ଗମାନେ ଅଶ୍ୱମାନଙ୍କୁ ପରାଜିତ କରିଥିବାର ଉଲ୍ଲେଖ ଅଛି । ଏଣୁ ଖାରବେଳଙ୍କ ଶିଳା-ଲିପିରେ ଯେଉଁ ଅସ୍‌ସକ ବା ଅଶ୍ୱକନଗରର ଆକ୍ରମଣ ଉଲ୍ଲେଖ କରାଯାଇଅଛି, ସେହି ଅସ୍‌ସକ ଋଷିକୂଲ୍ୟା ନଦୀକୂଳବର୍ତ୍ତୀ ଆସିକା । କାରଣ ଋଷିକୂଲ୍ୟା କୂଳରେ ଶାକ ଆହାର କରି ପୁଣ୍ୟ ସଞ୍ଚୟ କରୁଥିବାର ବର୍ଣ୍ଣନା ମହାଭାରତରୁ ମିଳେ । ପୁଣି ଶୁକ୍‌କି ବଂଶ ଅଶ୍ୱ-ସମ୍ପ୍ରଦାୟଭୁକ୍ତ ଥିବାର ପୂର୍ବେ କୁହାଯାଇଅଛି ଓ ତାମ୍ରଶାସନ ଅନୁସାରେ ଏ ରାଜବଂଶ ସ୍ତମ୍ୱେଶ୍ୱରୀଙ୍କୁ ପୂଜା କରୁଥିଲେ । ଏମାନଙ୍କ ରାଜ୍ୟର ନାମ କୋଦାଳକ ଥିଲା । ଆସିକାରେ ଖମ୍ବେଶ୍ୱରୀ ଅଧିଷ୍ଠାତ୍ରୀ ଦେବୀ ଓ ନିକଟରେ କୋଦଳା ନଗରୀ ଅବସ୍ଥିତ ।

 

ତେଲଗୁଭାଷୀମାନେ ନିଜେ ନିଜକୁ ‘ଆନ୍ଧ୍ର’ ନାମରେ ପରିଚିତ କରାନ୍ତି । ସେମାନେ କହନ୍ତି ଯେ ‘ତ୍ରିଲିଙ୍ଗ’ ଶବ୍ଦ ଅପଭ୍ରଂଶରେ ‘ତେଲଗୁ’ ନାମର ଉତ୍ପତ୍ତି । ଇକ୍ଷ୍ୱାଙ୍କୁବଂଶୀୟ ରାଜାଙ୍କର ନାମ ‘ତ୍ରିଶଙ୍କୁ’ ଓ ‘ତ୍ରିଲିଙ୍ଗ’ ନାମ ଏକାର୍ଥବୋଧକ । ପୁରାଣରେ କଥିତ ଅଛି ଯେ ନିଜ କୁଳପୁରୋହିତ ବିଶିଷ୍ଠଙ୍କୁ ନ ମାନି ତ୍ରିଶଙ୍କୁ ବିଶ୍ୱାମିତ୍ରଙ୍କ ଶରଣାପନ୍ନ ହୋଇଥିଲେ । ବିଶ୍ୱାମିତ୍ର ଏହାଙ୍କୁ ସଶରୀରରେ ସ୍ୱର୍ଗକୁ ପଠାଇଥିଲେ । କିନ୍ତୁ ଦେବତାମାନେ ତାହାଙ୍କୁ ତଳକୁ ଖସାଇ ଦେବାରୁ ବିଶ୍ୱାମିତ୍ର ଊର୍ଦ୍ଧ୍ୱରେ ନକ୍ଷତ୍ରଲୋକ ସୃଷ୍ଟିକରି ସେମାନଙ୍କ ମଧ୍ୟରେ ତ୍ରିଶଙ୍କୁଙ୍କୁ ଅବସ୍ଥିତ କରାଇଲେ । ଏଣୁ ଅନୁମିତ ହୁଏ ଯେ ବିଶ୍ୱାମିତ୍ରଙ୍କ ମତରେ ମନୁଷ୍ୟ ସଶରୀରରେ ସ୍ୱର୍ଗକୁ ଯାଇପାରେ । ଏହା ବୌଦ୍ଧ ମତ । ଏଣୁ ବୁଦ୍ଧ ଧର୍ମ ଓ ସଂଘକୁ ତ୍ରିଲିଙ୍ଗ ରୂପରେ ଗ୍ରହଣ କରାଯାଇପାରେ । ଜୈମିନୀ କହନ୍ତି ଯେ ବିଶ୍ୱର ମିତ୍ର ହେବାପାଇଁ ଯେଉଁ ଯେଉଁ ସୂକ୍ତରେ ଉକ୍ତ ଅଛି ସେଗୁଡ଼ିକର ନାମ ‘ବିଶ୍ୱାମିତ୍ର’ । ଐତରେୟ ବ୍ରାହ୍ମଣରେ କଥିତ ଅଛି ଯେ ବିଶ୍ୱାମିତ୍ର ନିଜର ପଚାଶ ପୁତ୍ରଙ୍କୁ ଆର୍ଯ୍ୟବସତିର ସୀମାପ୍ରାନ୍ତରେ ବାସ କରିବାକୁ ଅଭିଶାପ ଦେଇଥିଲେ । ଏମାନଙ୍କ ମଧ୍ୟରୁ ଆନ୍ଧ୍ର, ପୁଣ୍ଡ୍ର, ଶବର, ମୁତିବ ଓ ଅନ୍ୟ କେତେକ ଦସ୍ୟୁଥିଲେ । ଅନ୍ଧମୁନି ଦୀର୍ଘତମାଙ୍କ ଅନ୍ଧକାରରୁ ସୃଷ୍ଟିଜାତ ବୋଲି ଯେଉଁମାନେ ବିଶ୍ୱାସ କରୁଥିଲେ, ସେମାନେ ଆନ୍ଧ୍ର ଥିବାର ଅନୁମିତ ହୁଏ । ବୌଦ୍ଧଜାତକାନୁସାରେ ତେଲବାହା ନଦୀ ଆନ୍ଧ୍ର ରାଜ୍ୟରେ ପ୍ରବାହିତ । ତେଲନଦୀ ସମ୍ୱଲପୁର ଜିଲା ଓ କଳାହାଣ୍ଡି ଜିଲା ମଧ୍ୟରେ ପ୍ରବାହିତ ହୋଇ ମହାନଦୀରେ ପଡ଼ିଅଛି । ବୌଦର ତାମ୍ରଶାସନରେ ଆଶୀର୍ବାଦ ଅଛି ଯେ ହରଙ୍କର ଭୈରବ ବପୁ ଅନ୍ଧକାସୁରର ମହାରାଜନ ଛତ୍ରତଳରୁ ଆପଣମାନଙ୍କୁ ରକ୍ଷାକରନ୍ତୁ । ଭୈରବଙ୍କର ଗୋଟିଏ ପାଦ । ଏହି ପାଦଟି ସମ୍ଭବତଃ ଏକ ବ୍ରହ୍ମଙ୍କ ଅସ୍ତିତ୍ୱ ସୂଚାଉଅଛି । ବୌଦ୍ଧମାନଙ୍କ ଶୂନ୍ୟଅନ୍ଧକାର ବାଦରୂପ ଅନ୍ଧକାସୁର ବେଦାନ୍ତର ଅଦ୍ୱୈତବାଦଦ୍ୱାରା ଲୋପ ପାଇଥିଲା କି ? ତାମ୍ରଶାସନରେ ଉକ୍ତ ଅଛି :–

 

‘‘ସଂହାର କାଳହୁତଭୁରାବିକରାଳଘୋରସମ୍ଭ୍ରାନ୍ତ

କିଙ୍କରକୃତାନ୍ତନିତାନ୍ତଭିନ୍ନୀ ।

ଭିନ୍ନାନ୍ଧକାସୁର-ମହାଗହନାତପତ୍ରାତ୍ତିଦ୍‌ ଭୈରବବପୁଃ

ଭବତି ପ୍ରପାତୁ ।’’

 

‘‘ପ୍ରଳୟକାଳର ଅଗ୍ନି ପରି ଭୟଙ୍କର– (ଘୋର) ଅତିଶୟ ମହତ୍‌ ଓ ତାହାଙ୍କ ଭୃତ୍ୟ ଯମଠାରୁ ଅତିଶୟ ପୃଥକ୍‌ ହରଙ୍କର ଭୈରବବପୁ ଦଳିତ ହୋଇଥିବା ଅନ୍ଧକାସୁରର ବଡ଼ ନିବିଡ଼ ଛତ୍ର ତଳରୁ ଆପଣମାନଙ୍କୁ ରକ୍ଷା କରନ୍ତୁ ।’’

 

ବୌଦଠାରେ ଅନ୍ଧକାସୁରର ମତ ପ୍ରଚଳିତ ଥିବାର ତାମ୍ରଶାସନରେ ମଧ୍ୟ ଉଲ୍ଲେଖ ଅଛି :–

 

ଦୁର୍ବାରବାରଣପ୍ରତିପକ୍ଷପକ୍ଷାତ୍‌ ଲକ୍ଷ୍ମୀହଂହରଣକଳାସୁ

ପ୍ରସୂତଭଞ୍ଜନରାଧିପତୟୋବହବୋ ବଭୂବୁଃ ।’’

 

ଦୁର୍ଦ୍ଦାନ୍ତ ଗଜଯୁଦ୍ଧରେ ପ୍ରତିପକ୍ଷ ହୋଇଥିବା ସିଂହପକ୍ଷ ହୋଇଥିବା ଲୋକଙ୍କ ନାରୀମାନଙ୍କୁ ଭୋଜବିଦ୍ୟାରେ ହରଣ କରିବାରୁ ବହୁଭଞ୍ଜ ରାଜା ଜନ୍ମ ଲଭିଥିଲେ ।

 

ମହୀଶୂରର ରାବଲିଯୋଗୀଙ୍କ ଶାସ୍ତ୍ରରେ ନାରୀହରଣ କରିବା ପାଇଁ ନିର୍ଦ୍ଦେଶ ଅଛି । ରାବଲ ନାମଟି ଯଦି ରାବଣ ନାମରୁ ରୂପାନ୍ତରିତ ହୋଇଥାଏ ଓ ରାବଣର ପତ୍ନୀ ମନ୍ଦୋଦରୀର ଅର୍ଥ ସିଂହବନ୍ଧ ହୋଇଥିଲେ ସିଂହ ସମ୍ପ୍ରଦାୟ ନାରୀହରଣ କରୁଥିଲେ ବୋଲି କହିବାକୁ ହେବ । ସେଥିପାଇଁ ତାନ୍ତ୍ରିକମାନେ ସିଂହକୁ ଦୁର୍ଗାଙ୍କର ବାହନ କରି ରଖିଅଛନ୍ତି । ସଂସ୍କୃତ କଥାସରିତ୍‌ ସାଗର ଅନୁସାରେ ମନୁଷ୍ୟ ଶରୀରରେ ସ୍ୱର୍ଗକୁ ଯିବାର ପଥର ଆନ୍ଧ୍ରରାଜଙ୍କ ମନ୍ତ୍ରୀ ନାଗାର୍ଜୁନ ଆବିଷ୍କାର କରିଥିଲେ । ଏଣୁ ଏ ବିଶ୍ୱାମିତ୍ରଙ୍କ ମତର ପଥିକ । ନାଗାର୍ଜୁନ ବୌଦ୍ଧ ଥିବାର ଅନ୍ୟତ୍ର ପ୍ରମାଣ ଦିଆଯାଇଅଛି ।

 

ପୌରାଣିକ ଉକ୍ତି ଅନୁସାରେ ଅଗସ୍ତ୍ୟମୁନି ଦାକ୍ଷିଣାତ୍ୟରେ ଆର୍ଯ୍ୟସଭ୍ୟତା ପ୍ରଚାର କରିଥିଲେ । ତାମିଲୀମାନେ ଶିବଲିଙ୍ଗକୁ ଅଗସ୍ତ୍ୟେଶ୍ୱର ନାମରେ ପୂଜା କରନ୍ତି ଓ ଅଗସ୍ତ୍ୟ ନକ୍ଷତ୍ରକୁ ତାମିର କହନ୍ତି । ଏଣୁ ଅଗସ୍ତ୍ୟ- ମୁନିଙ୍କ ପ୍ରଚାରିତ ସଂସ୍କୃତି ତାମିର ବା ତାମିଲୀ ନାମରେ ଅଭିହିତ ହୋଇଥିବାର ଅନୁମିତ ହୁଏ । ତାମିର ନାମଟି ତିମିର ଶବ୍ଦରୁ ରୂପାନ୍ତରିତ ହୋଇଥିଲେ ଅଗସ୍ତ୍ୟମୁନି ଅନ୍ଧକାରରୁ ସୃଷ୍ଟିର ଉତ୍ପତ୍ତିବୋଲି ପ୍ରଚାର କରିଥିବେ । ବର୍ଷାଋତୁର ଘନ-ଅନ୍ଧକାର ଆକାଶରୁ ତିରୋହିତ ହେଲେ ଶରତ୍‌କାଳରେ ନିର୍ମଳ ଆକାଶରେ ଅଗସ୍ତ୍ୟ ନକ୍ଷତ୍ରର ଉଦୟ । ସେ ଯାହାହେଉ ଓଡ଼ିଶାରେ ଅଗସ୍ତ୍ୟଗୋତ୍ରୀ ବ୍ରାହ୍ମଣଙ୍କ ସଂଖ୍ୟା ଅତି ଅଳ୍ପ ହେଲେ ମଧ୍ୟ ପାନଚାଷ କରୁଥିବା ତାମ୍ବୁଳୀଙ୍କ ସଂଖ୍ୟା ଅଳ୍ପ ନୁହେଁ । ଏମାନେ ତେଲୁଗୁ ତାମିଲୀଭାଷା ବ୍ୟବହାର କରୁ ନ ଥିଲେ ମଧ୍ୟ କନ୍ଧ, ଗଣ୍ଡ ପ୍ରଭୃତି ଦ୍ରାବିଡ଼ୀଭାଷା ବ୍ୟବହାର କରୁଥିବା ଜାତି ଓଡ଼ିଶାରେ ବହୁକାଳ ହେଲା ବାସ କରୁଛନ୍ତି ।

 

ଇଂରେଜୀରେ m ଉଚ୍ଚାରଣ କଲାବେଳେ b-ର ଧ୍ୱନି ଆଗମ ହୁଏ । ଯଥା–Neumerus (Latin) Number, Sluma (Old English) Slumber. thum (Old English) Thumb, Humils (Old English) Humble. ସଂସ୍କୃତ ତାମ୍ର, ଆମ୍ର ପ୍ରଭୃତି କେତେ ଶବ୍ଦ ଓଡ଼ିଶାରେ ବହୁକାଳ ତାମ୍ବ୍ର, ଆମ୍ବ୍ରରୂପରେ ଲିଖିତ ଓ ଉଚ୍ଚାରିତ ହୋଇ ତହିଁରୁ ତମ୍ବା ଆମ୍ବ ଶବ୍ଦମାନଙ୍କର ଉତ୍ପତ୍ତି ଘଟିଅଛି । ଏଣୁ ନୀଳଗିରି, କେନ୍ଦୁଝର ପ୍ରଭୃତିରେ ବାସକରୁଥିବା ତାମ୍ବୁଳୀଜାତିର ନାମ ସମ୍ବବତଃ ତାମ୍ରଲିପ୍ତ ନାମରୁ ଉତ୍ପନ୍ନ । ଭରତଙ୍କ ସମଭିବ୍ୟାହାରରେ ଚିତ୍ରକୂଟକୁ ଆସୁଥିବା ଅନେକ ଲୋକ ତାମ୍ରରେଣୁ ରଞ୍ଜିତ ଥିବାର ରାମାୟଣରେ ବର୍ଣ୍ଣିତ ଅଛି । ଦାକ୍ଷିଣାତ୍ୟର ତାମ୍ରପର୍ଣ୍ଣିଠାରେ ସମ୍ଭବତଃ ତାମ୍ରପତ୍ରରେ ଖୋଦିତ ତାନ୍ତ୍ରିକ ଯନ୍ତ୍ର-ପୂଜା ପ୍ରଚଳିତ ଥିଲା । ଏଣୁ ତାମିଲୀ ନାମଟି ତାମ୍ରଲିପ୍ତ ନାମରୁ ଉତ୍ପନ୍ନ ବୋଲି କୁହାଯାଇପାରେ ।

 

ଭାରତରେ ରାଜ୍ୟ ଓ ଭାଷାମାନଙ୍କର ନାମ ଜାତିଗତ ନୁହେଁ-ଧର୍ମଗତ ଅଟେ । ପୁରାଣ ଅନୁସାରେ କଳିଙ୍ଗରାଜ୍ୟ ବଙ୍ଗକୁ ଲାଗିଥିଲା । କାଳିଦାସଙ୍କ ରଘୁବଂଶ ଅନୁସାରେ କଂସାଇ ନଦୀ ପାରହେବା ଉତ୍ତାରୁ ଉତ୍କଳମାନେ ରଘୁଙ୍କ ସୈନ୍ୟମାନଙ୍କୁ କଳିଙ୍ଗଙ୍କୁ ବାଟ ଦେଖାଇ ଦେଇଥିଲେ । ବୌଦ୍ଧସାହିତ୍ୟ ଅନୁସାରେ ଉତ୍କଳ ବର୍ଷର ଦୁଇ ଜଣ ଭୂୟାଁ ଉରୁବିଳ୍ୱଠାରେ ବୁଦ୍ଧଙ୍କୁ ଭେଟିଥିଲେ । ତାହାହେଲେ ବାଲେଶ୍ୱରର ଉତ୍ତରରେ ଓ ମୟୂରଭଞ୍ଜର ଉତ୍ତର-ପଶ୍ଚିମରେ ଉତ୍କଳଜାତି ବାସ କରୁଥିଲେ । ସପ୍ତମ ଶତାବ୍ଦୀର ଭୌମ ତାମ୍ରଶାସନରୁ ଜଣାଯାଏ ଯେ ସେତେବେଳେ ବାଲେଶ୍ୱର ପଞ୍ଚମାଳ ପ୍ରଗଣା ପଞ୍ଚାଳ ନାମରେ ଅଭିହିତ ହେଉଥିଲା । * ଏଠାରେ ପଞ୍ଚାଳ ରାଜ୍ୟ ଅବସ୍ଥିତ ଥିବାର ଅନ୍ୟାନ୍ୟ ପ୍ରମାଣ ଅଛି । ଦତ୍ତରାଜାଙ୍କ ତାମ୍ର-ଶାସନରୁ ଜଣାଯାଏ ଯେ ବାଲେଶ୍ୱର ଜିଲାରେ ‘ଉଡ଼୍ର’ ନାମରେ ଗୋଟିଏ ବିଷୟ ଷଷ୍ଠ ଶତାବ୍ଦୀରେ ଅବସ୍ଥିତ ଥିଲା ଓ ବାଲେଶ୍ୱର ଜିଲା ଉତ୍ତର ତୋଷଳା ନାମରେ ଅଭିହିତ ହେଉଥିଲା । ଏଥିରୁ ଅନୁମତି ହୁଏ ଯେ ଏକ ଭୌଗୋଳିକ ଅବସ୍ଥାନ ମଧ୍ୟରେ ବିଭିନ୍ନ ଧର୍ମ ସମ୍ପ୍ରଦାୟ ଅବସ୍ଥାନ କରୁଥିଲେ । ଉତ୍କଳରେ ବିଭିନ୍ନ ସଂପ୍ରଦାୟ ବାସ କରୁଥିବାରୁ ହୁୟେନସାଂଙ୍କ ଭ୍ରମଣ-ବୃତ୍ତାନ୍ତରୁ ମଧ୍ୟ ଜଣାଯାଏ । ଏକ ରାଜ୍ୟର ରଙ୍ଗମଞ୍ଚରେ ବିଭିନ୍ନ ବ୍ୟବସାୟର ଅଭିନେତା ବିଭିନ୍ନ ପ୍ରାକୃତିକ ଭାଷାରେ କଥା କହିବାପାଇଁ ସଂସ୍କୃତ ଅଳଙ୍କାର ଶାସ୍ତ୍ରମାନଙ୍କରେ ଉଲ୍ଲିଖିତ ଅଛି । ସାହିତ୍ୟଦର୍ପଣ ଅନୁସାରେ ରାଜାଙ୍କ ଅନ୍ତଃପୁରର ଚାକର-ଚାକରାଣୀମାନେ ମାଗଧୀ ଓ ପଦାତିକମାନେ, ରାଜକୁମାର-କୁମାରୀମାନେ, ବଣିକ୍‌ମାନେ ଅର୍ଦ୍ଧମାଗଧୀ ଏବଂ ବିଦୂଷକ ଓ ଅନ୍ୟମାନେ ପ୍ରାଚ୍ୟା ପ୍ରାକୃତ ବ୍ୟବହାର କରୁଥିଲେ ।

 

*

Orissa under the Bhauma kings-Plate A. ପ୍ରବାସୀ, ଶ୍ରାବଣ, ୧୯୪୩, ପୃ.୨୯୧ ଓ ପରବର୍ତ୍ତୀ

 

ଅସ୍ତ୍ରରେ ଧାରଦେବା ଲୋକେ ଯୋଦ୍ଧା ଓ ଧୂର୍ତ୍ତମାନେ ଆଦନ୍ତକୀ, ଜୁଆଖେଳାଳିମାନେ ଦାକ୍ଷିଣାତ୍ୟା, ଶକାରମାନେ ଓ ଅନ୍ୟାନ୍ୟମାନେ ଶାକାରୀ, ସ୍ୱର୍ଗର ବ୍ୟକ୍ତିମାନେ ବାଲହଜୀ, ଦ୍ରାବିଡ଼ମାନେ ଦ୍ରାବିଡ଼ୀ, ଗଉଡ଼ମାନେ ଆଭୀରୀ ଓ ଅନ୍ତ୍ୟଜମାନେ ଚାଣ୍ଡାଳକୀ ଭାଷା ବ୍ୟବହାର କରୁଥିଲେ । ଏହିପରି ପୈଶାଚୀ ଓ ଶୌରସେନୀ ଅନ୍ୟାନ୍ୟ ଅଭିନେତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଥିଲା । ତେଟୀ, ଅନୀଚ ଅଭିନେତା, କୃତାତ୍ମା ଓ ସେପରି ଉଚ୍ଚଶ୍ରେଣୀର ଯୋଷା ଶୌରସେନୀ ଏବଂ ରାଜା, ମନ୍ତ୍ରୀ ଓ ସନ୍ନ୍ୟାସିନୀମାନେ ସଂସ୍କୃତଭାଷା ବ୍ୟବହାର କରିବାପାଇଁ ନିର୍ଦ୍ଦେଶ ଅଛି । ବରରୁଚି ପ୍ରଥମେ ପ୍ରକୃତ ବ୍ୟାକରଣ ଲେଖିଥିଲେ । ସେ ଚାରୋଟି ପ୍ରାକୃତର ଲକ୍ଷଣ ଲେଖିଅଛନ୍ତି । ସେଥିମଧ୍ୟରୁ ମହାରାଷ୍ଟ୍ରୀ ପ୍ରାକୃତର ବହୁ ଲକ୍ଷଣ ଲେଖିଅଛନ୍ତି ଓ ଏହା ଶିଷ୍ଟଭାଷା ବୋଲି ଏହି ପ୍ରାକୃତରେ ସେତୁବନ୍ଧ ଗୌଡ଼ବଧ, କୁମାରପାଳ-ଚରିତ ପ୍ରଭୃତି ମହାକାବ୍ୟମାନ ରଚିତ ହୋଇଅଛି-। ହୋରକ୍‌ଲି ସାହେବ ମରହଟ୍ଟାମାନଙ୍କ ରାଜ୍ୟର ଭାଷା ସହିତ ତୁଳନାକରି କହିଅଛନ୍ତି ଯେ ଏ ଭାଷା ସହିତ ମହାରାଷ୍ଟ୍ରୀ ପ୍ରାକୃତର କୌଣସି ସାଦୃଶ୍ୟ ନାହିଁ ଓ ଏ ଭାଷା ସମଗ୍ର ଆର୍ଯ୍ୟାବର୍ତ୍ତର ଶିଷ୍ଟ ସମାଜରେ ପ୍ରଚଳିତ ଥିଲା । ଆର୍ଯ୍ୟାବର୍ତ୍ତ ଭାରତର କେଉଁ ଅଂଶ ? ମନୁସଂହିତା ଅନୁସାରେ ପୂର୍ବ ଓ ପଶ୍ଚିମ ସମୁଦ୍ରର ମଧ୍ୟବର୍ତ୍ତୀ ଭୂଭାଗ ଆର୍ଯ୍ୟାବର୍ତ୍ତ । ମହାରାଷ୍ଟ୍ରର ଅର୍ଥ ପୃଥୁ ବା ବିରାଟ । ପୃଥୁରାଜା ହୋଇ ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳା ସମୁଦ୍ର ଆଡ଼କୁ ଘୁଞ୍ଚାଇ ତନ୍ମଧ୍ୟବର୍ତ୍ତୀ ଭୂଭାଗକୁ ଜନବସତିର ଉପଯୋଗୀ କରିଥିଲେ । ଏହାର ଅର୍ଥ ସମୁଦ୍ରକୂଳବର୍ତ୍ତୀ ସମତଳ ପ୍ରଦେଶର ଜାତି ଆସି ପାର୍ବତ୍ୟ ଭୂଭାଗର ଆଦିବାସୀଙ୍କ ସହିତ ମିଶି ମୃତ୍ତିକାରୁ ଶସ୍ୟ ଉତ୍ପାଦନ କରି ବହୁବିଧ ଉନ୍ନତି କରିଥିଲେ । ପୃଥୁଧର୍ମ ଅନୁସାରେ ଆଦିବାସୀଙ୍କ ସଂଶ୍ରବରେ ବୈଦିକ ଭାଷାର ପରିବର୍ତ୍ତନ ଘଟିଲା । ଏହି ପରିବର୍ତ୍ତିତ ଭାଷା ପାଲି ନାମରେ ଅଭିହିତ । ‘ପା’-ର ଅର୍ଥ ରକ୍ଷା । ‘ଲ’-ର ଅର୍ଥ ପୃଥିବୀ ବା ନାରୀ । ବଳିଙ୍କ ଅତ୍ୟାଚାରରୁ ରକ୍ଷା କରାଯାଇଥିବା ନାରୀଙ୍କ ମୁଖରେ ପରିବର୍ତ୍ତିତ ବୈଦିକ ଭାଷା ପାଲି ନାମରେ ଅଭିହିତ । ଏହି ପାଲିରୁ ମହାରାଷ୍ଟ୍ରୀ ପ୍ରାକୃତ-ଯହିଁରୁ ଅର୍ଦ୍ଧମାଗଧୀ ଉତ୍ପନ୍ନ । ଅର୍ଦ୍ଧମାଗଧୀରୁ ଅନ୍ୟାନ୍ୟ ପ୍ରାକୃତିର ଉତ୍ପତ୍ତି ।

 

ମହାଭାରତର ବନପର୍ବରେ (ଅ.୮୩) ଦକ୍ଷିଣରେ ପୃଥୂଦକ ନାମରେ ଗୋଟିଏ ତୀର୍ଥ ଥିବାର କୁହାଯାଇଅଛି–

 

‘‘ପୃଥୂଦକ ମିତିଖ୍ୟାତଂ କାର୍ତ୍ତିକେୟସ୍ୟ ବୈ ନୃପ ।

ତନ୍ତ୍ରାଭିଷେକଂ କୁର୍ବୀତ ପିତୃ ଦେବାର୍ଚ୍ଚନେ ରତଃ ।।

ପୁଣ୍ୟମାହୁଃ କୁରୁକ୍ଷେତ୍ରଂ କୁରୁକ୍ଷେତ୍ରାତ୍‌ ସରସ୍ୱତୀମ୍‌ ।

ସରସ୍ୱତ୍ୟାଶ୍ଚ ତୀର୍ଥାନୀ ତୀର୍ଥେଭ୍ୟଶ୍ଚ ପୃଥୂଦକମ୍‌ ।’’

 

ପୃଥୂଦକ, କୁରୁକ୍ଷେତ୍ର, ସରସ୍ୱତୀ ପ୍ରଭୃତିର ଗୂଢ଼ ଅର୍ଥ ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ । ଏହି ତୀର୍ଥଟି ଅବଶ୍ୟ ପୁରୀ । ଆଚାର୍ଯ୍ୟ ବରୁଆ ଖାରବେଳଙ୍କ ଶିଳାଲିପିର ପିଥଡ଼ଗ ସମ୍ପର୍କରେ ମହାଭାରତର ପୃଥୂଦକ ନାମଟି ଉଲ୍ଲେଖ କରି ଦୁଇ ନାମ ଏକ ବୋଲି ନ କହିବାର କାରଣ ଜଣାଯାଏ ନାହିଁ । ଯାହାହେଉ, ଏଠାରେ ପୃଥୁଧର୍ମ ପ୍ରଚାରିତ ହୋଇଥିଲା ଓ ପଦ୍ମପୁରାଣ ଅନୁସାରେ ଏଠାରୁ ଚାରଣ ବା ଭ୍ରମଣକାରୀ ଗାୟକମାନଙ୍କୁ କଳିଙ୍ଗରାଜ୍ୟକୁ ତଡ଼ି ଦିଆଯାଇଥିଲା । ଶିଳାଲିପିରେ ଲେଖାଅଛି–

 

ପୂର୍ବଶିରୀ ନିବେସିତଂ ପିଥୁଡ଼ଗ-ଦଭ-ନଗ-ଲୀନଂ

କାସୟତି ଜନପଦ ଭବନଂ ଚ ।

 

ଖାରବେଳଙ୍କ ବହୁ ପୂର୍ବରୁ ବେଦ ରଚନା ପୂର୍ବରୁ ପୃଥୁଧର୍ମ ପ୍ରଚାରିତ ହୋଇଥିବାରୁ ବେଦରେ ପ୍ରାଣୀମାନଙ୍କ ଆବାସ-ଭୂମିକୁ ପୃଥିବୀ କୁହାଯାଇଅଛି ।

 

ଲକ୍ଷ୍ମୀଧରଙ୍କ ଷଡ଼୍‌ ଭାଷାର ଉକ୍ତି ସହିତ ସାହିତ୍ୟ-ଦର୍ପଣର ଉକ୍ତି ତୁଳନା କଲେ ଜଣାଯାଏ ଯେ କୌଣସି ରାଜ୍ୟରେ ଗୋଟିଏ ପ୍ରାକୃତ ସୀମାବଦ୍ଧ ନ ଥିଲା । ଲକ୍ଷ୍ମୀଧର ଲେଖିଛନ୍ତି–

 

‘‘ପାଣ୍ଡ୍ୟ କେରଳ-ବାହ୍ଲିକ-ସହ୍ୟ-ନେପାଳ-କୁନ୍ତଳାଃ

ସୁଦେଶ-ଭୋଟ-ଗାନ୍ଧାର-ହୈବ କନ୍ମୋଜି ନାସ୍ତଥା ।।

ଏତେ ପିଶାଚ ଦେଶାଃ ସ୍ୟୁଃ- ।’’

 

ଭାରତର ଶେଷ ଉତ୍ତର ସୀମା ନେପାଳର ଓ ଭାରତର ଶେଷ ଦକ୍ଷିଣ ସୀମା ପାଣ୍ଡ୍ୟରେ ପୈଶାଚୀ ଭାଷା ପ୍ରଚଳିତ ଥିଲେ ମଧ୍ୟବର୍ତ୍ତୀ ରାଜ୍ୟମାନଙ୍କରେ ପ୍ରଚଳିତ ନ ଥିବା ଅସମ୍ଭବ । ପୁଣି ସାହିତ୍ୟ-ଦର୍ପଣ ଅନୁସାରେ ସ୍ୱର୍ଗର ବ୍ୟକ୍ତିମାନଙ୍କର ବାହ୍ଲିକ୍ୟ କଥିତ ପ୍ରାକୃତ ହେଲେ ବାହ୍ଲିକ ରାଜ୍ୟର ଭାଷା ପୈଶାଚୀ ପ୍ରାକୃତ ହୋଇ ନ ପାରେ । ଦେବ-ପ୍ରକୃତିର ବ୍ୟକ୍ତିମାନେ ପିଶାଚ- ସମାଜରେ ରହି ସେମାନଙ୍କୁ ସଦାଚାର ଶିଖାଉଥିଲେ । ଓଡ଼ିଆରେ ‘ପିଶାଚ’ ଶବ୍ଦ ‘ପିତାସ’ ରୂପରେ ଉଚ୍ଚାରଣ କରନ୍ତି । ‘ପିତାସ ଖାଉ’ ଅଭିଶାପର ଅର୍ଥ ବାଘ ଖାଉ । ଏଣୁ ପିଶାଚ-ଜାତି ବୟାଘ୍ର ପଦ୍ୟ ଭୀଷ୍ମଙ୍କ କୁମାର ସମ୍ପ୍ରଦାୟ ହୋଇ ପାରନ୍ତି । କାରଣ ଭାଦ୍ର କୃଷ୍ଣ ପଞ୍ଚମୀ ଦିନ ରାତ୍ରିରେ ଜନସମାଜକୁ ଅନ୍ଧାକାସୁରର ଉପଦ୍ରବରୁ ରକ୍ଷା କରିଥିବା ଭୈରବଙ୍କୁ ପୂଜା କରି ବାଘ ଖାଇବା ପାଇଁ ଚକୁଳିରୁ ଖଣ୍ଡେ ଦାଣ୍ଡକୁ ଫିଙ୍ଗାଯାଏ ।

•••

 

Unknown

ଦ୍ୱିତୀୟଅଧ୍ୟାୟ

ଓଡ଼ିଆ ଭାଷାର ଉତ୍ପତ୍ତି-ପଥ

 

ବେଦ ଯେଉଁ ଭାଷାରେ ରଚିତ, ସେ ଭାଷା କଥିତ ଭାଷା ଥିଲା ବୋଲି କୁହାଯାଇ ନ ପାରେ । କାରଣ ସବୁ ଦେଶରେ, ସବୁ ଯୁଗରେ ସାହିତ୍ୟର ଭାଷା କଥିତ ଭାଷାଠାରୁ ପୃଥକ୍‌ ହୁଏ । ବୈଦିକଯୁଗର କଥିତ ଭାଷାକୁ ଆର୍ଷ ଅପଭ୍ରଂଶ ଆଖ୍ୟା ଦିଆଯାଇଅଛି । ଏହି ଆର୍ଷ ଅପଭ୍ରଂଶରୁ ପ୍ରାକୃତ ଅପଭ୍ରଂଶର ଉତ୍ପତ୍ତି ହୋଇଅଛି । ପ୍ରାକୃତ ଅପଭ୍ରଂଶ ମାର୍ଜିତ ହୋଇ ସାହିତ୍ୟର ପ୍ରାକୃତ ପ୍ରକୃତଭାଷାରେ ସଂରକ୍ଷିତ ଅଛି । ସଂସ୍କୃତରୁ ପ୍ରାକୃତର ଉତ୍ପତ୍ତି ଘଟିଥିଲେ ସଂସ୍କୃତରେ ଅପ୍ରଚଳିତ ପ୍ରୟୋଗ ଭାଷାର ପ୍ରକୃତି ବୋଲି କହିଅଛନ୍ତି । କିନ୍ତୁ ପ୍ରାଚୀନ କାଳରେ ବାକ୍‌ ପ୍ରଭୃତି କେତେକ କେତେକ ଭାଷାବିତ୍‌ ଏହାର ପ୍ରତିକୂଳ ମତ ପୋଷିଥିଲେ । ଲୌକିକ ସଂସ୍କୃତରେ ଅପ୍ରଚଳିତ ବହୁ ବୈଦିକ ପ୍ରୟୋଗ ପ୍ରାକୃତରେ ସ୍ଥାନ ପାଇ ନ ଥାନ୍ତା ।

 

ବୈଦିକ ଭାଷାରେ ପ୍ରଥମାର ଏକ ବଚନରେ ଓକାରର ପ୍ରୟୋଗ ଦେଖାଯାଏ–ଯଥା, ‘ସଂବତ୍ସରୋ ଅଜାୟତ୍‍’ । ସଂସ୍କୃତରେ ପରବର୍ତ୍ତୀ ଅକାର ମିଶି ପୂର୍ବବର୍ତ୍ତୀ ବିସର୍ଗ ଓକାର ହୁଏ । କିନ୍ତୁ ଏଠାରେ ଅକାର ନ ମିଶି ପୂର୍ବବର୍ତ୍ତୀ ପଦ ଓକାରାନ୍ତ । ଏହିପରି ପ୍ରାକୃତରେ ପ୍ରଥମା ଏକ ବଚନରେ ଚିହ୍ନ ଓକାର:- ଯଥା, ଦେବୋ, ବଚ୍ଛୋ ଇତ୍ୟାଦି । ତୃତୀୟରେ ବହୁବଚନରେ ବୈଦିକ ଭାଷାରେ ପୂର୍ବେଭିଃ, ଦେବକର୍ମେଭିଃ, ଦେବେଭିଃ ପ୍ରଭୃତି ପଦ ଓ ପ୍ରାକୃତରେ ପୁବେ୍‌ବହି, ଦେବକମ୍ମେହି, ଦେବେହି ପ୍ରଭୃତି ପଦ ଦୃଷ୍ଟ ହୁଏ । ସଂସ୍କୃତରେ ତୃତୀୟା ବହୁବଚନର ଚିହ୍ନ ‘ଭିସ୍‌’ ହୋଇଥିଲେ ମଧ୍ୟ ଏହା ‘ଐଃ’ ହୋଇ ପୂର୍ବେଃ, ଦେବକର୍ମ୍ମେଃ, ଦେବୈଃ ପ୍ରଭୃତି ପଦ ନିଷ୍ପନ୍ନ ହୁଏ ।

 

ପଞ୍ଚମୀର ଏକ ବଚନରେ ବୈଦିକ ଭାଷାରେ ‘ଉଚା’, ‘ନୀଚା’, ‘ପଶ୍ଚା’ ପ୍ରଭୃତି ପଦ ଯେପରି ଦେଖାଯାଏ, ପ୍ରାକୃତରେ ‘ଦେବା’, ‘ବଚ୍ଛା’, ‘ପଚ୍ଛା’ ପ୍ରଭୃତି ପଦ ସେହିପରି ଦେଖାଯାଏ । ବୈଦିକ ଭାଷାରେ ପଞ୍ଚମୀରେ ଚିହ୍ନ ନ ଥିବାରୁ ପ୍ରାକୃତରେ ସଂସ୍କୃତରେ ବ୍ୟବହୃତ ପଦର ଅନ୍ତ୍ୟବ୍ୟଞ୍ଜନ ‘ତ୍‌’ ଲୋପ ପାଇଛି ବୋଲି କୁହାଯାଇ ପାରିବ ନାହିଁ ।

 

ଚତୁର୍ଥୀ ବିଭକ୍ତିର ସ୍ଥାନରେ ବୈଦିକ ଭାଷାରେ ବିକଳ୍ପେ ଷଷ୍ଠୀ ବିଭକ୍ତିର ବ୍ୟବହାର ଦେଖାଯାଏ । ପାଣିନି କହିଛନ୍ତି, ‘‘ଚତୁର୍ଥଥେ ବହୁଳ ଛନ୍ଦାସି ୨।୩।୬୨ ପ୍ରାକୃତରେ ଚତୁର୍ଥୀ ସ୍ଥାନରେ ଅବିକଳ୍ପେ ଷଷ୍ଠୀର ପ୍ରୟୋଗ ଦେଖାଯାଏ ।

 

ବୈଦିକ ଭାଷାରେ ବହୁ ସ୍ଥଳରେ ପ୍ରଥମାର ଦ୍ୱିବଚନରେ ଆକାରାନ୍ତ ପଦ ଦୃଷ୍ଟ ହୁଏ । ଇନ୍ଦ୍ରାବରୁଣୌ, ମିତ୍ରାବରୁଣୌ ପ୍ରଭୃତି ସ୍ଥାନରେ ଇନ୍ଦ୍ରା-ବରୁଣା, ମିତ୍ରାବରୁଣା ପ୍ରଭୃତି ପଦମାନଙ୍କର ଅନ୍ତ୍ୟ ଆକାର ବହୁ ବଚନର ଚିହ୍ନ ବୋଲି ଅନୁମତି ହୁଏ । ଏହି ଆକାର ପ୍ରାକୃତରେ ପ୍ରଥମା ବହୁବଚନରେ ବ୍ୟବହୃତ ବୋଲି କହନ୍ତି ।

 

ପରସ୍ପର ସନ୍ନିହିତ ସ୍ୱରଦ୍ୱୟର ସନ୍ଧି ବୈଦିକ ଭାଷାରେ ଇଚ୍ଛାଧୀନ । ଏଣୁ ‘ଦେବ୍ୟାସୌ ଅଦ୍ରୁହଃ’, ପୂଷାଅବିଷ୍ଟ’ ପ୍ରଭୃତି ବାକ୍ୟାଂଶରେ ଓ+ଅ ଅଥବା ଆ+ଅ କରି କିଛି ପରିବର୍ତ୍ତନ କରାଯାଇ ନାହିଁ । ପ୍ରାକୃତରେ ଏହି ପରି ସନ୍ଧିର ଅଭାବ ଦେଖାଯାଏ ।

 

ପାଣିନି ସମ୍ଭବତଃ ଅର୍ଦ୍ଧ-ମାଗଧୀ ପାଲି ପ୍ରାକୃତକୁ ସାହିତ୍ୟରେ ବ୍ୟବହୃତ ହେବା ପାଇଁ ବୈଦିକ ଭାଷାର ଆଦର୍ଶରେ ମାର୍ଜିତ କରିଥିଲେ । ସେହି ଭାଷା ଲୌକିକ ସଂସ୍କୃତ ନାମରେ ଅଭିହିତ ହେଲା । ଲୌକିକ ସଂସ୍କୃତ ଓ ପ୍ରାକୃତ ଏକ କାଳରେ ଦେଶରେ ବ୍ୟବହୃତ ହେଉଥିଲା । ଏଣୁ ନାଟକରେ ଉଚ୍ଚ ଶ୍ରେଣୀର ପାତ୍ର ସଂସ୍କୃତରେ କଥା କହିଲେ ପ୍ରାକୃତ ଭାଷୀ ନୀଚ ଶ୍ରେଣୀର ପାତ୍ର ତାହା ବୁଝି ପାରୁଥିଲା । ଫଳରେ ଲୌକିକ ସଂସ୍କୃତର ଶବ୍ଦ-ସମ୍ଭାରରେ ପ୍ରାକୃତ ପରିପୁଷ୍ଟ ହେଲା । ଯେତେ ଲୋକ ସଂସ୍କୃତ ଭାଷାର ସଂତ୍ସବରୁ ବହୁକାଳ ଦୂରରେ ବାସକଲେ, ସେମାନଙ୍କ ପ୍ରାକୃତ ଭାଷା ଲୌକିକ ସଂସ୍କୃତ ସହିତ ସାଦୃଶ୍ୟ ହରାଇ କ୍ରମଶଃ ସ୍ୱତନ୍ତ୍ର ହେଲା । କର୍ପୂର - ମଞ୍ଜରୀ ପ୍ରଣେତା କବି ରାଜଶେଖର ଲେଖିଛନ୍ତି–

 

‘‘ପରୁଷା ସକ୍‌କିଅବନ୍ଧା ପାଉଜ ବନ୍ଧୋ, ବି ହୋଇସୁଉମାରୋ

ପୁରିସମହିଳାତାଂ ଜେତ୍ତିଅମିହନ୍ତରଂ ତେତ୍ତିଅମିମାତାଂ ।।’’

 

ସଂସ୍କୃତ ଭାଷା ପୁରୁଷ ଓ ପ୍ରାକୃତ ଭାଷା ସୁକୁମାର । ପୁରୁଷ ଓ ମହିଳା ମଧ୍ୟରେ ଯେ ପ୍ରଭେଦ, ଏହି ଦୁଇ ଭାଷା ମଧ୍ୟରେ ସେହି ପ୍ରଭେଦ ।

 

ବୈଦିକ ଭାଷା ନ ଜାଣିଥିବା ନାରୀମାନେ ସେହି ଭାଷା ଶିଖି ତାହାକୁ ଯେ ରୂପରେ କଥିତ ଭାଷା କଲେ, ସେ ରୂପର ଭାଷା ପାଲି ବା ମହାରାଷ୍ଟ୍ରୀ ପ୍ରାକୃତ ନାମରେ ଅଭିହିତ ହେଲା । ଜର୍ମାନୀର ପିସେଲ୍‌ ସାହେବ ପ୍ରାକୃତ ଭାଷାମାନଙ୍କର ତୁଳନାମୂଳକ ବ୍ୟାକରଣ ଛପାଇ ଅଛନ୍ତି । ତହିଁରେ ଦେଖାଯାଏ, କେତେକ ପ୍ରାକୃତ ବ୍ୟାକରଣରେ ପ୍ରାକୃତଭାଷାକୁ ଲଙ୍କେଶ୍ୱର ବା ଲଙ୍କେଶ୍ୱର ରାବଣ କହନ୍ତି । ଲଙ୍କାର ଅର୍ଥ ବିଟପୀ । ବିଟପୀମାନଙ୍କୁ ଉଚ୍ଚ ରବ କରି ଯେଉଁମାନେ ବୌଦ୍ଧଧର୍ମରେ ଦୀକ୍ଷିତ କରାଉଥିଲେ, ସେମାନେ ରାବଣ । ସେ ଶୁକ ସାରଣଙ୍କୁ ଦୂତ କରି ପଠାଇବାର ମର୍ମ ଏହି ଯେ ଶ୍ୟାମଳ ବର୍ଣ୍ଣ ଓ କୃଷ୍ଣବର୍ଣ୍ଣର ଜାତି ଶୁଆ-ସାରଙ୍କ ପରି ଭାଷା ଶିଖିପାରନ୍ତି । ରାବଣର ଅଶୋକବନ ଥିଲା । ଅଶୋକ-ଲତାର ଲକ୍ଷଣ ମୃଚ୍ଛକଟିକରେ ଦୃଷ୍ଟ ହୁଏ -

 

‘‘ଗୁଣ ପ୍ରବାଳଂ ବିନୟ ପ୍ରଶାଖାଂ ବିଶ୍ରମ୍ଭମୂଳଂ ମହନୀୟ ପୁଷ୍ପମ୍‌ ।

ତଂ ସାଧୁ ବୃକ୍ଷଂ ସ୍ୱଗୁଣୈଃ ଫଳାଢ଼୍ୟଂ ସୁହୃଦ୍‌ ବିହଙ୍ଗା ସୁଖମାଶ୍ରୟନ୍ତି ।’’

 

ପ୍ରବାଳ ବା ନବପଲ୍ଲବ ପରି କୋମଳତାରେ ଅନୁରାଗର ରକ୍ତିମାପୂର୍ଣ୍ଣ ହାସ, ବିନୟ ଅଶୋକବୃକ୍ଷର ନମ୍ରଶୀଳ ପ୍ରଶାଖା ପରି ପ୍ରେମାଳାପ ସେହି ବୃକ୍ଷର ମୂଳ ପରି ଉତ୍ତେଜନାକାରୀ ଓ ତାହାର ଗୁଚ୍ଛବଦ୍ଧ ଫୁଲ ପରି ବହୁ ନାରୀଦ୍ୱାରା ସେ ଗଚ୍ଛମୂଳରେ ଥିବା ପୁରୁଷ ପୂଜ୍ୟ ହେଉଥାଏ । ସେହି ପୁରୁଷକୁ ବିହଙ୍ଗା ବା ନାରୀମାନେ ସୁହୃଦ୍‌ ପଣରେ ଆଶ୍ରୟ କରନ୍ତି ।

 

ନାରୀ ତପସ୍ୱିନୀ ହୋଇ ତପସ୍ୱୀ ସଙ୍ଗରେ ବନବାସ କରିବା ଉଚିତ ନୁହେଁ-ଏହା ରାବଣର ନୀତି ଥିଲା । ନାରୀର ପଦାଘାତର ନୂପୁର-ନିକ୍ୱଣରେ ଅଶୋକ ପ୍ରଷ୍ଫୁଟିତ ହୁଏ ବୋଲି ଯେଉଁ କବି - ପ୍ରସିଦ୍ଧି ଅଳଙ୍କାର ଶାସ୍ତ୍ରମାନଙ୍କରେ ଲିପିବଦ୍ଧ ଅଛି, ତାହାର ଅର୍ଥ ଅଶୋକ ବୃକ୍ଷମୂଳର ପୁରୁଷ ନିକ୍ୱଣ ଶୁଣି ନାରୀକୁ ଆଲିଙ୍ଗନ କରେ । ଏହା ସହିତ ଛାନ୍ଦୋଗ୍ୟୋପାନିଷଦର ବାମଦେବ-ମୈଥୁନ ତୁଳନୀୟ ।

 

ବାଣପୁରର ବଙ୍କାଡ଼ଠାରେ ଅଶୋକ-ବନ ଥିବାର ଓ ସେଠାକୁ ଧୌଳି ଯୋଗୀମାନେ ପାରମ୍ପରିକ ଶୁଦ୍ଧି ନିମନ୍ତେ ଆସୁଥିବାର ଚତୁର୍ଥ ଶତାବ୍ଦୀର ଲିପିରେ ଶିଳାଗାତ୍ରରେ ଖୋଦିତ ଅଛି :–

 

‘‘ଶ୍ରୀବଖର୍ମେ ଖର୍ମଂ ଧୌତିଃ ସୌଭାଗ୍ୟାବନିମେତି ।’’

 

ବେଦାନ୍ତର ବ୍ରହ୍ମବାଦ ଓ ସାଂଖ୍ୟ ପ୍ରକୃତିବାଦ ମଧ୍ୟରେ ଘଟିଥିବା ବିବାଦ ରାମାୟଣାକାରରେ ଚିତ୍ରିତ । ରାବଣର ପୁଷ୍ପକବିମାନ ଆକାଶରେ ଗତି କରୁଥିବାର ଅର୍ଥ ଯେଉଁ ସମ୍ପ୍ରଦାୟ ପୁଷ୍ପପରି ହୃଦୟ କୋମଳ କରୁଥିଲେ, ସେମାନେ ଶୂନ୍ୟବାଦୀ ଥିଲେ । ଚୀନରୁ ଆବିଷ୍କୃତ ବୌଦ୍ଧଗ୍ରନ୍ଥ ଅନୁସାରେ ଆନ୍ଧ୍ରରାଜା ନାଗାର୍ଜୁନ ଓଡ଼ିଶାର ରାଜାଙ୍କୁ ବୌଦ୍ଧ-ଧର୍ମରେ ଦୀକ୍ଷିତ କରିଥିଲେ । ଓଡ଼ିଶାର ଦଣ୍ଡଯାତ୍ରାର ବୀଣାକାରମାନେ ଯେଉଁ ପାରମ୍ପରିକ ପ୍ରବାଦ ସାଇତି ରଖିଛନ୍ତି ତାହା ଅନୁସାରେ ଅର୍ଜୁନ ବାସୁକୀ ନାଗର କନ୍ୟାକୁ ବିବାହ କରିବାରେ ଏହି ଦମ୍ପତିଙ୍କର ଯେଉଁ ସନ୍ତାନ ଜନ୍ମିଲା ସେ ନାଗାର୍ଜୁନ । ଅର୍ଜୁନର ଅର୍ଥ ଶୁକ୍ଳ ବା ଜ୍ଞାନାଲୋକ । ନାଗ ଶୂନ୍ୟବାଦର ପ୍ରବର୍ତ୍ତକ । ଦୁଇ ସମ୍ପ୍ରଦାୟର ମିଳନରେ ମହାଯାନର ଉତ୍ପତ୍ତି ଘଟି ମୂର୍ତ୍ତିପୂଜା ବୌଦ୍ଧ ଧର୍ମରେ ପ୍ରଚଳିତ ହୋଇଥିଲା । ଆନ୍ଧ୍ର ରାଜ୍ୟର ନାଗାର୍ଜ୍ଜୁନ କୋଣ୍ଡାଠାରେ ଯେଉଁ ଶିଳାଲିପି ଆବିଷ୍କୃତ ହୋଇଅଛି, ତାହା ଓଡ଼ିଶାର ରତ୍ନଗିରିରେ ଯୋଗ ସାଧନା କରି ସେଠାକୁ ଯାଇଥିବା ବୋଧିଶ୍ରୀଙ୍କ ଦ୍ୱାରା ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ତତ୍‌ପୂର୍ବରୁ ଖୋଦିତ ହୋଇଥିଲା । * ଏହି ଶିଳା-ଲିପିଟି ପାଲି ପ୍ରାକୃତର ଖୋଦିତ । ପାଲି ପ୍ରାକୃତ ସମଗ୍ର ଭାରତରେ ବ୍ୟବହୃତ ହେଉଥିଲା । ଏଣୁ ଏହାକୁ ମହାରାଷ୍ଟ୍ରୀ ପ୍ରାକୃତ କହୁଥିଲେ । ଏହାକୁ ଅଶ୍ୱଘୋଷ ମାଗଧୀ କହିଥିବାର କାରଣ ଏହି ଯେ ସେତେବେଳେକୁ ମାଗଧୀର ଉତ୍ପତ୍ତି ଘଟିଥିଲା ବୋଲି ସମ୍ଭବତଃ ପାଲି ମାଗଧୀ ମଧ୍ୟରେ ପ୍ରଭେଦ ବାରି ପାରି ନ ଥିଲେ । ଯାହାହେଉ, ଭାଷା ଅପେକ୍ଷା ପାଲି ନାମଟି ଅର୍ବାଚୀନ । ରାମ-ରାବଣ ବିବାଦ କାଳରେ ଏହି ଭାଷା ଭାରତର ଜନସାଧାରଣ ବ୍ୟବହାର କରୁଥିଲେ ବୋଲି ଏହାର ନାମ ପ୍ରାକୃତ ଲଙ୍କେଶ୍ୱରାବଣ ।

 

ରାବଣ ସୀତାଙ୍କୁ ହରଣ କରିବା ପୂର୍ବରୁ ତାହାଙ୍କର ଓ ସ୍ୱାମୀଙ୍କର ବୟସ କେତେ ଜାଣିବାପାଇଁ ପଚାରିଥିଲା । ସୀତା କହିଥିଲେ :–

 

 

‘‘ମମଭର୍ତ୍ତା ମହାତେଜା ବୟସା ପଞ୍ଚବିଂଶକ

ଅଷ୍ଟାଦଶ ବର୍ଷାଣି ମମ ଜନ୍ମନି ଗଣ୍ୟତେ ।’’

 

ସେତେବେଳେ ରାମଙ୍କୁ ପଚିଶ ବର୍ଷ ଓ ସୀତାଙ୍କୁ ଅଠର ବର୍ଷ ବୟସ ହୋଇଥିଲେ କେତେ ବର୍ଷ ବନବାସ ଉତ୍ତାରୁ ସୀତାଙ୍କୁ ରାବଣ ହରିଥିଲା ! ଅଭିଷେକ ପାଇଁ ଉତ୍ସବ ଦିବସରେ କୌଶଲ୍ୟା ରାମଙ୍କର ସତର ବର୍ଷ ବୟସ ବୋଲି କହିଛନ୍ତି–

 

‘‘ଦଶସପ୍ତ ଚ ବର୍ଷାଣି ଜାତସ୍ୟତ ରାଘବ ।

ଅତୀତାନି ପ୍ରକଂଙ୍‌କ୍ଷନ୍ତ୍ୟାମୟ ଦୁଃଖ ପରିକ୍ଷୟଂ’’

 

ସୀତା-ହରଣ କାଳକୁ ରାମ ସୀତାଙ୍କ ଠାରୁ ବୟସରେ ଆଠବର୍ଷ ବଡ଼ ହୋଇଥିଲେ ଅଭିଷେକୋତ୍ସବ ଦିନକୁ ସୀତାଙ୍କର ବୟସ ଦଶବର୍ଷ । କିନ୍ତୁ ଊନବିଂଶ ଶତାବ୍ଦୀରେ ସପ୍ତଦଶକର ସଟୀକ ରାମାୟଣ ପ୍ରକାଶିତ ହୋଇଅଛି ଓ ଏଥିରେ ପ୍ରକାଶିତ ଟୀକା ଅତି ପ୍ରାଚୀନ ବୋଲି ପ୍ରକାଶକ କହିଅଛନ୍ତି । ଏହି ଟୀକା ଅନୁସାରେ ବୟସର ଅର୍ଥ–

 

‘‘ପଞ୍ଚବିଂଶକଃ ସାଂଖ୍ୟସିଦ୍ଧଂ ପଞ୍ଚବିଂଶତିତତ୍ତ୍ୱଂ ଚୈତନ୍ୟଂ ସୋଽୟମେବ ।

 

ମମ ପଞ୍ଚତନ୍ମାତ୍ର ମହାଭୂତ ପଞ୍ଚେନ୍ଦ୍ରିୟା ହକାଂର ବୁଦ୍ଧି ମନୋରୂପାଣି ଅଷ୍ଟାଦଶ ପର୍ବାଣି ଜନ୍ମନି କାର୍ଯ୍ୟେ ଗାଣ୍ୟନ୍ତ ଇତି ।’’

 

ରାବଣ ବ୍ରାହ୍ମାସ୍ତ୍ରରେ ଅର୍ଥାତ୍‌ ବ୍ରହ୍ମଙ୍କ ଅସ୍ତିତ୍ୱ ସ୍ୱୀକାରରେ ନିଜ ମତବାଦ ପରିତ୍ୟାଗ କରିଥିଲା । ଯାହାହେଉ, ଦେବାନାଂପ୍ରିୟ ପ୍ରିୟଦର୍ଶୀଙ୍କ ବିଭିନ୍ନ ରାଜ୍ୟର ଶିଳାଲିପିରେ ବିଭିନ୍ନ ପ୍ରାଦେଶିକ ଭାଷା ବ୍ୟବହୃତ ହୋଇଅଛି :–

 

ଗିର୍ଣାରରେ ‘‘ରାଞ୍ଜା ଲେଖାପିତ ।’’

ସାହାବାରିଗଡ଼ରେ-‘‘ରଞ୍ଜୋ ଲିଖପିତ ।’’

ମନତ୍ସାହାରାରେ-‘ରଜିନ ଲିଖପିତ ।’’

ଜଉଗଡ଼ରେ- ‘‘ଲାଜିନା ଲିଖାପିତ ।’’

ଧଉଳିରେ–‘‘ଲିଖାପିତ୍‌ ।’’

 

ସଂସ୍କୃତରେ ଯେପରି ‘ରାଜନ୍‌’ ଶବ୍ଦ ପ୍ରଥମା ଏକ ବଚନରେ ‘ରାଜା’ ପାଲିରେ ସେପରି-। କିନ୍ତୁ ତୃତୀୟା ଏକ ବଚନରେ ବୌଦ୍ଧ ସାହିତ୍ୟରେ ଏହି ଶବ୍ଦର ‘ରାଞ୍ଞ’, ‘ର ଜେନ’ ଓ ‘ରାଜିନା’ - ତିନି ପ୍ରକାର ରୂପ ଦେଖା ଯାଏ । ସଂସ୍କୃତରେ ତୃତୀୟ ଏକ ବଚନରେ ‘ରାଜ୍ଞା’ ଗୋଟିଏ ରୂପ । ପାଲିର ଉଚ୍ଚାରଣରୀତି ଅନୁସାରେ ସଂସ୍କୃତ ବ୍ୟଞ୍ଜନ ‘ଜ୍ଞ’ ବଦଳିଲେ ‘ଞଞ’ ହୁଏ । କିନ୍ତୁ ଉକ୍ତ ବ୍ୟଞ୍ଜନ ବଦଳି ପ୍ରାକୃତରେ ଣ୍‌ଣ’ ହୁଏ । ପୁଣି କ୍ରିୟାପଦରେ ‘ପି’ ବର୍ଣ୍ଣ ଆସିଲା କାହୁଁ ? ସଂସ୍କୃତରେ ଆକାରନ୍ତ ଧାତୁର କ୍ରିୟା ପଦରେ ‘ପ’ ର ଆଗମ ହୁଏ । ଏଣୁ ଅର୍ଦ୍ଧମାଗଧୀରେ ‘ଲେଖ’ ନାମଧାତୁରୁ ଣିଜ୍‍ନ୍ତରେ ‘ପ’ ର ଆଗମ ହୋଇଛି । ଯାହାହେଉ, ଖ୍ରୀଷ୍ଟପୁର୍ବ ତୃତୀୟ ଶତାବ୍ଦୀରେ ବିଭିନ୍ନ ରାଜ୍ୟର ଭାଷା ବୈଶିଷ୍ଟ୍ୟ ଶିଳାଲିପିମାନଙ୍କରେ ଦେଖାଯାଏ । ମାଗଧୀ ଭାଷାରେ ତାଲବ୍ୟ ଉଷ୍ମ ବର୍ଣ୍ଣ ବା ‘ଶ’–ର ବ୍ୟବହାର ଗୋଟିଏ ବୈଶିଷ୍ଟ୍ୟ ବୋଲି ବରରୁଚି ଲେଖି ଅଛନ୍ତି । ଗିର୍ଣ୍ଣାର ପ୍ରଭୃତି ଉତ୍ତର ଭାରତର ଶିଳାଲିପିମାନଙ୍କରେ କେବଳ ‘ଶ’–ର ବ୍ୟବହାର ଦୃଷ୍ଟ ହୁଏ । ଓଡ଼ିଶାର ଧଉଳି ଓ ଜଉଗଡ଼ର ଶିଳାଲିପିମାନଙ୍କରେ ବେଦରେ ଯେପରି ସେପରି ଦନ୍ତ୍ୟ ଉଷ୍ମ ବର୍ଣ୍ଣ ବା ‘ସ’ ବହୁଳ ବ୍ୟବହୃତ ହୋଇଅଛି, ଉକ୍ତ ବର୍ଣ୍ଣ ଉତ୍ତରଭାରତର ଶିଳାଲିପିମାନଙ୍କରେ ଦୃଷ୍ଟ ହୁଏନାହିଁ । ଉତ୍ତରଭାରତର ଶିଳାଲିପିମାନଙ୍କରେ ମୂର୍ଦ୍ଧନ୍ୟ ଅନୁନାସିକ ବା ‘ଣ’ ର ବ୍ୟବହାର ଆଦୌ ନାହିଁ । କିନ୍ତୁ, ଓଡ଼ିଶାର ଶିଳାଲିପିମାନଙ୍କରେ ପ୍ରଚୁର ଦେଖାଯାଏ । ବୈଦିକ ଭାଷା ଓ ଅର୍ଦ୍ଧମାଗଧୀ ପ୍ରାକୃତ ମଧ୍ୟରେ ସୌସାଦୃଶ୍ୟ ‘ସ’ ଓ ‘ଣ’ ନିର୍ଦ୍ଦେଶ କରନ୍ତି । ଅର୍ଦ୍ଧମାଗଧୀ ସିଦ୍ଧ ଓ ଦେବତାଙ୍କ ଭାଷା ବୋଲି କେତେକ ପ୍ରାକୃତ ବ୍ୟାକରଣରେ କୁହାଯାଇଅଛି । ଓଡ଼ିଶାରେ ବହୁ ସିଦ୍ଧ ଥିବାର ପ୍ରମାଣ ଅଛି । ପୁରାଣମାନଙ୍କରେ ବୈତରଣୀ ଓ ଋଷିକୂଲ୍ୟାର ମଧ୍ୟବର୍ତ୍ତୀ ଭୂଭାଗକୁ ପୁଣ୍ୟଭୂମି କହିଅଛନ୍ତି ।

 

ଧଉଳି ଶିଳାଲିପିରେ ମୟୂର-ହତ୍ୟା ନିଷେଧ କରାଯାଇଅଛି ଓ ରାଜାଙ୍କ ଖନ୍ଦାରେ ବ୍ୟବହୃତ ହେଉଥିବା ମୟୂର-ମାଂସ ପାଇଁ ମୟୂର ହତ୍ୟା ବନ୍ଦ କରିବା ପାଇଁ ପତିଶ୍ରୁତି ଦିଆଯାଇଅଛି । କାହିଁକି ? ମୟୂରବାହନ କୁମାରଙ୍କ ସହିତ ନାଗ ସମ୍ପ୍ରଦାୟର ବିବାଦ ସମାଧାନ କରିବା ପାଇଁ ଏପରି କରାଯାଇଅଛି ।

 

ଧଉଳି ଶିଳାଲିପି ଉତ୍ତାରୁ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପି । ଏଥିରେ କୁମାର କ୍ରୀଡ଼ା କରୁଥିଲେ (କିଡ଼ିତା କୁମାର କିଡ଼ିକା) ବୋଲି ଲେଖାଅଛି । ଷ୍ଟେନ୍‌ କୋନୋ କହନ୍ତି–ଏହା କୃଷ୍ଣଙ୍କର ବୃନ୍ଦାବନଲୀଳା । ଓଡ଼ିଆ ସାହିତ୍ୟରେ କୃଷ୍ଣଙ୍କୁ ମୟୂରଚୂଳିଆ କୁହାଯାଇଅଛି । ଯାହାହେଉ, ଖାରବେଳ ମୟୂରବାହନ କୁମାରଙ୍କପରି କ୍ରୀଡ଼ା କରିଥିଲେ । ଖାରବେଳ ଚେତ ରାଜବଂଶୀୟ । ବୌଦ୍ଧଜାତକ ଅନୁସାରେ କପିଳ ଚେତୀୟବଂଶର ପୁରୋହିତ ଥିଲେ । ଏଣୁ ଖାରବେଳ ବୌଦ୍ଧକୁମାର ହେବା ସମ୍ଭବପର ।

 

ସଂସ୍କୃତ ଜୀମୂତବାହନ-ଆଖ୍ୟାନ ଅନୁସାରେ ବିଶ୍ୱାବସୁଙ୍କର କନ୍ୟାର ବିବାହ ପାଇଁ ତାହାଙ୍କ ପୁତ୍ର ଚିତ୍ରାବସୁ ଜୀମୂତବାହନଙ୍କୁ ଲୋଡ଼ି ଆଣିଥିଲେ । ଖାରବେଳଙ୍କର ‘ମେଘବାହନ’ ଉପାଧି, ଓଡ଼ିଶାରେ ଜୀମୂତବାହନ-ପୂଜା ପ୍ରଚଳିତ ଅଛି ଓ ପୁରୀରେ ବିଶ୍ୱାବସୁ ନୀଳମାଧବଙ୍କୁ ପୂଜା କରୁଥିଲେ । ଆଖ୍ୟାନ ଅନୁସାରେ ଜୀମୂତବାହନ ଅହିଂସାବାଦୀ ହୋଇ ସର୍ପହତ୍ୟା ରହିତ କରିଥିଲେ । ସାଂଖ୍ୟବାଦୀମାନେ ଅହିଂସା-ବ୍ରତୀ । ନାଗଧର୍ମାବଲମ୍ବୀମାନେ ପ୍ରାଣାୟାମ ସାଧନା କରି ସିଦ୍ଧ ହେଉଥିଲେ । ଜୈନତୀର୍ଥଙ୍କର ପାର୍ଶ୍ୱନାଥଙ୍କର ନାଗ ସନ୍ତକ ଥିବାରୁ ଜୈନମାନେ ସିଦ୍ଧ ହେଉଥିଲେ । ସିଦ୍ଧମାନଙ୍କ ମଙ୍ଗଳ ପାଇଁ ଖାରବେଳ ଖଣ୍ଡିଗିରିରେ ଗୁମ୍ଫା ଖୋଦିତ କରାଇଥିଲେ । ଉଜ୍ଜୟିନୀରୁ ରାଜପୁତ୍ରମାନେ ତୋଷାଳୀର ଶାସନ ପରିଦର୍ଶନ କରିବାକୁ ଆସିବେ ବୋଲି ଧଉଳି ଶିଳାଲିପିରେ ଖୋଦିତ ଅଛି । ସ୍କନ୍ଦପୁରାଣ ଅନୁସାରେ ଉଜ୍ଜୟିନୀର ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କୁ ମନ୍ଦିରରେ ବସାଇଥିଲେ । ପାଲି ସାହିତ୍ୟ ଅନୁସାରେ ଅଶୋକଙ୍କ ସହିତ ଉଜ୍ଜୟିନୀର ରାଜାଙ୍କର ସଦ୍ଭାବ ଥିଲା । ମୟୂରଭଞ୍ଜରେ ମୟୂର-ହତ୍ୟା ସ୍ୱାଧୀନ ଓଡ଼ିଶାରେ ମୟୂରଭଞ୍ଜ ମିଶିବା ପର୍ଯ୍ୟନ୍ତ ନିଷେଧ ଥିଲା ଓ ସେଠାରେ ମଗଧ ସମ୍ପ୍ରଦାୟୀ ମଧ୍ୟ ବାସ କରୁଥିଲେ । ତାହାହେଲେ ଦେବାନାଂପ୍ରିୟ ପ୍ରିୟଦର୍ଶୀ ଓ ଖାରବେଳ ଉଭୟ ଜୈନକୁମାର ଓ ମୟୂରବାହନ କୁମାରଙ୍କ ମଧ୍ୟରେ ବିବାଦ ସମାଧାନ କରିଥିଲେ ।

 

ଭୁବନେଶ୍ୱର କୁମାରଙ୍କର ଗୋଟିଏ ନାମ ହୋଇଥିବାରୁ ଭୁବନେଶ୍ୱରରେ କୁମାରଙ୍କ ଆସ୍ଥାନ ଥିବାର ସନ୍ଦେହଶୂନ୍ୟ । ଧଉଳି ଶିଳାଲିପିରେ ବଭଣମାନଙ୍କୁ ମାନ୍ୟ କରିବାପାଇଁ ନିର୍ଦ୍ଦେଶ ଅଛି । ‘ବ୍ରହ୍ମଣ’ ପାଲି ଓ ପରବର୍ତ୍ତୀ ପ୍ରାକୃତରେ ‘ବ୍ରହ୍ମଣ’ ରୂପରେ ଲିଖିତ ଥିଲେ ମଧ୍ୟ ଓଡ଼ିଶାର ଅନେକ ଲୋକ ‘ବାଭୁଣ’ ରୂପରେ ଉଚ୍ଚାରଣ କରନ୍ତି ଓ ଏକ ଶ୍ରେଣୀର ବ୍ରାହ୍ମଣ ଅଦ୍ୟାପି ‘ବାଭୀ’ ନାମରେ ପରିଚିତ । ଯାହାହେଉ, ସାମ୍ପ୍ରଦାୟିକ ସମାଧାନ ଫଳରେ ବୌଦ୍ଧମାନଙ୍କ ମଧ୍ୟରୁ ଅନେକ ପ୍ରତୀକ-ପୂଜା ଗ୍ରହଣ କରି ମହାଯାନୀ ହୋଇ ସଂସ୍କୃତ ଭାଷାରେ ଗ୍ରନ୍ଥ ଲେଖିଲେ । ବାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ ହେତୁରୁ ସଂସ୍କୃତ ସାହତ୍ୟର ସମୃଦ୍ଧି ମଧ୍ୟ ବଢ଼ିଲା । ଏଣୁ ଜନସାଧାରଣଙ୍କ ଭାଷାରେ ସଂସ୍କୃତ ଶବ୍ଦ-ସମ୍ଭାର ଓ ସଂସ୍କୃତ ଭାଷାର ରୀତି ସେମାନଙ୍କ କଥିତ ଭାଷାକୁ ମାର୍ଜିତ କଲା । କିନ୍ତୁ ଏ ଅବସ୍ଥା ଯାଜପୁରଠାରେ ଭୌମବଂଶର କ୍ଷେମଙ୍କରଦେବଙ୍କ ରାଜତ୍ୱ ପର୍ଯ୍ୟନ୍ତ ଘଟି ନ ଥିବାରୁ ସେଠାକାର କଥିତ ଭାଷାର ଉନ୍ନତି ଘଟି ନ ଥିଲା । ଏଣୁ ପୁରୀ ଜିଲାର ଭାଷା ସହିତ୍ୟିକ ଭାଷା ରୂପରେ ପ୍ରଚଳିତ ହୋଇ ଆସୁଅଛି । ଏଣୁ ଓଡ଼ିଆ ଭାଷା ସହିତ ସଂସ୍କୃତ ଭାଷାର ଯେତେ ସାଦୃଶ୍ୟ ଅଛି, ଅନ୍ୟ କୌଣସି ରାଜ୍ୟର ଭାଷା ସହିତ ତେତେ ସାଦୃଶ୍ୟ ନାହିଁ ।

 

ଖାରବେଳଙ୍କ ଶିଳାଲିପିରେ ଦ୍ୱିତୀୟ ଧାଡ଼ିର ‘‘ସବୁଯାନ ପଟି ସଂଠାପନ’’ ବାକ୍ୟକୁ ଭଗବାନ ଲାଲଇନ୍ଦ୍ରଜି ଠିକ୍‌ ପଢ଼ିଥିଲେ । ଏହାର ଅର୍ଥ ସବୁ ସମ୍ପ୍ରଦାୟ ଯଥାରୀତି ରହିବାର ବ୍ୟବସ୍ଥା-। କିନ୍ତୁ ଆଚାର୍ଯ୍ୟ ବରୁଆ ‘ସବୁଯାନ’ ପଢ଼ି ‘ସବୁ ଉଦ୍ୟାନ’ ଅର୍ଥ କରିବା ଅସଙ୍ଗତ । ଯାହାହେଉ ଏହି ଶିଳାଲିପିର ଭାଷା ଅର୍ଦ୍ଧମାଗଧୀ ।

 

ପାରମ୍ପରିକ ପ୍ରବାଦ ଅନୁସାରେ ଦେବର୍ଷି ନାରଦ ନାନା ରାଗିଣୀଯୁକ୍ତ ସଙ୍ଗୀତ ଗାଉଥିଲେ । କିନ୍ତୁ ଗାଇବାରେ ତାହାଙ୍କର ତ୍ରୁଟି ଘଟିବାରୁ ରାଗରାଗିଣୀର ତାଳଭଙ୍ଗ ହୋଇ ସେଗୁଡ଼ିକ ବିକଳାଙ୍ଗ ହେଲେ । ବିକଳାଙ୍ଗ ହୋଇ ନରନାରୀ ରୂପରେ ପଡ଼ିଥିବା ସ୍ଥାନ ବାଟରେ ଦିନେ ନାରଦ ଯାଉଥିଲେ । ନିଜର ତାଳଭଙ୍ଗ ଜାଣି ନ ପାରି ନାରଦ ନିଜକୁ ଜଣେ ପ୍ରଧାନ ସଙ୍ଗୀତଜ୍ଞ ମଣି ବଡ଼ାଇ କରୁଥିଲେ । ଯିବା ବାଟରେ ରାଗରାଗିଣୀଙ୍କ ଅଙ୍ଗବୈକଲ୍ୟ ଦେଖି ସେମାନଙ୍କୁ ଦୁର୍ଦ୍ଦଶାର କାରଣ ନାରଦ ପଚାରିବାରୁ ସେମାନେ କହିଲେ, ‘‘ନାରଦ ନାମରେ ଗୋଟିଏଲୋକ ଅଛନ୍ତି । ସଙ୍ଗୀତ ଶାସ୍ତ୍ରରେ ତାଙ୍କର ଅଗାଧ ଜ୍ଞାନ ଥିବାର ସେ ଗର୍ବ କରନ୍ତି । କିନ୍ତୁ ତାଙ୍କର ପ୍ରକୃତରେ ଏ ଶାସ୍ତ୍ରରେ ଜ୍ଞାନ ନାହିଁ । ଆମ ରାଗରଗିଣୀଙ୍କର ତାଙ୍କରି ଯୋଗୁଁ ଏ ଦୁର୍ଦ୍ଦଶା ଘଟଅଛି ।’’ ନାରଦ ଦୁର୍ଦ୍ଦଶା ଘୁଞ୍ଚିବାର ଉପାୟ ପଚାରିବାରୁ ସେମାନେ କହିଲେ, ଯଦି ‘‘ମହାଦେବ ସ୍ୱୟଂ ସଙ୍ଗୀତ କରନ୍ତି ତେବେ ଆମେ ଆମର ପୂର୍ବାବସ୍ଥା ଫେରି ପାଇବୁ ।’’ ଦେବର୍ଷି ଏକଥା ଶୁଣି ମହାଦେବଙ୍କ ନିକଟକୁ ଯାଇ ସଙ୍ଗୀତ ଗାଇବା ନିମନ୍ତେ ତାହାଙ୍କୁ ପ୍ରାର୍ଥନା କଲେ । ମହାଦେବ କହିଲେ ଯେ ଉପଯୁକ୍ତ ଶ୍ରୋତା ନ ପାଇଲେ ତାହାଙ୍କ ମୁଖରୁ ସଙ୍ଗୀତ ବାହାରେ ନାହିଁ । ନାରଦ ଏ କଥା ଶୁଣି ବୁଝିପାରିଲେ ଯେ ସେ ନିଜେ ଉପଯୁକ୍ତ ଗାୟକ ନୋହିଲେ ମଧ୍ୟ ଜଣେ ଉପଯୁକ୍ତ ଶ୍ରୋତା ନୁହନ୍ତି । ଲଜ୍ଜିତ ହୋଇ ନାରଦ ପଚାରିଲେ, ‘‘ଏ ଜଗତରେ ଉପଯୁକ୍ତ ଶ୍ରୋତା କିଏ ?’’ ମହାଦେବ ଉତ୍ତର ଦେଲେ ଯେ ଏ ଜଗତରେ ଉପଯୁକ୍ତ ଶ୍ରୋତା ସେ ଏବେ ଦେଖିପାରୁ ନାହାନ୍ତି । ତାହାହେଲେ ମଧ୍ୟ ବ୍ରହ୍ମା ଓ ବିଷ୍ଣୁ ବର୍ତ୍ତମାନ କେତେକ ପରିମାଣରେ ଶ୍ରୋତା ହୋଇ ପାରନ୍ତି । ଏହା ଶୁଣି ଦେବର୍ଷି ବହୁ ସାଧନାରେ ସେଠାକୁ ସେ ଦୁହିଁଙ୍କୁ ଆମନ୍ତ୍ରଣ କରି ଆଣିଲେ । ମହାଦେବ ସଙ୍ଗୀତ ଗାଉ ଗାଉ ରାଗରାଗିଣୀମାନେ ନିଜ ନିଜ ସ୍ୱାଭାବିକ ଅଙ୍ଗ ପୁନଃପ୍ରାପ୍ତ ହେଲେ । ବ୍ରହ୍ମା ସଙ୍ଗୀତର ମର୍ମ କିଛି ବୁଝି ପାରିଲେ ନାହିଁ । କେବଳ ବିଷ୍ଣୁ କିଛି ବୁଝି ଦ୍ରବୀଭୂତ ହୋଇଗଲେ । ଏହି ଦ୍ରବୀଭୂତ ବିଷ୍ଣୁଙ୍କୁ ବ୍ରହ୍ମା କମଣ୍ଡଳୁ ଭିତରେ ଭରିରଖିଲେ । କମଣ୍ଡଳରୁ ଏହି ଦ୍ରବୀଭୂତ ବିଷ୍ଣୁ ଗଙ୍ଗା ରୂପରେ ଅବତୀର୍ଣ୍ଣ ହେଲେ । ଅର୍ଥାତ୍‌ ବ୍ରାହ୍ମଣମାନେ ଶୁଦ୍ଧ ଉଚ୍ଚାରଣରେ ମନ୍ତ୍ରପାଠ କରି ପ୍ରତୀକ ପୂଜା ପ୍ରଚଳିତ କରାଇ ଗାନ୍ଧର୍ବ ବିବାହର ପଥ ଆବିଷ୍କାର କଲେ ।

 

ରାମାୟଣ ଅନୁସାରେ ମୟୂର ଇନ୍ଦ୍ରଙ୍କର ରୂପ । ମୟୂରଠାରୁ ମନୁଷ୍ୟ ସଙ୍ଗୀତ ଶିକ୍ଷା କରିଚି । ପ୍ରଜନନଶକ୍ତିର ଉଦ୍ରେକରେ ମୟୂର ନୃତ୍ୟ କରି ଧ୍ୱନି କରେ । ପ୍ରଜନନଶକ୍ତି ବଳବତୀ ହେଲେ ମୟୂରୀ ସଙ୍ଗେ ସଙ୍ଗମ କରେ । ପ୍ରଜନନ ରସ କ୍ଷରିତ ହେଲେ ତାହାର ନୃତ୍ୟଗୀତର ଶକ୍ତି ହ୍ରାସ ଲଭେ । ବିଶ୍ୱରେ ବ୍ୟାପିଥିବା ପ୍ରବୃତ୍ତିକୁ ବିଷ୍ଣୁ କହନ୍ତି । ପ୍ରଜନନ ପ୍ରବୃତ୍ତି ମଧ୍ୟ ବିଷ୍ଣୁ । ଶିବ ଏତେ କାମନାଶୂନ୍ୟ ଯେ ତାହାଙ୍କର ପ୍ରଜନନ ପ୍ରବୃତ୍ତି ଆଦୌ ନାହିଁ ଓ ପ୍ରଜନନ ରସ ଆଦୌ କ୍ଷରିତ ହୁଏ ନାହିଁ । ଏଣୁ ତାହାଙ୍କ ନୃତ୍ୟଗୀତ-କଳାର କଦାପି ହ୍ରାସ ଘଟେ ନାହିଁ । ବିଷ୍ଣୁଙ୍କର କାମପ୍ରବୃତ୍ତି ତରଳ ଆକାରରେ ଗଙ୍ଗା ବା ଗାନ୍ଧର୍ବ-ବିବାହ ନାମରେ ପୃଥିବୀରେ ପ୍ରବାହିତ ହେଲା । ଐତରେୟ ବ୍ରାହ୍ମଣ ଅନୁସାରେ ନାଭୋନେଦିଷ୍ଟ ମନ୍ତ୍ର ପଢ଼ି ସଙ୍ଗମ କରିବ ଓ ବାଳଖିଲ୍ୟ ମନ୍ତ୍ର ପଢ଼ି ରେତ ସେକ କରିବ । ଏହା ଶିବ ବା ସନ୍ତାନ-ଉତ୍ପାଦନ କାଳ ଜାଣି କରିବା ଉଚିତ । ଯେଉଁମାନେ ଇନ୍ଦ୍ରିୟ ଚରିତାର୍ଥ ପାଇଁ ଏପରି କରନ୍ତି, ସେମାନେ ବିକଳାଙ୍ଗ ସନ୍ତାନ ଜନ୍ମ ଦିଅନ୍ତି ଏବଂ ସେମାନଙ୍କ ନୃତ୍ୟ ଓ ଗାନ କରିବା ଶକ୍ତି ଅତି କ୍ଷୀଣ ହୋଇପଡ଼େ ।

 

ବୌଦ୍ଧମାନେ ବୈଦିକ ଭାଷାକୁ ଛାନ୍ଦସ କହିଅଛନ୍ତି । ମନ୍ତ୍ରମାନ ଗୁରୁ ମୁଖରୁ ନ ଶୁଣି, ବର୍ଣ୍ଣମାନଙ୍କ ଉଚ୍ଚାରଣ ସ୍ଥାନ ବିଶେଷରେ କିପରି ପୃଥକ ହୁଏ, ନ ଜାଣି ମନ୍ତ୍ର ପାଠ କରିବା ଦୋଷାବହ । ଛାନ୍ଦସ ଭାଷାର କଠିନତା ଜାଣି ଦେଶର କଥିତ ଭାଷାରେ ତାହାଙ୍କର ଉପଦେଶ ଲିପିବଦ୍ଧ କରିବା ପାଇଁ କହିଥିଲେ । ଦ୍ରବ+ଇଳ=ଦ୍ରବିଳ ବା ଦ୍ରାବିଡ଼ । ଦ୍ରାବିଡ଼ୀ ବ୍ରାହ୍ମଣମାନେ ବୈଦିକ ମନ୍ତ୍ରମାନ ଶୁଦ୍ଧ ରୂପରେ ପାଠ କରନ୍ତି । କିନ୍ତୁ ସେମାନଙ୍କ ରାଜ୍ୟରେ ଗାନ୍ଧର୍ବ ବିବାହ ଓ ବୌଦ୍ଧଧର୍ମ ବହୁକାଳ ପ୍ରଚଳିତ ରହିବାରୁ ଶୂଦ୍ରମାନଙ୍କ ଭାଷା ସଂସ୍କୃତ ଭାଷା ସହିତ ସାଦୃଶ୍ୟ ହରାଇ ଥିଲା ।

 

ବିଷ୍ଣୁ ପୁରାଣରେ ଉକ୍ତ ଅଛି ଯେ (୩ୟ ଖଣ୍ଡ. ଅ. ୧୭।୧୮)ବହୁ ପ୍ରାଚୀନ କାଳରେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଥିଲା । ଦେବତାମାନେ ପରାସ୍ତ ହୋଇ କ୍ଷୀରସମୁଦ୍ରର ଉତ୍ତର ତୀରକୁ ଯାଇ ତପସ୍ୟା କରି ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ତତ୍ପରେ ସେ ହରିଙ୍କୁ ଦେଖିବାରୁ ଅସୁରଙ୍କ ଉପଦ୍ରବରୁ ରକ୍ଷା କରିବା ନିମନ୍ତେ ତାହାଙ୍କୁ କହିଲେ । ବିଷ୍ଣୁ ସେମାନଙ୍କ ପ୍ରାର୍ଥନା ଶୁଣି ନିଜ ଶରୀରରୁ ଗୋଟିଏ ମାୟାପୁରୁଷ ଜାତ କଲେ । ତାହାକୁ ଦେବତାମାନଙ୍କୁ ଦେଇ କହିଲେ ଯେ ଏହି ମାୟାପୁରୁଷ ଦୈତ୍ୟମାନଙ୍କୁ ଏପରି ପ୍ରତାରଣା କରିବ ଯେ ବେଦ ପଥରୁ ସ୍ଖଳିତ ହୋଇ ଅସୁରମାନେ ହତ ହେବେ । ଦେବତା, ଅସୁର ଓ ବେଦ ପଥରୁ ବିଚଳିତ ଅନ୍ୟାନ୍ୟମାନେ ଧ୍ୱଂସ ପାଇବେ । ମୁଣ୍ଡିତ-ମସ୍ତକ ହୋଇ, ମୟୂରପକ୍ଷୀର ପୁଚ୍ଛଧରି ମୟାପୁରୁଷ ଅସୁରମାନଙ୍କ ନିକଟକୁ ଯାଇ ନମ୍ରଭାବରେ ପଚାରିଲେ ‘‘ହେ ଦୈତ୍ୟ-ଜାତିର ପ୍ରଭୁ ! ଅତି ଭକ୍ତିର ତପସ୍ୟା ତୁମେ କାହିଁକି କରୁଛ ? ତୁମେ ଏ ଜନ୍ମରେ କିପରି ତପସ୍ୟାର ଫଳ ଆଶା କରୁଛ ?’’ ଅସୁରମାନେ କହିଲେ–‘‘ହେ ମହାମନା ଆମେ ପରଜନ୍ମରେ ଫଳ ପାଇବା ଉଦ୍ଦେଶ୍ୟରେ ଏହି ତପସ୍ୟାରେ ରତ ଅଛୁଁ’’-। ମାୟାପୁରୁଷ କହିଲେ, ‘‘ଯଦି ତୁମେ ଚିରମୁକ୍ତି କାମନା କର, ତେବେ ମୋ କଥା ଶୁଣ । ତାହା କଲେ ଚିର ସୁଖର ଦ୍ୱାରସ୍ୱରୂପ ବାଣୀ ତୁମ ଅନ୍ତରରେ ବ୍ୟକ୍ତହେବ । ଏହାଠାରୁ ବଳି ଆଉ ଉତ୍କୃଷ୍ଟ ଉପଦେଶ ନାହିଁ । ବରମୁକ୍ତି ପାଇଁ ମୁଁ ଯେଉଁ ଉପଦେଶ ଦେବି, ତାହା ଗୋପନୀୟ ପଥ । ଯଦି ତାହା ତୁମେ ଗ୍ରହଣ କର, ତେବେ ତୁମେ ସ୍ୱର୍ଗ ଲାଭ କରିବ ଅଥବା ପରଜନ୍ମରୁ ଉଦ୍ଧାର ପାଇବ । ତୁମେ ପ୍ରବଳ ଶକ୍ତିମାନ୍‌; ତେଣୁ ଏହି ଉପଦେଶ ପାଇବାକୁ ଯୋଗ୍ୟ ।’’

 

ଏପରି ନାନାରୂପ ପ୍ରବର୍ତ୍ତନାରେ ଓ ବହୁଯୁକ୍ତିରେ ମାୟାପୁରୁଷ ବେଦର ପଥରୁ ଦୈତ୍ୟମାନଙ୍କୁ ବଣା କରିଦେଲା । ଏହି ଶିକ୍ଷା ଦେଲା ଯେ ଏକ ବିଷୟ ପାପ ଓ ପୁଣ୍ୟ ପାଇଁ ହୋଇପାରେ । ତାହା ସତ୍‌ ଓ ଶୂନ୍ୟ ହୋଇପାରେ, ତାହା ଚିରମୁକ୍ତି ଦେଇପାରେ ଓ ନ ଦେଇପାରେ; ଆଦିବସ୍ତୁ ହୋଇପାରେ ଓ ହୋଇ ନ ପାରେ; କାର୍ଯ୍ୟ ହୋଇପାରେ ଓ ହୋଇ ନ ପାରେ; ଦୃଶ୍ୟ ପଦାର୍ଥ ହୋଇପାରେ ଓ ନ ପାରେ; ନଗ୍ନ ବ୍ୟକ୍ତିଙ୍କର ଓ ମୂଲ୍ୟବାନ୍‌ ପରିଚ୍ଛଦଧାରୀଙ୍କର କର୍ତ୍ତବ୍ୟ ହୋଇପାରେ ଓ ନ ପାରେ ।’’ ଏହିପରି ମାୟାଗୁରୁଙ୍କ ଉପଦେଶରେ ଦୈତ୍ୟମାନେ ସେମାନଙ୍କ କର୍ତ୍ତବ୍ୟ-ପଥରୁ ବଣା ହୋଇଗଲେ । ଏହି ଉପଦେଶର ଖଣ୍ଡନକାରୀ ସତ୍ୟ ନ କହି କ୍ରମାଗତ ଉପରୋକ୍ତ ପ୍ରକାରେ ବୁଝାଉଥିଲେ । ‘‘ତୁମେ ଏ ମତ ବୁଝିବାକୁ ଯୋଗ୍ୟପାତ୍ର(ଅର୍ହତ)’’ କହିଥିବାରୁ ସେମାନେ ଅର୍ହତ ନାମରେ ଅଭିହିତ ହେଲେ । ସେମାନେ ଏ ମତରେ ବିଶ୍ୱାସବଦ୍ଧ ହୋଇ ଅନ୍ୟମାନଙ୍କୁ ଶିଖାଇଲେ ଓ ଶିଷ୍ୟମାନେ ମଧ୍ୟ ଉକ୍ତ ମିଥ୍ୟାମତ ପ୍ରଚାର କଲେ । ଏହା ଜୈନମାନଙ୍କ ସ୍ୟାଦ୍‌ବାଦ ।

 

ଏଠାରେ ଜୈନମତବାଦୀମାନେ ବିଷ୍ଣୁପୁରାଣରେ ଅସୁର ଓ ଦୈତ୍ୟ ନାମରେ ଅଭିହିତ । ତତ୍ପରେ ସେହି ମାୟାପୁରୁଷ କଷାୟବସ୍ତ୍ର ପିନ୍ଧି ଓ ଚକ୍ଷୁରେ ଅଞ୍ଜନ ଲଗାଇ ସେହି ଦୈତ୍ୟଜାତିର ଅନ୍ୟମାନଙ୍କୁ କହିଲେ, ‘‘ହେ ଅସୁରମାନେ ! ତୁମେ ଶକ୍ତିଶାଳୀ ହୋଇ ଜନ୍ମିଛ । ଯଦି ତୁମେ ସ୍ୱର୍ଗ ବା ଚିରଶାନ୍ତି-ବିଶ୍ରାମ କାମନା କର, ତେବେ ଜୀବ-ହତ୍ୟାରୁ କ୍ଷାନ୍ତହୁଅ ଓ ତୁମର ଯାହା କର୍ତ୍ତବ୍ୟ, ମୋଠାରୁ ଶୁଣ । ସମଗ୍ର ପୃଥିବୀ ଭେଦମୂଳକ ଜ୍ଞାନରେ ପୂର୍ଣ୍ଣ । ଭଲରୂପରେ ମୋ କଥା ବୁଝ । କାରଣ ମୁଁ ଯାହା କହୁଛି, ତାହା ବୁଦ୍ଧମାନେ କହିଛନ୍ତି । ଏ ପୃଥିବୀ କେତେବେଳେ ସ୍ଥିର ନୁହେଁ । ଇନ୍ଦ୍ରିୟ ଓ ଅନ୍ୟ ପ୍ରବୃତ୍ତିରେ କଳୁଷିତ ହୋଇଥିବା ଭ୍ରାନ୍ତଜ୍ଞାନର ସନ୍ଧାନରେ ସମଗ୍ର ପୃଥିବୀ ରତ ହୋଇ ନୂତନ ନୂତନ ଅବସ୍ଥାଚକ୍ରରେ ଚିରକାଳ ଘୁରୁଅଛି ।’’

 

ବିଜ୍ଞତାର ସ୍ୱରରେ ମାୟାପୁରୁଷ ସେମାନଙ୍କୁ କହିଲେ, ‘‘ବୁଧ୍ୟଦ୍ୱମ’’ ଓ ସେମାନେ କହିଲେ, ‘‘ଏହା ବୁଝାଗଲା (ବୁଧ୍ୟତେ) ।’’ ସେହି ଦୈତ୍ୟମାନେ ବାଟବଣା ହେଲେ ।

 

ଉକ୍ତ ଦ୍ୱିତୀୟ ଉପଦେଶ ବୌଦ୍ଧମତ ଛଡ଼ା ଅନ୍ୟ କିଛି ନୁହେଁ । ତାହାହେଲେ ଅସୁର ଓ ରାକ୍ଷସମାନେ ଜୈନ ଓ ବୌଦ୍ଧ ଥିଲେ । ଶପଥ ବ୍ରାହ୍ମଣରେ ଏହା ଉକ୍ତ ଅଛି । *

 

 

*

Max Muller-Sacred Book of the East, Vo1.XII,I. I.

 

‘‘ଚୈତ୍ୟସ୍ତୂପ ଚତୁଷ୍କୋଣ । ପ୍ରଜାପତିଙ୍କଠାରୁ ଅସୁର ଓ ଦେବତା ଉଭୟେ ଜାତ ହୋଇ ଚାରି ଦିଗରେ ବିଦାଦ କରୁଅଛନ୍ତି । ଦେବତାମାନେ ସେମାନଙ୍କ ଶତ୍ରୁ ଓ ପ୍ରତିଦ୍ୱନ୍ଦୀ ଅସୁରମାନଙ୍କୁ ଚାରିଦିଗରୁ ତଡ଼ିଦେଲେ । ସେମାନେ ପରାଜିତ ଓ ସ୍ଥାନଶୂନ୍ୟ ହେବାରୁ ଦେବ ଅଂଶର ଲୋକେ ଚୈତ୍ୟ ସ୍ଥାନକୁ ଚତୁଷ୍କୋଣ କରନ୍ତି । କିନ୍ତୁ ଅସୁରପ୍ରକୃତିର ଯେଉଁ ପ୍ରାଚ୍ୟ ଓ ଅନ୍ୟ ଲୋକେ ଦେବତାମାନେ ସେମାନଙ୍କୁ ଚୈତ୍ୟସ୍ଥାନକୁ ତଡ଼ି ଦେଇଥିଲେ ବୋଲି ମଣ୍ଡଳାକାର କରନ୍ତି ।’’ ଏଥିରୁ ଜଣାଯାଏ ଯେ ଦେବତା ଓ ଅସୁର ଏକ ପ୍ରଜାପତିଙ୍କ ଠାରୁ ଜାତ । ଅସୁରମାନେ ସମୁଦ୍ରକୂଳବର୍ତ୍ତୀ ସମତଳ ପ୍ରଦେଶମାନଙ୍କରୁ ସମ୍ଭବତଃ ବିତାଡ଼ିତ ହୋଇଥିଲେ । ବ୍ରାହ୍ମଣମାନେ ଚୈତ୍ୟପୂଜା କରୁଥିବାର ବୌଦ୍ଧାୟନ ଧର୍ମସୂତ୍ରରୁ ମଧ୍ୟ ପ୍ରମାଣ ମିଳେ । ପୁରାଣ ଅନୁସାରେ ଦକ୍ଷକନ୍ୟା ଦିତି ଓ ଅଦିତିଙ୍କ ଗର୍ଭରୁ କଶ୍ୟପଙ୍କ ଔରସରେ ଯଥାକ୍ରମରେ ଦୈତ୍ୟ ଓ ଆଦିତ୍ୟ ଜନ୍ମଗ୍ରହଣ କରିଥିଲେ । ତାହାହେଲେ ଦୁହିଁଙ୍କ ମଧ୍ୟରେ କିଛି ରକ୍ତଗତ ବୈଷମ୍ୟ ନାହିଁ । ଛେଦନ କରିବା ଅର୍ଥର ‘ଦୋ’ ଧାତୁରୁ ସମ୍ଭବତଃ ‘ଦିତି’ (ଦୋ+କ୍ତି) ନାମ ନିଷ୍ପନ୍ନ । ଯେଉଁମାନେ ସଂସାର-ବନ୍ଧନ ଛିନ୍ନ କରିଥିଲେ, ସେମାନେ ଦୈତ୍ୟ । ଯାସ୍କଙ୍କ ନିରୁକ୍ତ ଅନୁସାରେ ଯେଉଁମାନେ ପ୍ରଥମେ ଆବିର୍ଭୂତ ହୋଇଥିଲେ, ସେମାନେ ଆଦିକ୍ୟ । ଆଦି ଅବସ୍ଥାରେ କେହି ସଂସାରବନ୍ଧନ ଛିଣ୍ଡାଇ ନ ଥିଲେ । ସଂସାରବନ୍ଧନ ନ ଛିଣ୍ଡାଇ ରହିବା ସମ୍ପ୍ରଦାୟ ଆଦିତ୍ୟ ହେଲେ ଓ ଏହି ଆଦିତ୍ୟମାନେ ଦେବତା । ଶ୍ରୀମଦ୍‌ ଭଗବଦ୍‌ ଗୀତାରେ( ଅ:୧୮, ୫-୬) କାୟକ୍ଳେଶ ସହିବା ବ୍ୟକ୍ତିଙ୍କୁ ଅସୁର କୁହାଯାଇଅଛି । ଏଣୁ ଜୈନ ଓ ବୈାଦ୍ଧ ଉଭୟଙ୍କୁ ଅସୁର ବା ଦୈତ୍ୟ କୁହାଯାଇଅଛି । ଏମାନେ ଗୁରୁମୁଖରୁ ବର୍ଣମାନଙ୍କ ଉଚ୍ଚାରଣ ନ ଶିଖିବାରୁ ସଙ୍ଗୀତ ଓ ଛାନ୍ଦସଭାଷା ଉଭୟ ନିଜ ନିଜ ରୂପ ହରାଇଲେ । ଯେଉଁ ଅରଣ୍ୟ ପ୍ରଦେଶକୁ ବହୁକାଳ ବାହ୍ମଣ୍ୟଧର୍ମ ପ୍ରବେଶକରି ପାରିଥିଲା, ସେ ପ୍ରଦେଶର ଅଧିବାସୀମାନେ କେବଳ ଜୈନ ବା ବୌଦ୍ଧଙ୍କ ସହିତ ପାଲି ପ୍ରାକୃତ ବ୍ୟବହାର କରୁଥିଲେ, ସେହି ପ୍ରାକୃତର ସଂସ୍କୃତ ସହିତ ଯେଉଁ ସାଦୃଶ୍ୟ ଥିଲା, ତାହା ସହଜରେ ଲୋପ ପାଇଅଛି । ଖୋଜି ବସିଲେ ଅନେକ ଧ୍ୱନିଗତ ସାଦୃଶ୍ୟ ଆବିଷ୍କାର କରାଯାଇପାରେ ଓ ବିସପ କାଲ୍‌ଡ଼ ଓୟେଲ୍‍ ଏପରି କେତେକ ସାଦୃଶ୍ୟ ଦେଖାଇ କହିଅଛନ୍ତି ଯେ ଦ୍ରାବିଡ଼ୀଭାଷାର ପ୍ରଭାବ ସଂସ୍କୃତଭାଷା ଉପରେ ପଡ଼ିଅଛି । କିନ୍ତୁ ସେହି ସାଦୃଶ୍ୟରୁ ସଂସ୍କୃତ ଭାଷାର ପ୍ରଭାବ ଦ୍ରାବିଡ଼ୀ ଭାଷା ଉପରେ ପଡ଼ିଅଛି ବୋଲି କାହିଁକି କୁହା ନ ଯିବ ?

କାଲ୍‌ଡ଼ ଓୟେଲ୍‌ କହନ୍ତି ଯେ ତାମିଲୀ ଭାଷାରେ ‘ମର’ ଶବ୍ଦର ଅର୍ଥ ଗଛ ଓ ‘କାଟ୍ଟୁ’ ଧାତୁର ଅର୍ଥ ଗମନ କରିବା । ଗଛରେ ଗମନ କରିପାରେ ବୋଲି ବାନରକୁ ମର୍କଟ କହନ୍ତି । ଏପରି ବ୍ୟୁତ୍ପତ୍ତି ସଂସ୍କୃତ ଭାଷାରେ ନ ଥିବାରୁ ଏହାକୁ ସେ ତାମିଲୀ ଶବ୍ଦ କହିଅଛନ୍ତି । କିନ୍ତୁ ଏପରି ‘କାଟ୍ଟୁ’ ଯୋଗରେ ଅନ୍ୟ କେଉଁ ଶବ୍ଦରେ ‘କା’ ‘କ’- ରେ ଓ ‘ଟ୍ଟୁ’ ‘ଟ’ -ରେ ତାମିଲୀଭାଷାରେ ପରିଣତ ହୋଇଅଛି, ସେ କହି ନାହାନ୍ତି । ସଂସ୍କୃତରେ ‘ମର୍କ’ ଶବ୍ଦର ଅର୍ଥ ବାୟୁ ଓ ‘ଟ’-ର ଅର୍ଥ ତ୍ରିଲୋକଖ୍ୟାତ । ହନୁମାନ୍‌ ମରୁତ୍‌ ବା ବାୟୁର ପୁତ୍ର ହୋଇଥିବାରୁ ଡେଇଁ ଡେଇଁ ବାୟୁରେ ଚଞ୍ଚଳ ଗମନ କରିପାରେ । ମର୍କଟର ଉଦର ନତ । ସିଂହବନ୍ଧରେ ଉଦର ନତ କରି ସାଧକମାନେ ଉଡ଼ୁଥିଲେ । ହନୁମାନର ବହୁଦୂର ଡେଇଁବାଗତି ଉଡ଼ିବା ସଙ୍ଗେ ସମାନ । ଏଣୁ ସିଂହସନ୍ତକ ଥିବା ଜୈନତୀର୍ଥଙ୍କର ‘ମହାବୀର’ ନାମରେ ହନୁମାନ୍‌ ମୂର୍ତ୍ତି ପୁରୀରେ ପୂଜା କରାଯାଏ । ଏହିପରି ସଂସ୍କୃତ ବ୍ୟୁତ୍ପତ୍ତି ସହିତ ‘ମର୍କଟ’ ନାମର ସାର୍ଥକତା ଅଛି ଓ ବ୍ୟାକରଣଗତ ସନ୍ଦେହ ନାହିଁ । ଏହାର ଅର୍ଥ ତ୍ରିଲୋକ-ଖ୍ୟାତ ବାୟୁ-ଅରୂପ ବାୟୁ ନୁହେଁ ।

ବଙ୍ଗଳାରେ କୁକୁର-ଶାବକଙ୍କୁ ଡ଼ାକିବା ବେଳରେ ‘କୁର୍‌କୁର୍‌’ କହନ୍ତି । ଓଡ଼ିଆରେ କେହି ପ୍ରକୃତ ଅଭିଯୋଗ ନ କରି କେବଳ ବିରକ୍ତିପ୍ରକାଶ ସୂଚକ ଶବ୍ଦକଲେ ‘‘କେର୍‌ କେର୍‌ ହେଉଚି’’ କହନ୍ତି । ଶବ୍ଦନୁକରଣରେ ଆର୍ଯ୍ୟଭାଷାର ଉତ୍ପତ୍ତି । ଏଣୁ କେବଳ ତାମିଲୀଭାଷାରେ ଗୋଳାମାଳ କରିବା ଅର୍ଥରେ ‘କୁର୍‌’ ଧାତୁ ବ୍ୟବହୃତ ହୁଏ ବୋଲି ‘କୁଙ୍କୁର’ ଶବ୍ଦଟି ଦ୍ରାବିଡ଼ୀ ବୋଲି କାଲାଡ୍ ଓୟେଲ୍‍ କହିବା ସମୀଚୀନ ନୁହେଁ ।

ଇଂରେଜମାନେ ତାମିଲୀ ରାଜ୍ୟରେ ପ୍ରବେଶ କରି ତାମିଲୀ ଭାଷାରେ ଚାଉଳକୁ ‘ଅରିସା’ କହୁଥିବାର ଶୁଣିଲେ ଓ ତାହା ସେମାନଙ୍କ କାନକୁ ‘ରାଇଶ୍‌’ (rice) ରୂପରେ ଶୁଣାଗଲା ଫଳରେ ଏହା ସେମାନଙ୍କ ଭାଷାରେ ଗୃହୀତ ହେଲା । କିନ୍ତୁ ବଙ୍ଗଳାରେ ଯାହାକୁ ‘ଆତପ ଚାଲ୍‌’ ଅର୍ଥାତ୍‌ ସୂର୍ଯ୍ୟକିରଣ ସିଦ୍ଧଚାଉଳ କହନ୍ତି । ଓଡ଼ିଆରେ ତାହାକୁ ଅରୁଆଚାଉଳ କହନ୍ତି ଓ ତାମିଲୀ ଦେଶରେ କେବଳ ଏହି ଚାଉଳ ବ୍ୟବହୃତ ହୁଏ । ସଂସ୍କୃତରେ ସୂର୍ଯ୍ୟଙ୍କୁ ‘ଅରିସ୍‌’ କୁହାଯାଉଥିବାରୁ ସୂର୍ଯ୍ୟସିଦ୍ଧ ତଣ୍ଡୁଳକୁ ‘ଅରିସା’ ଓ ଓଡ଼ିଆମାନେ ତାହାକୁ ‘ଅରୁଆ’ କହିଲେ । ଅଗ୍ନିରେ ସିଦ୍ଧ ବା ଉଷ୍ଣ ଧାନର ଚାଉଳ ବ୍ୟବହାର କରାଯାଉଥିବାରୁ ବଙ୍ଗଳାରେ ‘ସିଦ୍ଧ ଚାଲ୍‌’ ଓ ‘ଆତପ ଚାଲ୍‌’ ଏବଂ ଓଡ଼ିଆରେ ‘ଉଷୁନା ଚାଉଳ’ ଓ ‘ଅରୁଆ ଚାଉଳ’ କହନ୍ତି । ଓଡ଼ିଶାରେ ଜନସାଧାରଣ ‘ଅରୁଆ’ ଶବ୍ଦକୁ ‘ଉଆ’ ଉଚ୍ଚାରଣ କଲେଣି । ଯାହାହେଉ, ତାମିଲୀ ଭାଷା ସଂସ୍କୃତ ଭାଷାଠାରେ ଅଥବା ସଂସ୍କୃତ ଭାଷା ତାମିଲୀ ଭାଷାଠାରେ ଋଣୀ, ଏହା ସିଦ୍ଧାନ୍ତ କରିବା କଠିନ । ପଚାଶ ଜାତି ଆର୍ଯ୍ୟସୀମା ପ୍ରାନ୍ତରେ ବାସ କରିବାପାଇଁ ବିଶ୍ୱାମିତ୍ର ଅଭିଶାପ ଦେଇଥିବାର ଐତରେୟ ବ୍ରାହ୍ମଣରେ ଉକ୍ତ ଅଛି ଓ ମନୁସଂହିତାରେ ଦ୍ରାବିଡ଼ମାନଙ୍କୁ ପତିତ କୁହାଯାଇ ଅଛି । ଶିଷ୍ଟବୃତ୍ତି, ଶିଷ୍ଟାଚାର ଓ ବ୍ରାହ୍ମଣ୍ୟ-ଧର୍ମ ଯେଉଁମାନେ ମାନୁ ନ ଥିଲେ, ସେମାନେ ପତିତ ଜାତି । ବ୍ରାହ୍ମଣ୍ୟ-ଧର୍ମ ମାନି ନ ଥିବାରୁ ଓଡ଼ି କ୍ଷତ୍ରିୟମାନଙ୍କୁ ମଧ୍ୟ ମନୁସଂହିତାରେ ପତିତ କୁହାଯାଇଅଛି । ଜୈନ ଓ ବୌଦ୍ଧଧର୍ମର ପ୍ରଭାବରେ ଯେଉଁ ରାଜ୍ୟର ଜନସାଧାରଣ ସଂସ୍କୃତ ସାହିତ୍ୟର ସଂସ୍ରବରେ ବହୁକାଳ ଆସିଲେ ନାହିଁ, ସେ ରାଜ୍ୟର ଭାଷାରେ ସଂସ୍କୃତ ଭାଷାର ସାଦୃଶ୍ୟ ଗଭୀର ଭାବରେ ଲୁଚି ଯାଇଅଛି । ଭାଷାର ଏକତ୍ୱ ସାହିତ୍ୟ ଓ ଜାତିର ଏକତ୍ୱ ଭାଷା ରକ୍ଷାକରେ । ପ୍ରାଚୀନ ଓଡ଼ିଆ ସାହିତ୍ୟ ନ ଥିଲେ ବଙ୍ଗଭାଷା ଓଡ଼ିଆ ଭାଷାକୁ ଗ୍ରାସ କରିଥାନ୍ତା ।

ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଓଡ଼ିଆରେ ‘ଅପଭ୍ରଂଶବୋଧିନୀ’ ଓ ‘ମୂଳଶବ୍ଦବୋଧିକା’ ନାମରେ ଦୁଇଖଣ୍ଡି ପୁସ୍ତକ ପ୍ରକାଶିତ ହୋଇଥିଲା । ଦେବସ୍ନାନ ପୂର୍ଣ୍ଣିମା ଉତ୍ତାରୁ ଜଗନ୍ନାଥଙ୍କ ମନ୍ଦିରର ପର ନୀତିର ଯେଉଁ ‘ଅଣସର’ ନାମ ତାହା ‘ଅନବସର’ ଶବ୍ଦରୁ ଅପଭ୍ରଷ୍ଟ ବୋଲି ଲେଖାଥିଲା । ଏହି ନୀତିରେ ଜଗନ୍ନାଥ ପ୍ରଭୃତି ଚାରିମୂର୍ତ୍ତିମାନ ସିଂହାସନ ତଳରେ ସ୍ଥାପିତ ହୁଅନ୍ତି ଓ ତାହାଙ୍କ ସମ୍ମୁଖରେ ହାତଗୋଡ଼ ଥିବା ମୂର୍ତ୍ତିମାନଙ୍କର ଚିତ୍ରପଟ ଟଙ୍ଗା ହୁଏ । ଏହି ଟଙ୍ଗା ମୂର୍ତ୍ତିମାନଙ୍କୁ ସ୍ନାନ-ଅବକାଶ-ଭୋଗ-ପୂଜା-ହୁଏ । ରାତ୍ରରେ କେବଳ ଜଗନ୍ନାଥ ପ୍ରଭୃତି ମୂର୍ତ୍ତି ମାନଙ୍କୁ ଦୈତ୍ୟ ସେବାସୀମାନେ ଦଶମୂଳକ୍ରାଥ ଓ ପଇଡ଼ପାଣି ସମର୍ପଣ କରନ୍ତି ଓ ପରଦିନ ବ୍ରାହ୍ମଣ ପୂଜକମାନେ ଶୁଦ୍ଧି-ହୋମକରି ଟଙ୍ଗା ଚିତ୍ରପଟଙ୍କର ସ୍ନାନଭୋଗ ସମାପନ କଲେ ଯାତ୍ରୀମାନେ ଦର୍ଶନପାଇଁ ଅବକାଶ ପା’ନ୍ତି । ସ୍ନାନ ଉତ୍ତାରୁ ଯେଉଁ ଭୋଗ ତାହା, ଜଳଖିଆ ବୋଲି ସାଧାରଣ ଲୋକ କହିପାରେ । ଏ ଭୋଗ ଉତ୍ତାରୁ ସକାଳଭୋଗ ବା ପ୍ରାତଃଭୋଜନ ଅନୁଷ୍ଠାନ କରାଯାଏ । ମଧ୍ୟବର୍ତ୍ତୀ କାଳ ଦର୍ଶନପାଇଁ ଅବକାଶ । ଯାତ୍ରୀମାନେ ମୂର୍ତ୍ତି ବା ଚିତ୍ରପଟ ନିକଟକୁ ଯାଇ ଦର୍ଶନ କରନ୍ତି । ପନ୍ଦର ଦିନ ଉତ୍ତାରୁ ମୂର୍ତ୍ତିମାନଙ୍କରେ ନେତ୍ର-ଚିହ୍ନ ଚିତ୍ର କରାଯାଏ । ଏହାକୁ ନେତ୍ରୋତ୍ସବ ବା ନବଯୌବନ କୁହାଯାଏ ।

ଛାନ୍ଦୋଗ୍ୟୋପନିଷଦ୍‌ର ଆଖ୍ୟାନ ଅନୁସାରେ ଉଦ୍ଦାଳକ ଶ୍ୱେତକେତୁଙ୍କୁ ପନ୍ଦର ଦିନ ଉପବାସ ରହିବାପାଇଁ ନିର୍ଦ୍ଦେଶ ଦେଲେ । ସେ ଉପବାସ ରହି ଆସି କହିଲେ ଯେ ଋକ୍‌, ସାମ, ଯଜୁ ପ୍ରଭୃତି ସେ ଆଉ ବୁଝିପାରୁ ନାହାନ୍ତି । ଉପବାସରେ ଶରୀର କ୍ଷୀଣ ହେବା ସଙ୍ଗେ ସଙ୍ଗେ ତାହାଙ୍କ ଜ୍ଞାନ ମଧ୍ୟ କ୍ଷୀଣ ହୋଇଅଛି । ଉଦ୍ଦାଳକ ଖାଦ୍ୟ ଭୋଜନ କରିବାକୁ କହିବାରୁ ଶ୍ୱେତକେତୁ ଭୋଜନକରି ଋକ୍‌, ସାମ, ଯଜୁ ପ୍ରଭୃତି ବୁଝିପାରିଲେ ବା ନବଯୌବନ ଅବସ୍ଥା ଅନୁଭବ କରିଥିଲେ-। ଏହି ଆଖ୍ୟାନର ତାତ୍ପର୍ଯ୍ୟ ଏହି ଯେ, ଶରୀର ଓ ଆତ୍ମା ବା ଜ୍ଞାନ ମଧ୍ୟରୁ ଗୋଟିକର ଅଭାବରେ ଅନ୍ୟଟି ରହି ନ ପାରେ । ବୁଦ୍ଧଦେବ ମଧ୍ୟ କହିଅଛନ୍ତି ଯେ ରଥର ଗୋଟିଏ ଅଙ୍ଗ ଭାଙ୍ଗିଗଲେ ଆତ୍ମାରଥ ଚଳାଇ ନ ପାରେ । ଓଡ଼ିଶାର ପାରମ୍ପରିକ ଜନଶ୍ରୁତି ଅନୁସାରେ ଦେବାସୁର ଯୁଦ୍ଧରେ ଦଶରଥଙ୍କ ରଥର ଚକ ପାଖରୁ ଅନିକିଳ ଖସି ପଡ଼ିବାରୁ କୈକେୟୀ ନିଜ ଅଙ୍ଗୁଳି ଅନିକିଳ ସ୍ୱରୂପ ବ୍ୟବହାର କରିଥିଲେ । ବୁଦ୍ଧଦେବ ବୈଦିକ ହୋମଯଜ୍ଞ ଓ କାୟକ୍ଳେଶର ବିରୋଧ ଓ ନିଷ୍କାମ ସନ୍ନ୍ୟାସଧର୍ମର ପକ୍ଷପାତୀ ଥିଲେ । ଭୌତିକ ଇନ୍ଦ୍ରିୟଲାଳସାର ତୃପ୍ତି ଓ ଆଧ୍ୟତ୍ମିକ କାମନାର ମୁକ୍ତିର ମଧ୍ୟମ ପଥ ଅନୁସରଣ କରିବାପାଇଁ ଉପଦେଶ ଦେଇଥିଲେ । ଏଣୁ ଉପନିଷଦର ଉଦ୍ଦାଳକ ଓ ଶ୍ୱେତକେତୁ ଯଥାକ୍ରମେ ବୁଦ୍ଧ ଓ ତାହାଙ୍କର ପୁତ୍ର ରାହୁଳଙ୍କ ସଦୃଶ । ରାହୁ ସର୍ପର ମୁଣ୍ଡ ବା ସର୍ପ-ଧର୍ମର ଜ୍ଞାନବାଦୀ ମହାଯାନ ସମ୍ପ୍ରଦାୟ । ଦୈତାସେବକମାନେ ଜୈନ ଓ କୃଷ୍ଣକେତୁ ବୌଦ୍ଧ ଥିଲେ-। ଏଣୁ ସେମାନେ ମାୟାବାଦୀ ଦୈତ୍ୟ ଥିଲେ । ଶ୍ୱେତକେତୁଙ୍କର ଅନଶନ-ଲବ୍‌ଧ ଜ୍ଞାନରେ ସେମାନେ ମାୟାବାଦ ଛାଡ଼ିଥିବାରୁ ସେହି ଅନଶନ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ହେଉଅଛି ଓ ଏହି ଅନଶନରୁ ‘ଅଣସର’ ଶବ୍ଦ ଅପଭ୍ରଷ୍ଟ ।

ଜୈନ ସ୍ଥବିରାବଳି-ଚରିତରୁ ଜଣାଯାଏ ଯେ ଅଶୋକଙ୍କ ପୁତ୍ର ସମ୍ପ୍ରତିଙ୍କ ରାଜତ୍ୱ କାଳରେ ପୁରୀରେ ଜୈନ ଓ ବୌଦ୍ଧମାନେ ବାସକରୁଥିଲେ । ମହାଭାରତରେ ଉକ୍ତ ଅଛି ଯେ କେତୁମାନ କଳିଙ୍ଗର ସୈନ୍ୟାଧ୍ୟକ୍ଷ ଥିଲେ । ଯେଉଁ ‘ଶ୍ୱେତକ’ ନାମକ ସ୍ଥାନରୁ ଗଙ୍ଗରାଜାମାନେ ତାମ୍ରଶାସନ ଦାନ କରିଥିଲେ, ସେହି ଶ୍ୱେତକେତୁଙ୍କ ନାମର ସ୍ମୃତିଚିହ୍ନ ବୋଲି ଅନୁମିତ ହୁଏ । ଜଗନ୍ନାଥ ଧର୍ମରେ ଜୈନ ଓ ବୌଦ୍ଧଧର୍ମ ମିଶିଥିବାର ଦ୍ୱାଦଶ ଶତାବ୍ଦୀର ଉଦୟନାଚାର୍ଯ୍ୟ ମଧ୍ୟ କହିଅଛନ୍ତି :–

‘‘ଯଂ ଶୈବାଃ ସମୁପାସତେ ଶିବ ଇତି ବ୍ରହ୍ମେତି ବେଦାନ୍ତିନଃ

ବୌଦ୍ଧାଃ ବୁଦ୍ଧ ଇତି ପ୍ରମାଣପାଟବଃ କର୍ତ୍ତେତି ନୈୟ୍ୟାୟିକାଃ ।

ଅର୍ହନ୍‍ ନିତ୍ୟାଥ ଜୈନଶାସନରତାଃ କର୍ମେତି ମୀମାଂସକାଃ

ସୋଽୟଂ ବଃ ବିଦଧାତୁ ବାଞ୍ଛିତଫଳଂ ତ୍ରୈଲୋକ୍ୟେନାଥୋ ହରିଃ ।।

ଜଗନ୍ନାଥ-ଧର୍ମରେ ବିଭିନ୍ନ ମତ ମିଶିଥିବାର ପ୍ରତିପାଦିତ ହେଉଥିଲେ ମଧ୍ୟ ପୁରୀରେ ଶବର ବିଶ୍ୱାବସୁ ନୀଳମାଧବ ପୂଜା କରୁଥିବାର ପାରମ୍ପରିକ ଜନଶ୍ରୁତି ପୁରାଣରେ ଲିପିବଦ୍ଧ ହୋଇଅଛି । ବିଶ୍ୱାବସୁ ନାମକ ଗନ୍ଧର୍ବ ବିପଥଗାମୀମାନଙ୍କୁ ଶିବ ଉଦ୍ଧାର କରିଥିବାର କୁମାରସମ୍ଭବରେ ବର୍ଣ୍ଣିତ ଅଛି । ଭରତଙ୍କୁ ଚିତ୍ରକୂଟ ପଥରେ ଭରଦ୍ୱାଜ ମୁନିଙ୍କ ଆଶ୍ରମଠାରେ ହାହାହୂହୂଙ୍କ ନୃତ୍ୟ ଓ ସଙ୍ଗୀତରେ ବିଶ୍ୱାବସୁ ଆପ୍ୟାୟିତ କରିଥିବାର ରାମାୟଣରେ ବର୍ଣ୍ଣିତ ଅଛି । ମୟୂର ରବକୁ କେକା କହନ୍ତି । ମୟୂର ପରି ଯେଉଁ ରମଣୀମାନେ ଗୀତ-ନୃତ୍ୟ କରୁଥିଲେ ସେମାନେ କୈକେୟୀ । ତାହାଙ୍କ ପୁତ୍ର ଭରତ ଦଶରଥଙ୍କ ମୃତ୍ୟୁ-ସମ୍ୱାଦ ପହଞ୍ଚିବା ବେଳକୁ ରାଜଗୃହରେ ନୃତ୍ୟଗୀତରେ ଚିତ୍ତ ବିନୋଦନ କରୁଥିଲେ । ଭରତମୁନି ନାଟ୍ୟଶାସ୍ତ୍ର ପ୍ରଣୟନ କରିଥିଲେ । ଏଣୁ ଭାରତରେ ଭରତ ଜାତି ନୃତ୍ୟଗୀତର ପ୍ରବର୍ତ୍ତକ ବୋଲି କହିବାକୁ ହୁଏ । ଗନ୍ଧର୍ବମାନଙ୍କୁ ହାହାହୂହୂ ଓ କୋହ୍ଲମାନଙ୍କୁ ‘ହୋ’ କହନ୍ତି । ନୃତ୍ୟକାଳରେ କୌଣସି ଭାଷାରେ ଗୀତ ଗାଇ ନ ପାରି କେବଳ ‘ହାହାହୂହୂ’ ଧ୍ୱନି କରୁଥିବା ଲୋକଙ୍କୁ ହାହାହୂହୂ କୁହାଯାଉଥିବାରୁ ତହଁରୁ ସମ୍ଭବତଃ ‘ହୋ’ ନାମଟି ଜାତ ହୋଇଅଛି । ଏମାନେ ବର୍ତ୍ତମାନ ମଧ୍ୟ ନୃତ୍ୟଗୀତପ୍ରିୟ । ଏଣୁ ଯେଉଁମାନେ ଶବ ବା ମଡ଼ାପରି ହୋଇଥିଲେ, ସେମାନଙ୍କଠାରେ ନୃତ୍ୟଗୀତଦ୍ୱାରା ‘ର’ ଅର୍ଥାତ୍‌ କାମାଗ୍ନି ଉଦ୍ଦୀପନା ଉତ୍ତାରୁ ସେମାନେ ଶବର ନାମରେ ଅଭିହିତ ହୋଇଥିବାର ଅନୁମିତ ହୁଏ ।

ନୃତ୍ୟ-ଗୀତ ଶିକ୍ଷକମାନଙ୍କ ଭାଷା ଯଦି ହୋ-ମାନଙ୍କ ମୁଖରେ ପରିବର୍ତ୍ତିତ ହୋଇଥିବ, ତେବେ ପରିବର୍ତ୍ତିତ ଭାଷାଦ୍ୱାରା ଅଜ୍ଞାତ ସାରରେ ଶିକ୍ଷକମାନେ ପ୍ରଭାବିତ ହୋଇଥିବେ । ଓଡିଆ ସଙ୍ଗୀତ ପ୍ରକୃତ ରାଗରେ ଗାଇବା ପୂର୍ବରୁ ତାଳ ନିର୍ଣ୍ଣୟ ପାଇଁ କେବଳ ‘ଡାରେ ଡାରେ ଅଥବା ‘ନାରେ ନାରେ’ ଗାଇଥାନ୍ତି । ଗନ୍ଧର୍ବମାନେ ସେପରି ସମ୍ଭବତଃ ‘ହାହାହୂହୂ’ ଗାଉଥିଲେ । ଏମାନେ ତାଳ ଠିକ୍‌ ରଖି ଗାଇବା ସମ୍ଭବ ନୁହେଁ ।

ବରଋଚି ପ୍ରାକୃତ ବ୍ୟାକରଣରେ ‘ସୂର୍ଯ୍ୟ’ ଶବ୍ଦ ପ୍ରାକୃତରେ ‘ସ୍ୱର’ ଉଚ୍ଚାରଣ କରାଯାଏ ବୋଲି ଲେଖିଛନ୍ତି । ଏହି ପ୍ରାକୃତ ‘ସ୍ୱର’ ଶବ୍ଦ ପୁଣି ସଂସ୍କୃତରେ ମିଶିଅଛି । ପୁଣି ସଂସ୍କୃତ ‘କ୍ରୀଡ଼ିତା’ ପାଲିରେ ‘କୀଳିତା’ ହୁଏ । କିନ୍ତୁ ଖାରବେଳଙ୍କ ଶିଳାଲିପିର ଅର୍ଦ୍ଧମାଗଧୀ ଭାଷାରେ ଏହା କ୍ରୀଡ଼ିତା ହୋଇଅଛି । ସିଦ୍ଧମାନଙ୍କର ଭାଷାରେ ଏପରି ହୋଇଅଛି । ସଂସ୍କୃତ ‘କ୍ରୀଡ଼୍‍’ ଧାତୁ ପାଲିରେ ‘କିଲ୍‌’ ହେଇଥିବାରୁ ଏଥିରୁ ସଂସ୍କୃତ ‘କେଳି’ ହୋଇ ଓଡ଼ିଆାରେ ‘ଖେଳ’ ହେଲା । ଧଉଳି ଶିଳାଲିପିରେ ସଂସ୍କୃତ ବ୍ୟାକରଣର ନିର୍ଦ୍ଦେଶଅନୁସାରେ ‘ଲେଖାପାତ’ ଯେପରି ଦୃଷ୍ଟ ହୁଏ, ଅନ୍ୟ ରଜ୍ୟର ଶିଳାଲିପିରେ ସେପରି ନୋହି ପୃଥକ୍‌ ହେଲା । ବୌଦ୍ଧଧର୍ମର ଗାଥା-ସାହିତ୍ୟରେ ସଂସ୍କୃତ ଓ ପ୍ରାକୃତ ଭାଷାର ବ୍ୟବହାର ଏକତ୍ର ଦେଖାଯାଏ । ଏଣୁ ଏକ ସଙ୍ଗରେ, ଏକ କାଳରେ ଉଭୟ ଭାଷାର ପ୍ରଚଳନ ଥିବାରୁ ଉଭୟ ଭାଷା ପରସ୍ପର, ଆଦାନପ୍ରଦାନରେ ସମୃଦ୍ଧ ହୋଇଅଛନ୍ତି ।

•••

 

ତୃତୀୟଅଧ୍ୟାୟ

ଓଡ଼ିଆ ଭାଷାର ଉତ୍ପତ୍ତି-ଧାରା

 

ବାୟୁର ଗୁଣ ଶବ୍ଦ । ଶରୀରର ଶ୍ୱାସବାୟୁ ସାହାଯ୍ୟରେ ବର୍ଣ୍ଣମାନ ଉଚ୍ଚାରଣ କଲେ ଭାଷାର ଶବ୍ଦ ଜାତ ହୁଏ । ପ୍ରତ୍ୟେକ ବର୍ଣ୍ଣର ଧ୍ୱନିରେ ଅର୍ଥ ସ୍ଫୁଟିତ ହେଉଥିବାରୁ ପ୍ରତ୍ୟେକ ବର୍ଣ୍ଣକୁ ସ୍ଫୋଟ କହନ୍ତି । ବୈଦିକ ଭାଷାରେ ପଚାଶଟି ବର୍ଣ୍ଣ ଥିଲା–ଅ, ଆ, ଇ, ଈ, ଉ, ଊ, ଋ, ଋ,ୠ,କ, ଖ, ଏ, ଐ, ଓ, ଔ । ଏପରି ଚଉଦଟି ସ୍ୱରବର୍ଣ୍ଣ । ପ୍ରଥମ ଦଶୋଟିର ଧ୍ୱନି ପାଞ୍ଚ ପ୍ରକାର । ହ୍ରସ୍ୱ ଓ ଦୀର୍ଘ ଭେଦରେ ସେଗୁଡ଼ିକର ପ୍ରତ୍ୟେକ ଧ୍ୱନିକୁ ଦୁଇ ଦୁଇ ଭାଗକରି ଦଶୋଟି କରାଯାଇଥିଲା । ଉକ୍ତ ସ୍ୱରମାନଙ୍କ ଧ୍ୱନି ମୁଖ ଗହ୍ୱରର ବିଭିନ୍ନ ସ୍ଥାନରୁ ଜାତ ହୁଏ–ଅ, ଆ କଣ୍ଠରୁ; ଇ, ଈ ତାଳୁରୁ; ଉ, ଊ ଓଷ୍ଠରୁ; ଋ,ୠ ମୂର୍ଦ୍ଧାରୁ ଓ କ,ଖ ଦନ୍ତ୍ୟରୁ ଜାତ । ହ୍ରସ୍ୱ-ଦୀର୍ଘ ଭେଦରେ ଅ ଆ ଦୁଇଟି ଧ୍ୱନି ହୋଇଥିବାରୁ ଇ,ଈ ଉଚ୍ଚାରଣ କଲେ ଦୁଇ ଧ୍ୱନିର ଯେପରି ପ୍ରଭେଦ ଲକ୍ଷିତ ହୁଏ, ସେପରି ପ୍ରଭେଦ ଅ, ଆ ର ଦୁଇ ଧ୍ୱନି ମଧ୍ୟରେ ଥିଲା ବୋଲି ଅନୁମିତ ହୁଏ । ଅର୍ଥାତ୍‌ ‘ଅ’-କୁ ଆମେ ହ୍ରସ୍ୱ ‘ଆ’ ରୂପରେ ଉଚ୍ଚାରଣ କରୁଥିଲୁ । ଏପରି ଉଚ୍ଚାରଣ ବର୍ତ୍ତମାନ ତେଲୁଗୁ, ତାମିଲୀ ପ୍ରଭୃତି ଭାଷାରେ ଲିଖିତ ହୁଏ । ଏ,ଐ–ଏ ଦୁଇ ସ୍ୱରର ଧ୍ୱନି କଣ୍ଠ ଓ ତାଳୁରୁ ଏବଂ ଓ,ଔ–ଏ ଦୁଇ ସ୍ୱରର ଧ୍ୱନି କଣ୍ଠ ଓ ଓଷ୍ଠରୁ ଜାତ ହେଉଥିବାରୁ ଏମାନେ ସର୍ବଦା ଦୀର୍ଘ ସ୍ୱର । ଦୁଇ ସ୍ୱରର ଧ୍ୱନି ସମାନ ବା ଏକ ଜାତୀୟ ହୋଇଥିଲେ ସନ୍ଧିରେ ଗୋଟିଏ ଦୀର୍ଘସ୍ୱର ରହି ଅନ୍ୟଟି ଲୋପ ପାଉଥିଲା । ଦୁଇ ସ୍ୱର ମିଶି ଏ, ଐ ଅଥବା ଓ, ଔ କିପରି ହେଉଥିଲା, ତାହା କହିବାର ପ୍ରୟୋଜନ ନାହିଁ । ପ୍ରତ୍ୟେକ ସ୍ୱରକୁ ଉଦାତ୍ତ ବା ଉଚ୍ଚ ସ୍ୱରରେ ଅନୁଦତ୍ତ ବା ନିମ୍ନ ସ୍ୱରରେ ଏବଂ ସ୍ୱରିତ ବା ମଧ୍ୟମ ସ୍ୱରରେ ଉଚ୍ଚାରଣ କରିବାକୁ ବିଧିଥିଲା । କିନ୍ତୁ ସାହିତ୍ୟରେ ସେପରି ଉଚ୍ଚାରଣ ଚିହ୍ନାଇବା ପାଇଁ କୌଣସି ଲିପି ନ ଥିଲା-। ସଂସ୍କୃତରେ କ, ଖ ସ୍ୱରଦ୍ୱୟର ଧ୍ୱନି ଲୋପ ପାଇଥିଲା । ଏହି ଦୁଇ ଧ୍ୱନିସହିତ ଋ, ଋ ସ୍ୱରଦ୍ୱୟର ଧ୍ୱନି ବ୍ୟବହୃତ ହେଉ ନ ଥିଲା । ଯେଉଁ ସବୁ ସଂସ୍କୃତ ଶବ୍ଦର ଆଦ୍ୟ ବ୍ୟଞ୍ଜନରେ ‘ଋ’ ଯୁକ୍ତ ଥିଲା, ସେହି ‘ଋ’ର ଧ୍ୱନି ‘ଇ’ ବା ‘ଅ’-ର ଧ୍ୱନିରେ ପରିଣତ ହୋଇଅଛି । ଯଥା, ସଂ ପୃଥୁ < ପ୍ରା ପିଥୁ, ସଂ ଦୃଷ୍ଟି < ପ୍ରା ଦିଠି, ସଂ ନୃତ୍ୟତି < ପ୍ରା ଣଚ୍ଚଇ ଇତ୍ୟାଦି । ଓଡ଼ିଶାର ଜନସାଧାରଣଙ୍କ ଭାଷାରେ ଋ କାର ‘ରୁ’-ରୂପରେ ଉଚ୍ଚାରିତ । ଯଥା, ପୃଥୁ= ପ୍ରୁଥୁ ଦୃଷ୍ଟି = ଦ୍ରୁଠି । ଖାରବେଳଙ୍କ ଅର୍ଦ୍ଧମାଗଧୀ ଶିଳା-ଲିପିରେ ‘ଐ’ ଲିପି ଥିଲେ ମଧ୍ୟ ଜନସାଧାରଣଙ୍କ ଓଡ଼ିଆରେ ଏହା ‘ଅଇ’ ରୂପରେ ଏବଂ ‘ଔ’ ବର୍ଣ୍ଣ ‘ଅଉ’ ରୂପରେ ଉଚ୍ଚାରିତ । କଥିତ ଓଡ଼ିଆରେ ଈ, ଊ ଉଚ୍ଚାରଣ କରାଯାଏ ନାହିଁ । କଥିତ ଓଡ଼ିଆରେ ଅ, ଆ, ଇ, ଉ, ଏ, ଓ– ଏହି ଛ’ଟି ସ୍ୱରବର୍ଣ୍ଣର ଧ୍ୱନି ପ୍ରଚଳିତ ଅଛି । ଚଉଦ ସ୍ୱରରୁ ସଂସ୍କୃତରେ ତେର ସ୍ୱର ଥିଲା । ବର୍ତ୍ତମାନ ସଂଖ୍ୟା ବହୁତ ଊଣା ।

 

ଇନ୍ଦ୍ର ବାୟୁକୁ ଅଣଚାଶ ଖଣ୍ଡ କରିଥିବାର ପୌରାଣିକ କଥାର ମର୍ମ ଏହି ଯେ ଭାଷାରେ ଏକ ଶ୍ୱାସବାୟୁ ତେର ସ୍ୱର ବର୍ଣ୍ଣ ଓ ଛତ୍ରିଶ ବ୍ୟଞ୍ଜନ ବର୍ଣ୍ଣ ଭେଦରେ ଅଣଚାଶ ପ୍ରକାର ଧ୍ୱନିରେ ମୁଖରୁ ନିର୍ଗତ ହୁଏ ।

 

ବ୍ୟଞ୍ଜନବର୍ଣ୍ଣଗୁଡ଼ିକ ହସନ୍ତ୍ ବର୍ଣ୍ଣ । ବିଗତ ବ୍ୟକ୍ତକରଣ ହୋଇଥିବାରୁ ଏଗୁଡ଼ିକୁ ବ୍ୟଞ୍ଜନ କୁହାଯାଏ । ପୂର୍ବେ ବା ପରେ କୌଣସି ସ୍ୱରର ବିନା ସାହାଯ୍ୟରେ କୌଣସି ବ୍ୟଞ୍ଜନ ବ୍ୟକ୍ତ ହୋଇ ନ ପାରେ । ଆମେ ପୂର୍ବରେ ବା ପରେ ‘ଅ’ ଯୋଗ କରି ‘ଅକ’ ବା ‘କ’ ଉଚ୍ଚାରଣ କରିପାରୁ । କିନ୍ତୁ କେବଳ ‘କ୍‌’ ବ୍ୟକ୍ତ କରିପାରିବୁ ନାହିଁ । ‘ଶକ୍‌’ ଅଥବା ‘କ’ ଉଚ୍ଚାରଣ କଲେ– ‘ଶ’ରେ ଅକାର ଅଛି ‘କ’ରେ ଆକାର ଯୋଗ କରାଯାଏ । ଛତିଶ ବ୍ୟଞ୍ଜନ ମଧ୍ୟରୁ ପ୍ରଥମ ପଚିଶଟିକୁ ସ୍ପଶ୍ୟ ବା ବର୍ଗ୍ୟବର୍ଣ୍ଣ କହନ୍ତି । ଏହା ଉଚ୍ଚାରଣର ସ୍ଥାନ ଅନୁସାରେ ପାଞ୍ଚ ଭାଗରେ ବିଭକ୍ତ । କ, ଖ, ଗ, ଘ, ଙ କଣ୍ଠରୁ; ଚ, ଛ, ଜ, ଝ, ଞ ତାଳୁରୁ; ଟ, ଠ, ଡ, ଢ, ଣ ମୂର୍ଦ୍ଧାରୁ; ତ, ଥ, ଦ, ଧ, ନ ଦନ୍ତରୁ ଏବଂ ପ, ଫ, ବ, ଭ, ମ ଓଷ୍ଠରୁ ଉଚ୍ଚାରିତ ହୁଅନ୍ତି ।

 

ଶ୍ୱାସ-ବାୟୁ ମୂର୍ଦ୍ଧାରେ ପ୍ରତିଘାତ ପାଇ ଗଳ-ବିଳ ସଂବୃତ ହେଲେ ଗଳବିଳରେ ଯେଉଁ ଅବ୍ୟକ୍ତ ଶବ୍ଦ ଜାତ ହୁଏ, ତାହାକୁ ନାଦ କହନ୍ତି । ଗଳବିଳ ବିବୃତ ବା ମୁକ୍ତ ଥିଲେ ଶ୍ୱାସ ଥାଏ । ଶ୍ୱାସର ଉପରିବର୍ତ୍ତୀ ବାୟୁକୁ ଶ୍ୱାସ ଓ ନାଦ ଉଭୟଙ୍କୁ ଅନୁପ୍ରଦାନ ବା ସାହାଯ୍ୟ କହନ୍ତି । ସେଠାରେ ଯେତେବେଳେ ସ୍ଥାନ ପ୍ରତିଘାତ ହେତୁରୁ (ମୂର୍ଦ୍ଧାରେ ପ୍ରତିଘାତ ଓ ସଂବୃତ ଗଳବିଳରେ ପ୍ରତିଘାତ) ଜାତ ଧ୍ୱନିକୁ ନାଦ ଅନୁପ୍ରଦାନ କରେ; ତେବେ ନାଦ ଓ ଉପରିବର୍ତ୍ତୀ ବାୟୁର ଧ୍ୱନି ସଂସ୍ରବରୁ ଘୋଷ ଜାତହୁଏ । ଶ୍ୱାସ ଅନୁପ୍ରଦାନ କଲେ ଶ୍ୱାସଧ୍ୱନି ସଂସର୍ଗରେ ଘୋଷ ହୁଏ । ପ୍ରତ୍ୟେକ ବର୍ଗରୁ ତୃତୀୟ ଚତୁର୍ଥ ପଞ୍ଚମ ଗ, ଘ, ଙ, ଜ, ଝ, ଞ, ଡ, ଢ, ଣ, ଦ, ଧ, ନ, ବ, ଭ, ମ ଏବଂ ଅବଶିଷ୍ଟ ଏଗାର ବ୍ୟଞ୍ଜନ ମଧ୍ୟରୁ ‘ହ’ ସହିତ ଅନ୍ତଃସ୍ଥ ୟ, ର, ଲ, ବ ବର୍ଣ୍ଣଗୁଡ଼ିକୁ ଘୋଷବର୍ଣ୍ଣ କହନ୍ତି ।

 

ବିବୃତ ଗଳବିଳରୁ ଯେଉଁ ବର୍ଣ୍ଣମାନଙ୍କ ଧ୍ୱନି ଜାତ ହୁଏ, ତାହାକୁ ଅ-ଘୋଷ ବର୍ଣ୍ଣ କହନ୍ତି-। ପ୍ରତ୍ୟେକ ବର୍ଗର ପ୍ରଥମ, ଦ୍ୱିତୀୟ କ, ଖ, ଚ, ଛ, ଟ, ଠ, ଢ, ଥ, ପ, ଫ, ଉଷ୍ମବର୍ଣ୍ଣ; ଶ, ଷ, ସ–ବର୍ଣ୍ଣଗୁଡ଼ିକୁ ଅଘୋଷବର୍ଣ୍ଣ କହନ୍ତି । ପ୍ରତ୍ୟେକ ବର୍ଗର ପ୍ରଥମ ତୃତୀୟ କ, ଗ, ଚ, ଜ, ଟ, ଡ, ତ, ଦ ବର୍ଣ୍ଣମାନଙ୍କୁ ସ୍ୱଳ୍ପପ୍ରାଣ ଏବଂ ଦ୍ୱିତୀୟ, ଚତୁର୍ଥ ଖ, ଘ, ଛ, ଝ, ଠ, ଢ, ଥ, ଧ, ଫ, ଭ ବର୍ଣ୍ଣଗୁଡ଼ିକୁ ମହାପ୍ରାଣ ବର୍ଣ୍ଣ କହନ୍ତି । ଏମାନଙ୍କୁ ଉଚ୍ଚାରଣ କରିବାକୁ ବିଶେଷ ବାୟୁର ପ୍ରୟୋଜନ ହୁଏ । ଙ, ଞ, ଣ, ନ, ମ - ଏଗୁଡ଼ିକ ଅନୁନାସିକ ବର୍ଣ୍ଣ ।

 

ବର୍ଣ୍ଣମାନଙ୍କ ଉଚ୍ଚାରଣ ସଂସ୍କୃତ ଭାଷାରେ ବଡ଼ ଜଟିଳ । ଗଳବିଳର ଶ୍ୱାସ ଓ ମୁଖ-ଗହ୍ୱରର ବାୟୁର ଯଥାଯଥ କ୍ରିୟା ନିତ୍ୟ ହୋଇ ନ ପାରେ । ଯଜ୍ଞାଦି ଅନୁଷ୍ଠାନରେ ମନ୍ତ୍ରପାଠ ଶୁଦ୍ଧ ନ ହେଲେ ପ୍ରାୟଶ୍ଚିତର ବ୍ୟବସ୍ଥା ଅଛି । ଏଣୁ ବର୍ଣ୍ଣମାନଙ୍କ ଧ୍ୱନି ଉଚ୍ଚାରଣ କାଳରେ ପରିବର୍ତ୍ତିତ ହେଉଥିଲା ବୋଲି ସହଜରେ ଅନୁମେୟ । ଏପରି ଅବସ୍ଥାରେ ସଂସ୍କୃତ କଥିତ ଭାଷାର ବାକ୍ୟରେ ଏକରୁ ଅଧିକ ଶବ୍ଦ ବ୍ୟବହୃତ ହେଲେ ଶବ୍ଦଗୁଡ଼ିକ ପରସ୍ପର ସନ୍ନିହିତ ହେବାରୁ ଶବ୍ଦମାନଙ୍କର ଅନ୍ତ୍ୟ ଓ ଆଦ୍ୟସ୍ୱର ଅଥବା ପ୍ରଥମ ଶବ୍ଦର ଅନ୍ତ୍ୟ ହସନ୍ତ୍‍ ବ୍ୟଞ୍ଜନର ଧ୍ୱନି ପରିବର୍ତ୍ତିତ ହେଉଥିଲା । ସାହିତ୍ୟିକ ସଂସ୍କୃତ ଭାଷାକୁ ଜୀବିତ ରଖିବା ପାଇଁ ଏହି ପରିବର୍ତ୍ତନର ବିଧି ନିର୍ଦ୍ଦିଷ୍ଟ ଅଛି । କିନ୍ତୁ ସଂସ୍କୃତ ଶବ୍ଦମାନଙ୍କର ବର୍ଣ୍ଣମାନଙ୍କର ଧ୍ୱନି ପ୍ରାକୃତ ଭାଷାରେ ଯେଉଁ ପରିବର୍ତ୍ତନ ଧାରଣ କରିଅଛି, ତାହା ପାଇଁ କୌଣସି ପ୍ରାକୃତ ବ୍ୟାକରଣରେ ପୂରା ସୂତ୍ର ନିର୍ଦ୍ଦେଶ କରାଯାଇନାହିଁ । ପୁଣି ପ୍ରାକୃତ ଭାଷା-ସମ୍ଭାରର ପୂର୍ଣ୍ଣାଙ୍ଗ ସାହିତ୍ୟ ବର୍ତ୍ତମାନ ମିଳୁଅଛି ବୋଲି କୁହାଯାଇ ନ ପାରେ ।

 

ସଂସ୍କୃତ ଶବ୍ଦ ସହିତ ପ୍ରାକୃତ ଶବ୍ଦର କେତୋଟି ବର୍ଣ୍ଣ ସଦୃଶ ଥିଲେ ଅନ୍ୟ ବିଷମ ବର୍ଣ୍ଣ ସଂସ୍କୃତ ଶବ୍ଦସ୍ଥ ବର୍ଣ୍ଣର ପରିବର୍ତ୍ତିତ ଧ୍ୱନି ବୋଲି ଧରାଯାଇଅଛି–ଯଥା, ସଂ<ସଦ୍ୟ <ପ୍ରା ସଜ, ସଂ ଅଦ୍ୟ <ପ୍ରା ଅଜ୍ଜ, ସଂ–ଏକାଦଶ <ପ୍ରା ଏଗାରହ, ସଂ କାଷ୍ଠ <ପ୍ରା: କାଟ୍‌ଠ, ସଂ ପତତି<ପ୍ରା ପଡ଼ଇ, ସଂ ପୃଷ୍ଠ <ପ୍ରା ପିଟ୍‌ଠ, ସଂ ପଶ୍ଚାତ୍‌<ପ୍ରା ପଚ୍ଛା, ସଂ ବୃଦ୍ଧ <ପ୍ରା ବୁଡଢ଼ା, ସଂ ବଳୀବର୍ଦ୍ଦ <ପ୍ରା ବଇଲ୍ଲ, ସଂ ବୃନ୍ତ <ପ୍ରା ବୁଣ୍ଟ, ସଂ ଭଗିନୀ <ପ୍ରା ବହିନି, ସଂ<ଭ୍ରମର<ପ୍ରା ଭମର ଇତ୍ୟାଦି । ଏମାନଙ୍କରୁ ଯଥାକ୍ରମରେ ଓଡ଼ିଆ ସବ, ଆଜ ଏଗାର, କାଠ, ପଡ଼େ, ପିଠି, ପଛ, ବୁଢ଼ା, ବଳଦ, ବେଣ୍ଟ, ଭଉଣୀ, ଭଅଁର ରୂପାନ୍ତରିତ ।

 

ଉଲ୍ଲିଖିତ ସଂସ୍କୃତ ଓ ପ୍ରାକୃତ ଶବ୍ଦ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ନାହିଁ । ପ୍ରଥମେ ସଂସ୍କୃତ ଶବ୍ଦମାନଙ୍କର ଏକ ବ୍ୟଞ୍ଜନରେ ଯୁକ୍ତ ଥିବା ଅନ୍ୟ ବ୍ୟଞ୍ଜନ ଲୋପ ପାଇ ବର୍ତ୍ତିବା ବ୍ୟଞ୍ଜନର ଦ୍ୱିତ୍ୱ ହେଉଥିଲା । ଓଡ଼ିଆରେ ଯ, ୟ ଦିଓଟି ଲିପି ଅଛି । ସଂସ୍କୃତ ଶବ୍ଦର ଆଦ୍ୟରେ ‘ଯ’ ଥିଲେ ତାହା ‘ଜ’ ରୂପରେ ଉଚ୍ଚାରିତ ହୁଏ । ଯଥା, ଯମ = ଜମ, ,ଯଦି = ଜଦି । କିନ୍ତୁ ‘ଯ’ ଯଦି ଅନ୍ୟ ବ୍ୟଞ୍ଜନରେ ଯୁକ୍ତଥାଏ, ତେବେ ତାହାକୁ ‘ଇଅ’ ରୂପରେ ଉଚ୍ଚାରଣ କରାଯାଏ । ଯଥା, ବାକ୍ୟ = ବାକିଅ, ସାଧ୍ୟ-= ସାଧିଅ । ଅନ୍ତଃସ୍ଥ ‘ୟ’, ‘ର’, ‘ଲ’, ‘ବ’ ବର୍ଣ୍ଣଗୁଡ଼ିକୁ ଅର୍ଦ୍ଧସ୍ୱର କହନ୍ତି । ଏଣୁ ‘ୟ’-ର ଧ୍ୱନି ପୂରା ‘ରି’-ର ବା ‘ଇଅ’ -ର ଧ୍ୱନି ନୁହେଁ । ଏଣୁ ଏହା ଯେଉଁ ବ୍ୟଞ୍ଜନରେ ସଂସ୍କୃତରେ ଯୁକ୍ତ ଥିଲା ସେହି ବ୍ୟଞ୍ଜନ ଲୋପ ପାଇଲେ ତାହା ‘ଜ’ ହୋଇ ଦ୍ୱିତ୍ୱ ପ୍ରାପ୍ତ ହୁଏ । ଏଣୁ ଅଦ୍ୟ, ସଦ୍ୟ ପ୍ରଭୃତି ସଂସ୍କୃତ ଶବ୍ଦକୁ ଆମେ ପ୍ରାକୃତରେ ଅଜ୍ଜ ସଜ୍ଜ ରୂପରେ ପାଉଁ । ଓଡ଼ିଆରେ ଏହା ଯଥାକ୍ରମରେ ଆଜ, ସଜ ରୂପରେ ପ୍ରଚଳିତ ।

 

ସଂସ୍କୃତ ସନ୍ଧିରେ ବର୍ଗର ପ୍ରଥମ ବର୍ଣ୍ଣ ବଦଳି ସେହି ବର୍ଗର ତୃତୀୟ ବର୍ଣ୍ଣ ହେଉଥିଲା । ତାମିଲ ଭାଷାରେ ଗୋଟିଏ ଗୋଟିଏ ଲିପି ପ୍ରତ୍ୟେକ ବର୍ଗର ସମସ୍ତ ବର୍ଣ୍ଣ ଚିହ୍ନାଇବାରେ ବ୍ୟବହୃତ ହୁଏ । ଅର୍ଥାତ୍‌ ‘କ’ ଲିପିରେ କ, ଖ, ଗ, ଘ ବର୍ଣ୍ଣମାନ; ‘ଚ’ ଲିପିରେ ଚ, ଛ, ଜ, ଝ, ବର୍ଣ୍ଣମାନ ଓ ଏହି କ୍ରମରେ ଅନ୍ୟ ବର୍ଗର ବର୍ଣ୍ଣମାନେ ଚିହ୍ନିତ ହୁଅନ୍ତି । ସଂସ୍କୃତ ‘ଶକଟ’ ଶବ୍ଦର ମଧ୍ୟବର୍ତ୍ତୀ ‘କ’–ଧ୍ୱନିକୁ ସେମାନେ ‘ଗ’ ରୂପରେ ଉଚ୍ଚାରଣ କରନ୍ତି । ଏଣୁ ତାମିଲୀ ଭାଷା ପ୍ରଭାବରେ ସଂସ୍କୃତ ସନ୍ଧିରେ ବର୍ଗର ପ୍ରଥମ ବର୍ଣ୍ଣଠାରେ ତୃତୀୟ ବର୍ଣ୍ଣ ହୁଏ ବୋଲି କୌଣସି କୌଣସି ଭାଷାତତ୍ତ୍ୱବିଦ୍‌ଙ୍କର ଅନୁମାନ । କିନ୍ତୁ ବର୍ଣ୍ଣ ବଦଳିବା ପୃଥିବୀରେ ପ୍ରତ୍ୟେକ ଭାଷାର ସ୍ୱଭାବ । ଯାହା ହେଉ, ସଂସ୍କୃତ ‘ଏକାଦଶ’ ଶବ୍ଦର ‘କା’ ବଦଳି ପ୍ରାକୃତରେ ‘ଗା’ ହେବା ବିଚିତ୍ର ନୁହେଁ ।

 

ଅନେକ ସ୍ଥଳରେ ସଂସ୍କୃତ ଶବ୍ଦର ପ୍ରାକୃତ ଭାଷାରେ ଯେଉଁ ପରିବର୍ତ୍ତନ, ତାହା ସହଜରେ ବୁଝାଯାଏ । ସଂସ୍କୃତ ‘ଗୃହ୍ନାତି’ ପ୍ରାକୃତରେ ‘ଘେଣ୍‌ହଇ’ ହେବାର ସହଜରେ ବୁଝାଯାଏ । ଅନ୍ୟତ୍ର ‘ଘେପ୍‌ପଇ’ ହେବାର କାରଣ ବୁଝାଯାଏ ନାହିଁ । ପୁଣି ପ୍ରାକୃତ କ୍ରିୟାପଦ ବଅଇ, ତରଇ ତୀରଇ ସଂସ୍କୃତ ‘ଶକ୍ନୋତି ପଦରୁ ଅପଭ୍ରଷ୍ଟ ହୋଇଥିବାର ବିଶ୍ୱାସଯୋଗ୍ୟ ନୁହେଁ । ସେପରି ସଂସ୍କୃତ ପଶ୍ୟତି’-ରୁ ପ୍ରାକୃତ ପୁଲଇ, ଣିଅକକ୍‌ଇ, ଅବକ୍‌ଖଇ; ସଂସ୍କୃତ ‘ଜିଘତି’ରୁ ପ୍ରାକୃତ, ପାଅଇ, ପାଇ ଓ ସଂସ୍କୃତ ‘ଆଚ୍ଛାଦୟତି’-ରୁ ପ୍ରାକୃତ ନୂମେଇ କ୍ରିୟାପଦ ଅପଭ୍ରଷ୍ଟ ହେବା ଅସମ୍ଭବ । ସଂସ୍କୃତ ‘ମସଜ୍‌’ ଧାତୁ ମଧ୍ୟ ପ୍ରାକୃତ ‘ବୁଡ଼୍‌’ ବା ‘ଡୁବ୍‌’ ରେ ପରିଣତ ହୋଇ ନ ପାରେ । ସଂସ୍କୃତ ପ୍ରସାଧିତ ଓ ମନ୍ଦ ଶବ୍ଦଦ୍ୱୟ ମଧ୍ୟ ଯଥାକ୍ରମରେ ପ୍ରାକୃତ ଟିବିଡିକିଅ ଓ ଣିଆମ ବୋଲି କୁହାଯାଇପାରିବ ନାହିଁ । ପ୍ରାକୃତରେ ଅବଶ୍ୟ କେତେକ ଦେଶଜଶବ୍ଦ ଓ କ୍ରିୟାପଦ ମିଶିଥିବ ।

 

ବ୍ୟାକରଣକାରମାନେ ବିଭିନ୍ନ ପ୍ରାକୃତ ଭାଷାର ସର୍ବଶେଷ ବିଭିନ୍ନ ଲକ୍ଷଣ ଲେଖି ନାହାନ୍ତି । ଓଡ଼ିଶାର ମାର୍କଣ୍ଡ କବୀନ୍ଦ୍ର ପ୍ରାକୃତ ସର୍ବସ୍ୱରେ ‘‘ସମାସାଢ଼୍ୟାଗୌଡ଼ୀ’’ ଲେଖିଅଛନ୍ତି । ସାହିତ୍ୟଦର୍ପଣରେ ମଧ୍ୟ ସମାସ-ବହୁଳ ଓ ଆଡ଼ମ୍ବରପୂର୍ଣ୍ଣ ରୀତିକୁ ଗୌଡ଼ୀରୀତି କୁହାଯାଇଅଛି । କିନ୍ତୁ ଗୌଡ଼ୀୟ ଭାଷାର ସ୍ୱରୂପର ପରିଚୟ କାହିଁରେ ନାହିଁ । ସ୍ମୃତିଶାସ୍ତ୍ର ଅନୁସାରେ ଉତ୍କଳ, କାନ୍ୟକୁବ୍‌ଜ, ସାରସ୍ୱତ, ମୈଥିଳୀ ଓ ଗୌଡ଼ୀୟ ବ୍ରାହ୍ମଣମାନଙ୍କୁ ପଞ୍ଚଗୌଡ଼ କହନ୍ତି । ଯଶୋବର୍ମା ସମଗ୍ର ଭାରତ ଦିଗ୍‌ବିଜୟ କରି ଅବଶେଷରେ ଗୌଡ଼ରାଜାଙ୍କୁ ବଧ କରିଥିବାର ବର୍ଣ୍ଣିତ ଅଛି । ଏଥିରୁ ଅନୁମିତ ହୁଏ ଯେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇ ଗୌଡ଼ୀୟ ବ୍ରାହ୍ମଣମାନେ ଭାରତରେ ସର୍ବତ୍ର ବାସ କରୁଥିଲେ । ମନୁସଂହିତାରେ ଦ୍ରାବିଡ଼ ଜାତିଙ୍କୁ ପତିତ କୁହାଯାଇଅଛି । ଐତରେୟ ବ୍ରାହ୍ମଣରେ ଶବର, ଆନ୍ଧ୍ର, ପୁଣ୍ଡ, ପୁଳିନ୍ଦ ଓ ଅନ୍ୟାନ୍ୟମାନଙ୍କୁ ଦସ୍ୟୁ କହି ଆର୍ଯ୍ୟବସତି ସୀମାର ପ୍ରାନ୍ତରେ ବାସ କରିବାକୁ ନିର୍ଦ୍ଦେଶ ଥିବାରୁ ମନୁଙ୍କର ପତିତ ଦ୍ରାବିଡ଼ଜାତି ଦସ୍ୟୁ ଥିବାର ଅନୁମତି ହୁଏ । ସ୍ମୃତି-ଶାସ୍ତ୍ର ଅନୁସାରେ ପଞ୍ଚଶ୍ରେଣୀର ଦ୍ରାବିଡ଼ ବ୍ରାହ୍ମଣ ଥିବାରୁ ଦସ୍ୟୁମାନଙ୍କ ନିକଟ ସଂସ୍ରବରେ ବାସକରୁଥିବା ଅଳ୍ପସଂଖ୍ୟକ ବ୍ରାହ୍ମଣମାନଙ୍କୁ ଦ୍ରାବିଡ଼ି ବ୍ରାହ୍ମଣ କୁହାଯାଇଥିବାର ଅନୁମତି ହୁଏ । ଦସ୍ୟୁଜାତି ଓଡ଼ିଶାର ଅରଣ୍ୟମୟ ପ୍ରଦେଶରେ ବାସକରୁ ଥିବାରୁ ସେଠାରେ କ୍ଷତ୍ରିୟମାନେ ବ୍ରାହ୍ମଣ୍ୟଧର୍ମ ଗ୍ରହଣ କରି ନ ଥିଲେ । ଏଣୁ ସେହି କ୍ଷତ୍ରିୟମାନେ ମନୁ-ସଂହିତାରେ ପତିତ ନାମରେ ଖ୍ୟାତ ।

 

ବ୍ୟାକରଣକାରଙ୍କ ମତରେ ନିମ୍ନଲିଖିତ ପ୍ରକାରେ ପାଲି ଓ ପ୍ରାକୃତ ଭାଷାରେ ସଂସ୍କୃତ ଶବ୍ଦମାନଙ୍କରେ ଥିବା ବର୍ଣ୍ଣମାନଙ୍କ ବ୍ୟତ୍ୟୟ ଘଟେ ।

 

ସଂସ୍କୃତ

 

ପାଲି

 

ପ୍ରାକୃତ

ନ୍ୟ

=

ଞ ଞ

=

ଣ୍‌ଣ

ଜ୍ଞ

=

ଞ ଞ

=

ଣ୍‌ଣ

ହ୍ମ

=

ହ୍ମ

=

ମହ

=

ବ୍ର

=

ମ, ଧ, ଖ, ଭ

=

ଘ, ଧ, ଖ, ଭ

=

କ, ଗ, ଚ, ଜ, ତ, ଦ, ଯ, ବ, ପ

=

କ, ଗ, ଚ, ଳ, ତ, ଦ, ଦ, ଯ, ବ, ପ

=

=

=

=

=

ଅଃ

=

=

 

ସଂସ୍କୃତ ଶବ୍ଦର ମଧ୍ୟ ଓ ଅନ୍ତ୍ୟ କ, ଗ, ଜ, ତ, ଦ, ଯ, ବ, ପ, ନ, ବ୍ୟଞ୍ଜନମାନଙ୍କର ପାଲିରେ ବ୍ୟତ୍ୟୟ ହେଉ ନ ଥିଲା । କିନ୍ତୁ ପ୍ରାକୃତରେ ସେହି ମଧ୍ୟ ବା ଅନ୍ତ୍ୟବ୍ୟଞ୍ଜନ ଲୁପ୍ତ ହୋଇ ତହିଁରେ ଯୁକ୍ତ ଥିବା ସ୍ୱରଟିର କେବଳ ଚିହ୍ନ ରହେ । ସଂସ୍କୃତ ଭାଷାରେ ଓଷ୍ଠ୍ୟ ‘ବ’ ଓ ଅନ୍ତସ୍ଥ ‘ବ’ ରୂପରେ ଦିଓଟି ଧ୍ୱନି ଥିଲା ଓ ପାଲି ଭାଷାର ଏହି ଦିଓଟି ଧ୍ୱନି ପୃଥକ୍‌ ରୂପରେ ଚିହ୍ନାଇବା ପାଇଁ ଦିଓଟି ପୃଥକ୍‌-ବ୍ରାହ୍ମୀଲିପି ବ୍ୟବହୃତ ହେଉ ଥିଲା । କିନ୍ତୁ ପରବର୍ତ୍ତୀ କାଳରେ ସଂସ୍କୃତ ଭାଷାର ଅନ୍ତଃସ୍ଥ ‘ବ’ ଚିହ୍ନାଇବା ଲିପିଟି କେବଳ ଦୃଷ୍ଟ ହୁଏ । ଓଡ଼ିଆ, ବଙ୍ଗଳା, ଆସାମୀ ପ୍ରଭୃତି ଭାଷାରେ ଏହି ଲିପିଟି ଓଷ୍ଠ୍ୟ ‘ବ’-ର ଧ୍ୱନି ଚିହ୍ନାଏ । ସେ ଭାଷାମାନଙ୍କରେ ଅନ୍ତଃସ୍ଥ ‘ବ’ ର ଧ୍ୱନି ନାହିଁ । ତାହାର ଧ୍ୱନି ଚିହ୍ନାଇବା ପାଇଁ ଲିପିର ପ୍ରୟୋଜନ ନାହିଁ । ଅନ୍ତଃସ୍ଥ ‘ବ’-ର ଧ୍ୱନିରେ ‘ଉ’ ସ୍ୱର ଓଷ୍ଠ୍ୟ ‘ବ’ ର ଅଷ୍ପଷ୍ଟ ଧ୍ୱନି ଥିଲା । ଏଣୁ ସଂସ୍କୃତ ଶବ୍ଦର କୌଣସି ବ୍ୟଞ୍ଜନରେ ଏହି ‘ବ’ ଯୁକ୍ତ ଥିଲେ ଆମେ ତାହାକୁ ‘ଉଅ’ ରୂପରେ ଉଚ୍ଚାରଣ କରୁ । ଯଥା–ପକ୍ୱ = ପକୁଅ, ତତ୍ତ୍ୱ = ତତୁଅ ଇତ୍ୟାଦି । ଏହି ‘ବ’ ସାଧାରଣତଃ ସନ୍ଧିରୁ ବା ପ୍ରତ୍ୟୟ ଯୋଗରୁ ଜାତ ହୁଏ । ବି, ଅବ୍‌ ଉପସର୍ଗରେ ଥିବା ‘ବ’ ସ୍ୱଭାବତଃ ଅନ୍ତଃସ୍ଥ । କିନ୍ତୁ ବଚ୍‌ ବଦ୍‌ ପ୍ରଭୃତି କେତେ ଧାତୁର ଆଦ୍ୟ ‘ବ’ ଅନ୍ତଃସ୍ଥ ଓ ବଧ, ବଳ ପ୍ରଭୃତିର ଆଦ୍ୟ ‘ବ’ ଓଷ୍ଠ ବୋଲି ଚିହ୍ନିବା ସହଜ ହୁଏ ନାହିଁ । ଯାହାହେଉ, ଆଦ୍ୟରେ ‘ଅବ’ ଉପସର୍ଗ ଥିବା ଅବଲମ୍ବନ, ଅବତରଣ ପ୍ରଭୃତି ଶବ୍ଦ ପାଲିରେ ଓଲମ୍ବ, ଓତାର ରୂପରେ ବଦଳି ଓଡ଼ିଆରେ ଓଳମ, ଉତୁର (ଗାଡ଼ିରୁ ଉତୁର) ରୂପରେ ପ୍ରଚଳିତ ।

 

ଅନ୍ତଃସ୍ଥ ‘ବ’ ଓ ବର୍ଗ୍ୟ ‘ବ’ ମଧ୍ୟରେ ଉଚ୍ଚାରଣ ବିଭ୍ରାଟ ବହୁକାଳ ପୂର୍ବେ ଲକ୍ଷ୍ୟ କରାଯାଇଥିବାରୁ ପାର୍ଥକ୍ୟ ବାରିବା ପାଇଁ ସଂସ୍କୃତ ବ୍ୟାକରଣରେ ସୂତ୍ର ନିର୍ଦ୍ଦେଶ କରାଯାଇଥିଲା :–

‘‘ଉଦୁଠୌ ଯସ୍ୟ ବିଦ୍ୟତେ ଯୋ ବଃ ପ୍ରତ୍ୟୟସନ୍ଧିଷୁ ।

ଅନ୍ତଃସ୍ତଂ ତଂ ବିଜାନୀୟାତ୍‌ ଶେଷୋ ବଃ ବର୍ଗ୍ୟୋବଃ ଉଚ୍ୟତେ ।

ଯେଉଁ ସଂସ୍କୃତ ଧାତୁର ଅଥବା ଶବ୍ଦର ଆଦ୍ୟରେ ଥିବା ବ-ସ୍ଥାନରେ ପ୍ରତ୍ୟୟ ଯୋଗରେ ‘ଉତ୍‌’ ଏବଂ ‘ଉଠ୍‌’ ଆଦେଶ ହୁଏ ଅଥବା ସନ୍ଧିରେ ଯେଉଁ ‘ବ’ ଜାତ, ତାହା ଅନ୍ତଃସ୍ଥ ‘ବ’ । ଅନ୍ୟତ୍ର ସମସ୍ତ ‘ବ’ ବର୍ଗ୍ୟ ‘ବ’ ବୋଲି ଜାଣିବାକୁ ହେବ - ଯଥା, ବଚ୍‌+କ୍ତ= ଉକ୍ତ; ବିଶ୍ୱଦାହ ଶବ୍ଦରୁ ଦ୍ୱିତୀୟା ବହୁବଚନରେ ‘ବିଶ୍ୱୋହଃ ନିଷ୍ପନ୍ନ ହୁଏ । ‘ବତ୍‌’ ଧାତୁ ଆଦ୍ୟ ‘ବ’-ସ୍ଥାନରେ ‘ଉତ୍‌’ ଆଦେଶ ହୋଇ ‘ତ୍‌’ ଓ ବିଶ୍ୱବାହ ଶବ୍ଦସ୍ଥ ‘ବାହ’ ପଦର ଆଦ୍ୟ ‘ବା’ ସ୍ଥାନରେ ‘ଉଠ୍‌’ ଆଦେଶ ହୋଇ ‘ଠ’ ବର୍ଣ୍ଣ ଲୋପ ପାଇଛି । ଯେଉଁ ରାଜ୍ୟରେ ଉଚ୍ଚାରଣ ବିଭ୍ରାଟ ଘଟିଥିଲା, ସେହି ରାଜ୍ୟର ବ୍ୟାକରଣରେ ଏ ସୂତ୍ର ବନ୍ଧା ହୋଇଥିଲା ।

‘ଋ’ ସ୍ୱର ଓ ମୃର୍ଦ୍ଧନ୍ୟ ‘ଡ’ ର ଅସ୍ପଷ୍ଟ ଧ୍ୱନି ‘ର’-ବର୍ଣ୍ଣରେ ଥିଲା । ଏଣୁ ପାଣିନି ‘ଡ’, ‘ର’ ମଧ୍ୟରେ ଅଭେଦ କହିଅଛନ୍ତି । କଥିତ ଓଡ଼ିଆରେ ଏହି ଦୁଇ ଧ୍ୱନିରେ ବିଭ୍ରାଟ ଘଟେ ।

‘ଲୃ’ ସ୍ୱର, ‘ଦ’ ର ଅସ୍ପଷ୍ଟ ଧ୍ୱନି ମିଶି ‘ଲ’ । ‘ର’-ଧ୍ୱନି ‘ଲ’ ଧ୍ୱନିରେ ମିଶିଲେ ‘ଳ’-ଧ୍ୱନି ଜାତ ହୁଏ । ସଂସ୍କୃତ ‘ମର୍ଦ୍ଦ୍‌’ ଧାତୁ ପ୍ରାକୃତରେ ‘ମଳ’ରେ ପରିଣତ କିପରି ହେଲା, ପାଠକେ ବିଚାର କରିବେ । ସଂସ୍କୃତ ଶବ୍ଦର ଆଦ୍ୟରେ ‘ନ’ ବର୍ଣ୍ଣ ଥିଲେ ପ୍ରାକୃତରେ ତାହା ‘ଣ’ ରୂପରେ ଉଚ୍ଚାରଣ କରାଯାଏ । କିନ୍ତୁ ଓଡ଼ିଆରେ କୌଣସି ଶବ୍ଦର ଆଦ୍ୟରେ ‘ଣ’ ରୂପରେ ଉଚ୍ଚାରଣ କରାଯାଏ ନାହିଁ । ସେପରି ଶବ୍ଦର ଆଦ୍ୟରେ ‘ଳ’ ଉଚ୍ଚାରଣ କରା ନ ଯାଇ ‘ଲ’ ଉଚ୍ଚାରଣ କରାଯାଏ । ଯେଉଁ ସବୁ ସଂସ୍କୃତ ଶବ୍ଦର ମଧ୍ୟ ବା ଅନ୍ତ୍ୟ ‘ଲ’-ରେ ଅନ୍ୟ ବ୍ୟଞ୍ଜନ ଯୁକ୍ତ ଥିଲା, ସେହି ଯୁକ୍ତ ବ୍ୟଞ୍ଜନ ଲୋପ ପାଇଲେ ‘ଲ’ ର ଧ୍ୱନି ବଦଳେ ନାହିଁ । ବିଲ୍ୱ = ବେଲ, ଫୁଲ୍ଲ = ଫୁଲ । କିନ୍ତୁ ମଧ୍ୟରେ ବା ଅନ୍ତ୍ୟ ବ୍ୟଞ୍ଜନ ଯୁକ୍ତ ନୋହି ‘ଲ’ ଥିଲେ ତାହା ‘ଳ’ ରୂପରେ ଉଚ୍ଚାରିତ ହୁଏ; ଯଥା-ବାଳକ, ଶାଳକ, ପ୍ରଳୟ, ଫଳ, ମୂଳ ଇତ୍ୟାଦି । କିନ୍ତୁ ‘ଲ’-ରେ ଅନ୍ତଃସ୍ଥ ‘ବ’ ଛଡ଼ା ଅନ୍ୟ ବ୍ୟଞ୍ଜନଯୁକ୍ତ ଥିଲେ ‘ଲ’-କୁ ‘ଳ’ ରୂପରେ ଉଚ୍ଚାରଣ କରାଯାଏ - ଯଥା, ବଳ୍‌କଳ, ଶିଳ୍ପ, ଶୁଳ୍‌କ । ପ୍ରଥମ ଶବ୍ଦର ‘ଳ’ ଲୁପ୍ତ ହୋଇ ଓଡ଼ିଆରେ ‘ବକଳ’ କିନ୍ତୁ ତୃତୀୟ ଶବ୍ଦରୁ ଯୁକ୍ତ ‘କ’ ଲୁପ୍ତ ହେଲେ ଉକ୍ତ ଶବ୍ଦ ‘ଛାଲ’ ରୂପେ ପରିବର୍ତ୍ତିତ ହୁଏ ।

କଥିତ ଓଡ଼ିଆ ଶବ୍ଦର ଆଦ୍ୟରେ ‘ନ’ ବା ‘ଲ’ ଥିଲେ ଉଚ୍ଚାରଣ ବିଭ୍ରାଟ ଘଟେ । ଯଥା - ସଂଲତିକା<ଓଂ ଲଲ ବା ନଇ, ସଂ ଲଡ୍‍ଡ଼ୁ<ଓଂ ଲଡ଼ୁ ବା ନଡ଼ୁ, ସଂ ନାଭି <ଓଂ ନାହି ବା ଲାହି, ସଂ ନମ୍‌<ଓଂ ନଇଁବା ।

ନୟାଗଡ଼, ଦଶପଲ୍ଲା ପ୍ରଭୃତିର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ କହନ୍ତି ଯେ କନ୍ଧ ଛାତ୍ରମାନେ ବେଲ, ଫୁଲ ଉଚ୍ଚାରଣ କରି ନ ପାରି ବେଳ, ଫୁଳ ଉଚ୍ଚାରଣ କରନ୍ତି । ଏମାନେ ବଣୁଆ କନ୍ଧ; ଓଡ଼ିଆ କହନ୍ତି । ମାଳୁଆ କନ୍ଧ ଓଡ଼ିଆ କହିଲେ ମଧ୍ୟ ସେମାନେ ନିଜର କୁଇଭାଷା ଆପଣା ଜାତିଭାଇଙ୍କ ସହିତ କଥା ହେଲାବେଳେ ବ୍ୟବହାର କରନ୍ତି । ଏହି କୁଇଭାଷା ପୃଥକ୍‌ ଜଣାଯାଏ । କିନ୍ତୁ ଗଭୀର ଆଲୋଚନା କଲେ ଏଥିରେ ସଂସ୍କୃତର ଅପଭ୍ରଂଶ ଅନେକ ଶବ୍ଦ ମିଳେ । ତେଲକୁ ଏମାନେ ‘ନିଜୁ’ କହନ୍ତି, ‘ତିଳନିର୍ଯ୍ୟାସ କଥାର ତିଳ’ ଲୋପ ପାଇ ‘ନିର୍ଯ୍ୟାସ’ ଶବ୍ଦ ‘ନିଜୁ’-ରେ ପରିଣତ ହୋଇଥିବାର ସମ୍ଭବ କରାଯାଇପାରେ । କୁକୁଟର ‘କ’ ରବରୁ ‘କ’ ବର୍ଣ୍ଣର ଧ୍ୱନି ଭାଷାର ଧ୍ୱନି-ସାଗରରୁ ପୃଥକ୍‌ କରାଯାଇଥିବାର ପାରମ୍ପରିକ ପ୍ରବାଦ ଅଛି । ‘କ’ ଧ୍ୱନିରୁ ଜାତ ହୋଇଥିବାରୁ କୁକୁଟକୁ ‘କଜୁ’ କହୁଥିଲେ । ଜଳକୁ ‘କାକୁରିତା’ କହନ୍ତି । ଶିଶିରକୁ ଓଡ଼ିଆରେ କାକର ଓ ଘନୀଭୂତ ଶିଶିରକୁ ‘କରକା’ କହନ୍ତି । କାକର ଓ କରକା ଜଳର ରୂପାନ୍ତର । ‘କରକା’ ସଂସ୍କୃତ ଶବ୍ଦ । ଏହା ଜଳ ଅର୍ଥରେ ରୂପାନ୍ତରିତ ହୋଇପାରେ । ସଂସ୍କୃତ ‘ବ୍ୟଗ୍ର’ ଶବ୍ଦ ଓଡ଼ିଆରେ ‘ବେଗେ’ ଓ କୁଇ ଭାଷାରେ ‘ବଂବଂ’ ବୋଲି କୁହାଯାଇପାରେ । ଓଡ଼ିଆ ‘କୋଳଥ’ ସଂସ୍କୃତ ‘କୁଳତ୍‌ଥ’ରୁ ରୂପାନ୍ତରିତ । ଏହାକୁ କନ୍ଧଙ୍କ ଭାଷାରେ ‘କୁଡ଼ିଂ’ କହନ୍ତି । କୁଇଭାଷାର ‘ସରଚ’ ନାମଟି ଓଡ଼ିଆ ‘ସୋରିଷ’ ଓ ସଂସ୍କୃତ ‘ସର୍ଷପ’ ନାମ ସହିତ ସଦୃଶ ଧ୍ୱନି ରଖିଛି । କନ୍ଧମାନେ ବାଘକୁ ମାଂସାଶୀ ଅର୍ଥର ସଂସ୍କୃତ ‘କ୍ରବ୍ୟାଦ’ ଶବ୍ଦରୁ ରୂପାନ୍ତରିତ ‘କ୍ରାଦି’ କହନ୍ତି । ପିତାକୁ ଅଧିକାଂଶ ଓଡ଼ିଆ ‘ବାପା’ କହନ୍ତି । ଏହା ସଂସ୍କୃତ ‘ବପ୍ତା’ ଶବ୍ଦରୁ ଜାତ । କିନ୍ତୁ ଏହି ‘ବାପା’ କେତେକ କ୍ଷତ୍ରିୟ ଓ ଅନ୍ୟ ଜାତିର ଲୋକଙ୍କ ମୁଖରେ ‘ବାବା’-ରେ ପରିଣତ ହୁଏ । କନ୍ଧମାନେ ବାପାକୁ ‘ଆବା’ କହନ୍ତି । ଏହା ‘ବାବା’-ର ରୂପାନ୍ତର । ଓଡ଼ିଆମାନେ ମାତାର ମାତାକୁ କହୁଥିବା ‘ଆଈ’ ସଂସ୍କୃତ ‘ଆର୍ଯ୍ୟଲ୍ୟ’-ର ଅପଭ୍ରଂଶ । କନ୍ଧମାନେ ମାତାକୁ ‘ଇଆ’ କହନ୍ତି । ଏହା ‘ଆଇ’-ର ବର୍ଣ୍ଣବିପର୍ଯ୍ୟୟ । ପ୍ରଥମ ପୁରୁଷ ଏକବଚନର ପ୍ରଥମା ବିଭକ୍ତିରେ ଓଡ଼ିଆରେ ‘ଆମେ’ । କୁଇଭାଷାରେ ‘ଆନେ’ । ପୃଥିବୀରେ ପ୍ରତ୍ୟେକ ଭାଷାରେ ପରିବର୍ତ୍ତନ ଘଟୁଅଛି ଓ ଏହି ପରିବର୍ତ୍ତନର ଧାରା ସମାନ । ଯଦି ନୃତ୍ୟଗୀତରୁ ସଭ୍ୟତାର ବିକାଶ ଘଟିଥାଏ, ତେବେ ଭାରତର କୁମାର-ସମ୍ପ୍ରଦାୟ ପୃଥିବୀ ଭ୍ରମଣ କରୁଥିବାର ପାରମ୍ପରିକ ପ୍ରବାଦ ଓ ପ୍ରମାଣ ଥିବାରୁ ସେମାନେ ପୃଥିବୀରେ ଭାଷା-ଶିକ୍ଷାର ଗୁରୁ ଥିଲେ ବୋଲି କୁହାଯାଇପାରେ ।

କ୍‌+ ଷ = କ୍ଷ ହୋଇଥିବାରୁ ଏହା ଗୋଟିଏ ବ୍ୟଞ୍ଜନ ଯୁକ୍ତ ବ୍ୟଞ୍ଜନବର୍ଣ୍ଣ । କିନ୍ତୁ ‘ଷ୍‌’ ରେ ଅନ୍ୟ ବ୍ୟଞ୍ଜନ ଯୁକ୍ତ ହୁଏ । ‘ଷ’ ଅନ୍ୟ ବ୍ୟଞ୍ଜନରେ ଯୁକ୍ତ ନୋହି କେବଳ ‘କ୍‌’ ରେ ଯୁକ୍ତ ହୁଏ । ‘ଶ’, ‘ସ’ - ଅନ୍ୟ ଉଷ୍ମବର୍ଣ୍ଣ କେବଳ ‘ତ୍‌’ ବ୍ୟଞ୍ଜନରେ ଯୁକ୍ତ ହୁଅନ୍ତି । ଯଥା–ଉତ୍‌+ଶୃଙ୍ଖଳ = ଉଚ୍ଛୃଙ୍ଖଳ, ଉତ୍‌+ସଙ୍ଗ = ଉତ୍ସଙ୍ଗ । କିନ୍ତୁ ‘ଚ୍ଛ’ ବା ‘ତ୍ସ’ କୁ ସ୍ୱତନ୍ତ୍ର ବ୍ୟଞ୍ଜନ ରୂପରେ ପରିଗଣିତ କରା ନ ଯାଇ ‘କ୍ଷ’କୁ ସ୍ୱତନ୍ତ୍ର ବ୍ୟଞ୍ଜନ ରୂପରେ ପରିଗଣିତ କରିବାର କାରଣ ଜଣାଯାଏ ନାହିଁ । ଏହି ‘କ୍ଷ’ ବର୍ଣ୍ଣ ଓଡ଼ିଆରେ ‘ଖ୍ୟ’ ରୂପରେ ଉଚ୍ଚାରଣ କରାଯାଏ । ଯଥା–ବକ୍ଷ-ବଖ୍ୟ, ଲକ୍ଷ = ଲଖ୍ୟ ଇତ୍ୟାଦି । ‘କ୍ଷ’-ରେ ଯୁକ୍ତ ‘ଷ’କୁ ଉଚ୍ଚାରଣ କରିବାକୁ ବିଳମ୍ବ ଘଟୁଥିବାରୁ ‘କ୍‌’ ‘ଖ’ ରେ ପରିଣତ ହୁଏ । ଏ ଉଦାହରଣ ହେତୁରୁ ‘ଭାଷା’ ଶବ୍ଦକୁ ‘ଭାଖା’ ରୂପରେ ଉଚ୍ଚାରଣ କଲେ ‘ଷ’ ‘ଖ’ ରେ ପରିଣତ ହେବା ବିଚିତ୍ର ନୁହେଁ । ସଂସ୍କୃତ ‘ପ୍ରସୂତୀ’ ଶବ୍ଦ ମଧ୍ୟ ଓଡ଼ିଆରେ ‘ପୋଖତୀ’ ରୂପରେ ଉଚ୍ଚାରିତ ହୋଇ ତହିଁରେ ‘ସ’ ‘ଖ’-ରେ ପରିଣତ ହୁଏ । କିନ୍ତୁ କୌଣସି ଫଳ ପାକଳ ହେବା ଅର୍ଥରେ ବ୍ୟବହୃତ ‘ପୋଖତା’ ଶବ୍ଦ ସଂସ୍କୃତ ‘ପକ୍ୱତା’ ଶବ୍ଦରୁ ରୂପାନ୍ତରିତ । ‘ବହୁ’ ଶବ୍ଦରେ ‘ଳ’ ଯୋଗ କରି ‘ବହୁଳ’ ହେଉଥିବାରୁ ପାଚିବା ଅର୍ଥର ‘ପାକ’ ସଂସ୍କୃତ ଶବ୍ଦରେ ‘ଳ’ ଯୋଗ କରି ଯୋଗ କରି ‘ପାକଳ’ ଶବ୍ଦ ହୋଇଅଛି । ପାକ-କ୍ରିୟାର ଅର୍ଥବୋଧକ ସଂସ୍କୃତ ‘ପକ୍ତି’ ଶବ୍ଦରୁ ଓଡ଼ିଆ ‘ପାଟି’ ଶବ୍ଦ ଜାତ ।

ଶବ୍ଦର ଆଦ୍ୟରେ ଥିଲେ ଡ, ଢ ଉଚ୍ଚାରଣ କରାଯାଏ, ମଧ୍ୟରେ ବା ଅନ୍ତ୍ୟରେ ଥିଲେ ଉକ୍ତ ଦୁଇ ବର୍ଣ୍ଣର କୋମଳ ଧ୍ୱନି ଡ଼, ଢ଼ ଉଚ୍ଚାରିତ ହୁଏ । ଯୁକ୍ତବ୍ୟଞ୍ଜନ ‘ଜ୍ଞ’-କୁ ଆମେ ‘ଗ୍ୟଂ’ ରୂପରେ ଉଚ୍ଚାରଣ କରୁ । ଯଥା–ସଂ ବିଜ୍ଞ = ଓଂ ବିଗ୍ୟଂ’ ସଂ ପ୍ରଜ୍ଞା = ଓଂ ପ୍ରଗ୍ୟାଂ । ‘ଞ୍ଜ’-କୁ ‘ଙ୍‌ଜ’ ରୂପରେ ଉଚ୍ଚାରଣ କରୁଅଛୁଁ । କିନ୍ତୁ ‘ଜଞ୍ଜ’ = ‘ଜ୍ଞ’ -କୁ ‘ଗ୍ୟଂ’ ରୂପରେ ଉଚ୍ଚାରଣ କରିବାର କାରଣ ଜଣାଯାଏ ନାହିଁ । ଜଉଗଡ଼ର ଶିଳା-ଲିପିରେ ‘ରାଜ୍ଞା’ ବଦଳରେ ‘ଲାଜିନା’ ଲେଖାଅଛି ବା ଅନୁନାସିକ ‘ଞ’ ଲୋପ ପାଇ ‘ଜ’ ଅଛି । ପାଲିରେ ‘ଜ୍ଞ’ ସ୍ଥାନରେ ‘ଞ୍‌ଞ’ ଓ ପ୍ରାକୃତରେ ‘ଣ୍‌ଣ’ ହେଉଥିଲା । କିନ୍ତୁ ସଂସ୍କୃତରେ ‘ଜ’ ସ୍ଥାନରେ ‘ଗ’ ହେଉଥିବାରୁ ( ଯଥା, ସୃଜ ଓ ଭଜ ଧାତୁରୁ ଯଥାକ୍ରମରେ ସର୍ଗ ଓ ଭାଗ ନିଷ୍ପନ୍ନ ) ପରବର୍ତ୍ତୀ କାଳରେ ‘ଜ୍ଞ’ କୁ ‘ଗ୍ୟଂ’ ରୂପରେ ଉଚ୍ଚାରଣ କରିବାରେ ଆମେ ଅଭ୍ୟସ୍ତ ହୋଇଥିବୁ ।

ଯୁକ୍ତବ୍ୟଞ୍ଜନ ‘ତ୍ସ’ ପ୍ରାକୃତଭାଷା ଅନୁସାରେ ‘ଚ୍ଛ’ ରୂପରେ ଆମେ ଉଚ୍ଚାରଣ ନ କରି ‘ଛ’ ରୂପରେ କରୁ । ଯଥା–ସଂ ମତ୍ସ୍ୟ = ଓଂ ମାଛ, ସଂ ବତ୍ସ = ଓଂ ବଛ(ଏହାର ରୂପାନ୍ତର ବଚା) । ଉଷ୍ମବର୍ଣ୍ଣମାନଙ୍କରେ ଧ୍ୱନି ପ୍ରଚ୍ଛନ୍ନ ଥିବାରୁ ସଂ ସ୍ୱଚ୍ଛନ୍ଦ, କ୍ଷୌର ପ୍ରଭୃତି ଶବ୍ଦମାନଙ୍କୁ ଛଛନ୍ଦ, ଛର ପ୍ରଭୃତି ରୂପରେ ଆମେ ଉଚ୍ଚାରଣ କରୁ । କ+ଷ=କ୍ଷ ହୋଇଥିବାରୁ ‘ଷ’ ବଦଳି ‘ଛ’ ହୋଇଅଛି । ସଂସ୍କୃତ ଶବ୍ଦରେ ଥିବା ଯୁକ୍ତବ୍ୟଞ୍ଜନ ‘ନ୍ନ’ ଅନେକ ସ୍ଥଳରେ ‘ର୍ଣ୍ଣ’ ରୂପରେ ଉଚ୍ଚାରଣ କରାଯାଏ । ଯଥା–ସଂ ଜଗନ୍ନାଥ = ଓଂ ଜଗର୍ଣାଥ, ସଂ ଅନ୍ନ = ଓଂ ଅର୍ଣ୍ଣ ।

ଧଉଳି ଓ ହାତୀଗୁମ୍ଫା ଶିଳା ଲିପିଦ୍ୱୟର ଅର୍ଦ୍ଧମାଗଧୀ ଭାଷାରେ ସଂସ୍କୃତ ଶବ୍ଦର ଯୁକ୍ତବ୍ୟଞ୍ଜନରୁ ଗୋଟିଏ ଲୋପ ପାଇ ଅନ୍ୟଟି ବା ତାହାର ପରିବର୍ତ୍ତିତ ରୂପଟି ଅଛି । ଯଥା–ସଂ ବର୍ଷ = ଅଂ ବସ, ସଂ ଅଭିଷିକ୍ତ = ଅଂ ଅଭିଷିତ, ସଂ ପ୍ରତିସଂସ୍କାର= ଅଂ ପଟିସଂଖାର, ସଂ ପ୍ରତିସଂସ୍ଥାପନ= ଅଂ ପଟିସଂଠାପନ, ସଂ ଗନ୍ଧର୍ବ = ଅଂ ଗନ୍ଧବ, ସଂ ଉତ୍ସବ = ଅଂ ଉସବ, ସଂ ଚତୁର୍ଥ = ଅଂ ଚବୁଥ, ସଂ ଅଷ୍ଟମ = ଅଂ ଅଠମ, ସଂ ପ୍ରିୟଦର୍ଶିନା= ଅଂ ପିଅଦସନା ଇତ୍ୟାଦି । କିନ୍ତୁ ଲୋକମୁଖରେ ପ୍ରଚଳିତ ପ୍ରାକୃତ ଭାଷାରେ ସଂସ୍କୃତ ଶବ୍ଦର ଯୁକ୍ତବ୍ୟଞ୍ଜନର ଗୋଟିଏ ଧ୍ୱନି ଲୋପ ପାଇ ଅନ୍ୟଟିର ଦ୍ୱିତ୍ୱ ହେଉଥିଲା । ଯଥା–ସଂ ଅର୍କ = ପ୍ରାଂ ଅକ୍‌କୋ, ସଂ ଅର୍ଥ = ପ୍ରାଂ ଅତ୍‌ଥୋ, ସଂ ଅନୁସ୍ମରତି= ଅଣୁସ୍‌ସରଇ, ସଂ ଉଦଗମ= ପାଂ ଉଗ୍‌ଗମ, ସଂ ଉତ୍ପଳ = ପ୍ରାଂ ଉପ୍‌ପଳ ଇତ୍ୟାଦି । ଏଭଳି ଭାଷା ଶିଳା-ଲିପିରେ ବ୍ୟବହୃତ ଭାଷାର ପୂର୍ବବର୍ତ୍ତୀ । ଶିଳା-ଲିପି ଖୋଦିତ ହେବା କାଳକୁ ଯୁକ୍ତବ୍ୟଞ୍ଜନର ଧ୍ୱନି ସରଳ ହୋଇଥିଲା । କାଳକ୍ରମେ ସରଳ ବ୍ୟଞ୍ଜନର ଅନେକ ସଂସ୍କୃତ ଶବ୍ଦର ମଧ୍ୟରୁ ବା ଅନ୍ତ୍ୟରୁ ଲୋପପାଇ କେବଳ ସ୍ୱରର ଧ୍ୱନି ରହିଲା । ପ୍ରାକୃତରେ ସଂସ୍କୃତ ବଦନ, ବିଚାର ପ୍ରଭୃତି ଶବ୍ଦ ‘ବଅଣ’, ‘ବିଆର’ ପ୍ରଭୃତିରେ ପରିଣତ ହେଲା । ସଂସ୍କୃତଭାଷା ଶିଖାଇବାକୁ ଉଦ୍ୟମ କରୁଥିବାରୁ ଯୁକ୍ତବ୍ୟଞ୍ଜନରୁ ଗୋଟିକର ଦ୍ୱିତ୍ୱ ହେଉଥିଲା ଓ ସେ ଉଦ୍ୟମ ହ୍ରାସ ହେବାରୁ ବ୍ୟଞ୍ଜନର ଦ୍ୱିତ୍ୱ ନୋହି ତାହାର ସ୍ୱରଧ୍ୱନି ରହିଥିବାର ଅନୁମିତ ହୁଏ । ପ୍ରାକୃତ ଭଳି ଓଡ଼ିଆରେ ବହୁ ଶବ୍ଦ ପ୍ରଚଳିତ ଅଛି । ଯଥା–ସଂ ଆକୁଳବ୍ୟାକୁଳ= ଓଂ ଆଉଳି ପାଉଳି, ସଂ ନକୁଳ-= ଓଂ ନେଉଳ, ସଂ ବକୁଳ = ଓଂ ବଉଳ, ସଂ ଶଷ୍କୁଳ= ଓଂ ଶେଉଳ, ସଂ ବହିତ୍ର = ଓଂ ବୋଇତ, ସଂ ଆମିଷ = ଓଂ ଆଇଁଷ, ସଂ ସଞ୍ଚିତ = ଓଂ ସାଇତ, ସଂ ଭଗିନୀ = ଓଂ ଭଉଣୀ ଇତ୍ୟାଦି ।

ଦୁଇ ଶବ୍ଦ ମିଶି ଏକ ଶବ୍ଦ ହେଲେ ସଂସ୍କୃତରେ ଏହାକୁ ସନ୍ଧି କହନ୍ତି । ଏଥିରେ ପ୍ରଥମ ପଦର ଅନ୍ତ୍ୟବର୍ଣ୍ଣ ଓ ଦ୍ୱିତୀୟ ପଦର ଆଦ୍ୟବର୍ଣ୍ଣ ମିଶି ଅନ୍ୟ ବର୍ଣ୍ଣ ହୁଏ । ଏପରି ବର୍ଣ୍ଣ ପରିବର୍ତ୍ତନ ବହୁ ପ୍ରକାରର । ପୁଣି ବହୁ ଶବ୍ଦରେ ବିଭକ୍ତି ଯୋଗରେ ଧାତୁରେ ଓ ଶବ୍ଦରେ ପ୍ରତ୍ୟୟ ଯୋଗରେ ଏବଂ ସମାସରେ ଧ୍ୱନି ପରିବର୍ତ୍ତନ ଲକ୍ଷ ତ ହୁଏ । କିପରି ସ୍ଥଳରେ କି ପରିବର୍ତ୍ତନ ଘଟେ, ତାହା ଜାଣିବା ପାଇଁ ସଂସ୍କୃତ ବ୍ୟାକରଣରେ ବହୁ ସୂତ୍ର ଅଛି । ପୃଥିବୀର ପ୍ରତ୍ୟେକ ଭାଷା ଏହି ସୂତ୍ରମାନଙ୍କର ସାଧାରଣ ବିଧିରେ ପରିବର୍ତ୍ତିତ ହୋଇ କ୍ରମଶଃ ଅଭିନବ ରୂପ ଧାରଣ କରୁଅଛି । ନିମ୍ନଲିଖିତ ସାଧାରଣ ବିଧି ଅନୁସରଣ କରି ବୈଦିକ ବା ଛାନ୍ଦସ ଭାଷାରୁ ଭାରତରୁ ଜନସମାଜ ଆଧୁନିକ ବିଭିନ୍ନ କଥିତ ଭାଷାର ଉତ୍ପତ୍ତି କିପରି ଘଟାଇଥିବାର ସମ୍ଭାବନା, ତାହା ଆଲୋଚନା କରାଯାଉ ।

୧–ସମୀଭବନ (Assimilation) । ଏହା ତିନି ପ୍ରକାରର–(କ) ପ୍ରଗତି (Progressive), (ଖ) ପରାଗତି(Regressive) ଓ (ଗ) ଅନ୍ୟୋନ୍ୟ ।

 

(କ) ପୂର୍ବବର୍ତ୍ତୀ ଧ୍ୱନି ପରବର୍ତ୍ତୀ ଧ୍ୱନିକୁ ଅନେକ ସ୍ଥଳରେ ବଦଳାଏ । ଏଣୁ ଦ୍ୱିତୀୟା ବିଭକ୍ତି ଏକବଚନର ‘ହରିକୁ’ ବଦଳି ‘ହରିକି’ ହୁଏ । ଏହି ବିଧିରେ ସଂସ୍କୃତ ଅଗ୍ର, ଅଗ୍ନି, ଚକ୍ର ପ୍ରଭୃତି ଶବ୍ଦ ବଦଳି ପ୍ରାକୃତରେ ଯଥାକ୍ରମରେ ଅଗ୍‌ଗ, ଅଗ୍‌ଗି, ଚକ୍‌କ ପ୍ରଭୃତି ଶବ୍ଦର ଉତ୍ପତ୍ତି ଘଟିଥିଲା ।

 

(ଖ) ପରବର୍ତ୍ତୀ ଧ୍ୱିନି ପୂର୍ବବର୍ତ୍ତୀ ଧ୍ୱିନିକୁ ବଦଳାଏ । ଯଥା–ସଂ ମହା=ଓଂ ମାହା, ସଂ ସଖା = ଓଂ ସାହା, ସଂ ଶୌଚ = ଓଂ ଛଅଁଚା, ସଂ ସଞ୍ଚୟ = ଛଞ୍ଚା, ସଂ କୃଷକ = ଚଷା, ତସା(‘ଷ’-ର ପ୍ରଭାବରେ ଆଦ୍ୟ ‘କୃ’ ବଦଳି ‘ଚ’ ଓ ଅନ୍ତ୍ୟ ‘କ’ ବଦଳ ‘ଅ’ ହେଲା । ‘ଷ’ ବଦଳି ‘ସ’ ହେବାରୁ ଆଦ୍ୟ ତାଲବ୍ୟ ‘ଚ’ ସ୍ଥାନରେ ଦନ୍ତ୍ୟ ‘ତ’ ହେଲା) । ସଂ ଲଗ୍ନ = ପ୍ରାଂ ଲଗ୍‌ଗ= ଓଂ ଲାଗ ।

 

(ଗ) ପରସ୍ପରର ପ୍ରଭାବରେ ଦିଓଟିଧ୍ୱନି ମଧ୍ୟ ବଦଳନ୍ତି । ଯଥା - ସଂ ମଧ୍ୟ = ପ୍ରାଂ ମଜ୍‌ଝ= ଓଂ ମଝି ଓଡ଼୍ର ପ୍ରାକୃତରେ ସମ୍ଭବତଃ ‘ମଝିରି’ ଥିଲା । ‘ୟ’ ବଦଳି ‘ଇଜ୍‌’ ହେବାରୁ ‘ଧ’-ରେ ‘ଇ’ ଯୁକ୍ତ ହୋଇ ‘ଜ୍‌’ -ର ପ୍ରଭାବରେ ‘ଧ’ ବଦଳି ‘ଝ’ ହେଲା ।

 

୨–ବିଷମୀ ଭବନ (Dissimilation)–ପଦ ମଧ୍ୟରେ ଦିଓଟି ସମଧ୍ୱନି ଥିଲେ ଗୋଟିକର ଧ୍ୱନି ପରିବର୍ତ୍ତିତ ହୁଏ । ଯଥା - ସଂ ଗୁରୁ ( ଭାରପୂର୍ଣ୍ଣ) ଓଂ ଗୁରୁ, ସଂ ସମ୍ମତି = ଓଂ ସନ୍‌ମତି, ସଂ ସମ୍ମାନ = ଓଂ ସନମାନ, ସଂ ଲଲାଟ = ଓଂ ନଲାଟ, ସଂ ଜମ୍ବାଳ = ଓଂ ଜଞ୍ଜାଳ ।

 

୩–ସ୍ୱରାଗମ (Prothesis) ଶବ୍ଦର ଆଦ୍ୟ ଯୁକ୍ତ ବା ସରଳ ବ୍ୟଞ୍ଜନ ଉଚ୍ଚାରଣ କରିବାକୁ କଠିନ ହେଲେ ଗୋଟିଏ ସ୍ୱର ବା ବ୍ୟଞ୍ଜନର ଆଗମ ହୁଏ । ଯଥା–ସଂ କ୍ରୁଦ୍ଧ = ଓଂ କୁରୁଧ, ସଂ ଭଙ୍ଗ = ଓଂ ଭାଙ୍ଗ, ଇଂ ସ୍କୁଲ (school) = ଓଂ ଇସ୍କୁଲ, ଇଂ ଷ୍ଟେଶନ( Station )-= ଓଂ ଇଷ୍ଟେଶନ ।

 

୪–ସ୍ୱରଭକ୍ତି (Anaptilysis )–ଯୁକ୍ତବ୍ୟଞ୍ଜନର ଦିଓଟି ଧ୍ୱନିର ଉଚ୍ଚାରଣ-ପ୍ରୟାସ ଲାଘବ କରିବା ପାଇଁ ଦୁଇ ଯୁକ୍ତବ୍ୟଞ୍ଜନ ମଧ୍ୟରେ ଗୋଟିଏ ସ୍ୱର ଧ୍ୱନିର ଆଗମ ହୁଏ । ଯଥା–ସଂ ପ୍ରୟୋଗ= ଓଂ ପିରୋଗ ଯୁକ୍ତବ୍ୟଞ୍ଜନ ‘ପ୍ର’ ବଦଳି ‘ପିର୍‌’ ହୋଇ ‘ୟୋ’-ର ଓକାର ତହିଁରେ ମିଶି ‘ୟ’ ଲୁପ୍ତ ହେଲା, ସଂ କ୍ଳେଶ = ଓଂ କିଳେଶ, ସଂ ଧାର୍ଯ୍ୟ = ଓଂ ଧାରିଜ । ସଂସ୍କୃତ ଦର୍ଶନ, ଗର୍ଜନ, ବର୍ଷା ପ୍ରଭୃତି ଶବ୍ଦମାନଙ୍କର ମଧ୍ୟ ବା ଅନ୍ତ୍ୟବ୍ୟଞ୍ଜନ ସରଳ କରି ଆଦ୍ୟ ସରଳବ୍ୟଞ୍ଜନକୁ ଯୁକ୍ତବର୍ଣ୍ଣ କରିବାର ପ୍ରବୃତ୍ତି ମଧ୍ୟ ଅଛି । ଏଣୁ ସେଗୁଡ଼ିକୁ ଯଥାକ୍ରମରେ ଓଡ଼ିଆରେ ଦ୍ରସନ, ରାଜନ, ବ୍ରଷା କରାଯାଏ ।

 

୫–ଧ୍ୱନିପୂରଣ(Compensation)–ସଂସ୍କୃତ ଅଦ୍ୟ, ମତ୍ସ୍ୟ, କର୍ମ ପ୍ରଭୃତି ଶବ୍ଦମାନ ପ୍ରାକୃତରେ ଅଜଜ, ମଚ୍‌ଛ, ମମ୍‌ମ ପ୍ରଭୃତି ରୂପରେ ବଦଳିଥିଲା । କିନ୍ତୁ ଓଡ଼ିଆରେ ଅନ୍ତ୍ୟବ୍ୟଞ୍ଜନର ଦ୍ୱିତ୍ୱ ନ ହେବାରୁ ଗୋଟିଏ ବ୍ୟଞ୍ଜନ ଲୋପ ପାଇ ତାହାର ଅଭାବ ପୂରଣ ନିମନ୍ତେ ଆଦ୍ୟବ୍ୟଞ୍ଜନ ଆକାରାନ୍ତ ହୁଏ । ଯଥା - ଆଜି, ମାଛ, କାମ ପ୍ରଭୃତି ।

 

୬–ଧ୍ୱନି ବିପର୍ଯ୍ୟୟ–ସଂସ୍କୃତ ‘ହିନ୍‌ସ୍‌’ ଧାତୁରୁ ବର୍ଣ୍ଣ–ବିପର୍ଯ୍ୟୟରେ ‘ସିଂହ’ ଶବ୍ଦ ନିଷ୍ପନ୍ନ ହୋଇଅଛି ବା ପୂର୍ବବର୍ତ୍ତୀ ବ୍ୟଞ୍ଜନ ପରବର୍ତ୍ତୀ ଓ ପରବର୍ତ୍ତୀ ବ୍ୟଞ୍ଜନ ପୂର୍ବବର୍ତ୍ତୀ ହୋଇଅଛି । ଏହିପରି ଓଡ଼ିଆରେ ହୁଏ । ଯଥା–ସଂ ସ୍ତୁତି = ଓଂ ତୁସ୍ତି, ଓଂ ଅଟକ = ସଂ ଆତଙ୍କ = ଓଂ ଆକଟ, ସଂ ମାନ୍ୟ = ଓଂ ମାଇନ, ସଂ ରାଜ୍ୟ = ଓଂ ରାଇଜା ।

 

୭–ଧ୍ୱନିଲୋପ (Synope)–କର୍ମକାର, କୁମ୍ଭକାର, ଭିକ୍ଷାକାରୀ ପ୍ରଭୃତି ଶବ୍ଦମାନ କଥିତ ଓଡ଼ିଆରେ କମାର, କୁମ୍ଭାର, ଭିକାରୀ ରୂପରେ ଉଚ୍ଚାରଣ କରାଯାଏ । ଏଥିରେ ପ୍ରଥମ ଦୁଇ ଶବ୍ଦର ‘କ୍‌’ ଲୋପପାଏ । ଅନ୍ୟଟିରେ ‘କା’ ଲୋପପାଏ ।

 

୮–ସମାର୍ଥରଲୋପ (Haplology)–ଏକ ପଦରେ ସମଧର୍ମାବଲମ୍ବୀ ହୋଇ ଦିଓଟି ଅକ୍ଷର ଲୁପ୍ତ ହୁଏ–ଯଥା, ସଂ ଅର୍ଦ୍ଧ ତୃତୀୟ = ପା ଅଡ଼୍‌ ତତିୟ= ପ୍ରା ଅଡ଼୍‌ ତତିୟ= ଓଂ ଅଢ଼ାଇ । ଏଠାରେ ଦିଓଟି ‘ତ’ ବର୍ଣ୍ଣରୁ ଗୋଟିଏ ପ୍ରଥମେ ପ୍ରାକୃତରେ ଗୋଟିଏ ‘ତ’ ପରେ ଓଡ଼ିଆରେ ଅନ୍ୟ ‘ତ’ ଲୋପପାଇ ଅଢ଼ାଇ ହୋଇଅଛି । କିନ୍ତୁ ଏପରି ସଂସ୍କୃତ ‘ଅର୍ଦ୍ଧଦ୍ୱିତୀୟ’ ଓଡ଼ିଆ ‘ଦେତ୍‌’-ରେ ପରିଣତହେଲା ବେଳେ ‘ଅଡ଼ତ୍‌’-ରୁ ‘ଅ’ ଲୁପ୍ତ ହୋଇ ‘ଦି’ ‘ଅ’-ର ସାନକ ଆସି ‘ଦେ’ ହୋଇଅଛି ଓ ‘ତିୟ’ ଲୋପ ପାଇଛି । ପୁରୀରେ ଭୋଗମଣ୍ଡପ ଧୂପ ତସମ କଥାକୁ ଅନେକ ଲୋକ ‘ଭଣ୍ଡ’ ରୂପରେ ଉଚ୍ଚାରଣ କରନ୍ତି । ପ୍ରଥମ ପଦରେ ‘ଭୋ’ରୁ କେବଳ ‘ଭ’ ରହି ‘ଗ’ ଲୋପ ପାଇଛି । ଦ୍ୱିତୀୟ ‘ମଣ୍ଡପ’ ପଦରୁ ଆଦ୍ୟ ‘ମ’ ଓ ଅନ୍ତ୍ୟ ‘ପ’ ଲୋପ ପାଇଛି । ଏପରି ଗୋଟିଏ ସ୍ୱରବର୍ଣ୍ଣର ପରିବର୍ତ୍ତନ ଓ ପାଞ୍ଚ ବ୍ୟଞ୍ଜନବର୍ଣ୍ଣର ଲୋପ ଘଟିଛି । ‘ଭୋଗମଣ୍ଡପ’ ନାମଟି ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ନ ଥିଲେ ଏଥିରୁ ‘ଭଣ୍ଡ’ ନାମର ଉତ୍ପତ୍ତି ଘଟିଛି ବୋଲି କହିପାରନ୍ତେ ନାହିଁ । ଏଣୁ ସଂସ୍କୃତ ‘ଆତପସିଦ୍ଧଧାନ୍ୟାତ୍‌ ତଣ୍ଡୁଳ’ କଥାରୁ ବଙ୍ଗଳାରେ ‘ଆତପଚାଲ’ ଓ ସଂସ୍କୃତ ‘ଅରୁସସିଦ୍ଧ ଧାନ୍ୟାତ୍‌ ତଣ୍ଡୁଳଃ’’ କଥାରୁ ଓଡ଼ିଆ ‘ଅରୁଆ ଚାଉଳ’ ସମ୍ଭବତଃ ଜାତ । ସଂସ୍କୃତ ମଧ୍ୟପଦଲୋପୀ କର୍ମଧାରୟ ସମାସ ପରି ସୂର୍ଯ୍ୟସିଦ୍ଧ କାଞ୍ଜିକୁ ଏବେ ପୁରୀରେ ‘ସୂର୍ଯ୍ୟକାଞ୍ଜି’ କହନ୍ତି । ଏଣୁ ପୂର୍ବୋକ୍ତ ସଂସ୍କୃତ କଥାରୁ ‘ଧନ୍ୟାତ୍‌’ ପଦଟି ଲୋପ ପାଇଥିବାର ଅନୁମିତ ହୁଏ । ଅନେକ ସମୟରେ ‘ଅରୁଆ ଚାଉଳ ଭାତ’ ନ କହି ଓଡ଼ିଆରେ କେହି କେହି ‘ମୁଁ ଅରୁଆ ଖାଏ’ କହନ୍ତି । ତାମିଲୀରେ ସେପରି ଚାଉଳକୁ ‘ଅରିସ’ ସମ୍ଭବତଃ କହୁଅଛନ୍ତି । ସେହିପରି ସଂସ୍କୃତ ବୁଭୁକ୍ଷାରୁ ଅପଭ୍ରଂଶ ଓଡ଼ିଆ ଭୋକ । ଯେଉଁସବୁ ସଂସ୍କୃତ ଶବ୍ଦ ପ୍ରାକୃତରେ ପ୍ରଚଳିତ ଥିଲା, ସେଗୁଡ଼ିକୁ ତତ୍ସମ ଶବ୍ଦ କୁହାଯାଇଛି । ପ୍ରାକୃତରେ ପ୍ରଚଳିତ ପରିବର୍ତ୍ତିତ ସଂସ୍କୃତ ଶବ୍ଦକୁ ତଦ୍ଭବ କୁହାଯାଏ । ସଂସ୍କୃତ ଶବ୍ଦ ସହିତ ତଦ୍ଭବ ଶବ୍ଦମାନଙ୍କର ଧ୍ୱନିଗତ ସାଦୃଶ୍ୟ ଅଛି । ଏପରି ସାଦୃଶ୍ୟ ନ ଥିବା ଶବ୍ଦଗୁଡ଼ିକୁ ‘ଦେଶଜ’ ଆଖ୍ୟା ଦେଇ ହେମଚନ୍ଦ୍ର ଦେଶୀନାମମାଳାରେ ସନ୍ନିବେଶ କରିଅଛନ୍ତି । କିନ୍ତୁ ଧ୍ୱନିଗତ ସାଦୃଶ୍ୟ ନ ଥିବା ‘ବୁଡ଼୍‌’ ବା ‘ଡୁବ୍‌’ ଧାତୁ ସଂସ୍କୃତ ‘ମସଜ୍‌’, ଧାତୁରୁ ଉତ୍ପନ୍ନ ହୋଇ ତଦ୍ଭବ ଧାତୁ କି ? ସଂସ୍କୃତ ‘ଜଳାବୃତ’ ପଦର ‘ଜଳା’ ଲୋପ ପାଇ ‘ବୃତ’ ଅଥବା ଆଚ୍ଛାଦିତ ଅଥର କେବଳ ‘ବୃତ’ ଶବ୍ଦରୁ ‘ବୁଡ଼’ ବା ଏହା ବିପର୍ଯ୍ୟୟରେ ‘ଡୁବ’ ହେବା ସମ୍ଭବପର ।

 

ସଂସ୍କୃତ ‘ନଟିକାଳ’ ଶବ୍ଦରୁ ଓଡ଼ିଆ ‘ନଡ଼ିଆ’ ଶବ୍ଦର ଉତ୍ପତ୍ତି । କିନ୍ତୁ ସଂସ୍କୃତ ଭାଷାକୁ ନଟିକାଳ ଶବ୍ଦ ଆସିଲା କାହୁଁ ? ପଦାର୍ଥମାନଙ୍କର ନାମଗୁଡ଼ିକ କେଉଁ ରାଜ୍ୟରେ କିପରି ସୃଷ୍ଟି କରାଯାଇଥିଲା, ଆମେ ଜାଣୁ ନା । କଥା କହିବାକୁ ପିଲାଙ୍କୁ ଶିଖାଇବା ବେଳେ ଆମେ ସେମାନଙ୍କୁ ଗୋରୁ ଦେଖାଇ ତାହାର ‘ହମ୍ବା’ ରବ ଓ କାଉ ଦେଖାଇ ତାହାର ‘କା’-ରବ ଅନୁକରଣ କରିବାକୁ ଶିଖାଇଥାଉ । ମାତାକୁ ସଂସ୍କୃତ ଭାଷାରେ ‘ଅମ୍ବା’ ଓ ତେଲୁଗୁ ଭାଷାରେ ‘ଆମା’ କହନ୍ତି । ଏହା ସମ୍ଭବତଃ ଗୋରୁର ରବରୁ ଉତ୍ପନ୍ନ । ‘କା’-ରବ ହେତୁରୁ ‘କାକ’ ନାମର ଉତ୍ପତ୍ତି । ଏପରି ପ୍ରତ୍ୟେକ ସଂସ୍କୃତ ଶବ୍ଦର ଉତ୍ପତ୍ତି ନିର୍ଣ୍ଣୟ କରିବା କଠିନ । ଭାଷାର ଆଦାନପ୍ରଦାନ ମଧ୍ୟ ସବୁ ଦେଶରେ ପ୍ରଚଳିତ ଅଛି । କିନ୍ତୁ ଭୌଗୋଳିକ ଅବସ୍ଥାନ ଓ ଜଳବାୟୁର ପାର୍ଥକ୍ୟ ହେତୁ ଉଚ୍ଚାରଣ-ତାରତମ୍ୟରେ ଭାଷା କି ରୂପରେ ପରିବର୍ତ୍ତିତ ହୋଇଅଛି, ଆମେ ନିରୂପଣ କରିପାରୁ ନାହୁଁ । ବର୍ଣ୍ଣଲୋପବିଧି ଅନୁସାରେ ମଧ୍ୟ ବା ଅନ୍ତ୍ୟ ମ’ ଲୁପ୍ତ ହୋଇ କେବଳ ଅର୍ଦ୍ଧ ଅନୁନାସିକ ସ୍ୱର କେତେ ସଂସ୍କୃତ ଶବ୍ଦରେ ରହି ଓଡ଼ିଆରେ ବ୍ୟବହୃତ ହୁଏ - ଚାମର = ଚଅଁର, ଭ୍ରମର = ଭଅଁର, ଆମଳକୀ= ଅଅଁଳା, କୋମଳ= କଅଁଳ, ଭୂମି = ଭୂଇଁ । ଉଷ୍ମବର୍ଣ୍ଣ ପରେ ଥିଲେ ସଂକୃତ ଶବ୍ଦର ମଧ୍ୟ ‘ମ’ ବା ଅନୁସ୍ୱାର ଅର୍ଦ୍ଧ ଅନୁନାସିକ ସ୍ୱର ହେଲେ ‘ମ’-ର ‘ଅ’-ସ୍ୱର ‘ଉ’ -ସ୍ୱରରେ ପରିଣତ ହୁଏ-। ଯଥା–ସଂ ଆମର୍ଷଣ= ଓ ଆଉଁଷ, ସଂ ମାଂସ = ଓ ମାଉଁଷ, ସଂ ବଂଶ = ଓ (କୁଳ ଅର୍ଥରେ ବଉଁଶ ଓ ବୃକ୍ଷ ଅର୍ଥରେ) ବାଉଁଶ । ସଂସ୍କୃତ ଶବ୍ଦର ଅନ୍ୟ ବର୍ଣ୍ଣ ଥାଇ ଗୋଟିଏ ବର୍ଣ୍ଣ ରୂପାନ୍ତରିତ ହୋଇଥିଲେ ମୂଳ ଶବ୍ଦ ଖୋଜିବା କଠିନ ହୁଏ ନାହିଁ । ତଥାପି ଅର୍ଥର ସାମ୍ୟ ନ ଥିଲେ ଓ ମୂଳବର୍ଣ୍ଣ ସହିତ ତାହାର ରୂପାନ୍ତରର ଧ୍ୱନିଗତ ସାଦୃଶ୍ୟ ନ ଥିଲେ ସନ୍ଦେହ ଜନ୍ମେ । ଯଥା-ପଙ୍କ ଅର୍ଥର ସଂ ଜମ୍ବାଳ ଓ ଆବର୍ଜନା ଅର୍ଥର ଓଡ଼ିଆ ଜଞ୍ଜାଳ ଶବ୍ଦଦ୍ୱୟର ଲକ୍ଷଣାର୍ଥ ସମାନ ହୋଇପାରେ, କିନ୍ତୁ ‘ମ୍ବ’ ଯୁକ୍ତବର୍ଣ୍ଣ ‘ଞ୍ଜ’-ରେ ପରିଣତ ହେବା ଅସମ୍ଭବ ନ ହେଲେ ମଧ୍ୟ ଅନ୍ୟ ଦୃଷ୍ଟାନ୍ତ ନ ଥିବାରୁ ସନ୍ଦେହ ଜନ୍ମେ ।

 

କଥିତ ଓଡ଼ିଆରେ ବହୁ ଅବିକୃତ ସଂସ୍କୃତ ଶବ୍ଦର ଅର୍ଥ ପ୍ରଚଳିତ ଅଛି । କିନ୍ତୁ ସଂସ୍କୃତ ଭାଷାରେ ସେ ଶବ୍ଦଗୁଡ଼ିକ ଯେଉଁ ଅର୍ଥ ପ୍ରକାଶ କରୁଥିଲେ, ଓଡ଼ିଆରେ ସେ ଅର୍ଥର ବିପରୀତ ଅର୍ଥ, ଅନ୍ୟ ଅର୍ଥ ଅଥବା ବ୍ୟଷ୍ଟିଅର୍ଥ ଛାଡ଼ି ସାଧାରଣ ଅର୍ଥ ପ୍ରକାଶ କରନ୍ତି । ଯଥା–ଅବାନ୍ତର ଶବ୍ଦର ସଂସ୍କୃତ ଅର୍ଥ ପ୍ରାସଙ୍ଗିକ ହେଲେ ଓଡ଼ିଆରେ ଏହାର ଅର୍ଥ ଅପ୍ରାସଙ୍ଗିକ । ଅଭ୍ୟନ୍ତରର ସଂସ୍କୃତ ଅର୍ଥ ଅନ୍ତରାଳ; ଓଡ଼ିଆ ଅର୍ଥ କପଟ । ପରାମର୍ଶର ଓଡ଼ିଆ ଅର୍ଥ ବିଚାର ବା ମନ୍ତ୍ରଣା, ଓଡ଼ିଆ ଅର୍ଥ ଗାଳିଦେବା । ଗୁଣର ସଂସ୍କୃତ ଅର୍ଥ ଦୋଷର ବିପରୀତ,ଓଡ଼ିଆ ଅର୍ଥ ଦୋଷଗୁଣ ଉଭୟ ହୋଇ ଦୁର୍ଗୁଣ ଓ ସୁଗୁଣ ହୁଏ । ଗନ୍ଧର ସଂସ୍କୃତ ଅର୍ଥ ସୁଗନ୍ଧ ଓ ଦୁର୍ଗନ୍ଧ, ଓଡ଼ିଆ ଅର୍ଥ ଦୁର୍ଗନ୍ଧି । ଅର୍ଥ ବଦଳି ଥିବା ଓଡ଼ିଆ ଶବ୍ଦ ସଂସ୍କୃତ ଶବ୍ଦରୁ ରୂପାନ୍ତରିତ ହୋଇଥିବା ସନ୍ଦେହଜନକ ହୁଏ ।

 

ସଂସ୍କୃତ ଅଗ୍ନି ପାଲିରେ ଅଗ୍‌ଗି, ହିନ୍ଦୀରେ ଆଗ, ବଙ୍ଗଳାରେ ଆଗୁନ୍‌ ଏବଂ ଓଡ଼ିଆରେ ଅଗି । କିନ୍ତୁ ଓଡ଼ିଆ ‘ଅଗି’ କେବଳ ଅଗ୍ନ୍ୟୁତ୍ସବ ଦିନର ଅଗ୍ନି -ଅର୍ଥ ପ୍ରକାଶ କରେ । ଅଥଚ କନ୍ଧମାନେ ଅଗ୍ନିକୁ ସର୍ବଦା ‘ଆଗି’ କହି ଆସୁଅଛନ୍ତି । ସଂ ଅନ୍ୱେଷଣ= ପୀ.ଅନେସନା । ଏହି ପାଲି ଶବ୍ଦରୁ ଓଡ଼ିଆ ‘ଅନିସା’ ଶବ୍ଦର ଉତ୍ପତ୍ତି ସମ୍ଭବପର । କିନ୍ତୁ ପାଲିରେ ଖୋଜିବା ଓ ଓଡ଼ିଆରେ ଅପେକ୍ଷା କରିବା ଏପରି ମୁଖ୍ୟ ଅର୍ଥରୁ ଗୌଣ ଅର୍ଥ ଜାତ ହୋଇପାରେ । କାରଣ କେହି କାହାକୁ ଅପେକ୍ଷା କଲାବେଳେ ସେ ଏଣିକି ତେଣିକି ଚାହିଁ ତାହାକୁ ଖୋଜୁଥାଏ ।

 

ଶଗଡ଼ର ଅଖ-ପ୍ରାନ୍ତ କିଳାକୁ ସଂସ୍କୃତରେ ‘ଅଣି’ କହନ୍ତି । ଏ ଶବ୍ଦ ଏପରି ଅର୍ଥରେ ତାମିଲୀ ଭାଷାରେ ମଧ୍ୟ ବ୍ୟବହୃତ ହୁଏ । କାଲ୍‌ଡ଼ ଓୟେଲ୍‍ କହନ୍ତି ଯେ ଏ ଶବ୍ଦ ତାମିଲୀ ଭାଷାରୁ ସଂସ୍କୃତ ଭାଷା ଗ୍ରହଣ କରିଅଛି । କିନ୍ତୁ ଛୁଞ୍ଚିର ଅଗ୍ରଭାଗକୁ ସଂସ୍କୃତରେ ‘ଅଣି’ କହୁଥିବାରୁ ପାଲିରେ ‘କିଳ’ ଯୋଗ କରି ଅର୍ଥ ସୁଖବୋଧ୍ୟ ହେବା ପାଇଁ ‘ଅଣିକିଳ’ କୁହାଗଲା । ଏହା ଓଡ଼ିଆରେ ଅବିକଳ ରହି ଆସୁଅଛି ।

 

ସମୟ-ଅର୍ଥସୂଚକ ସଂସ୍କୃତ ‘ବେଳା’ ଶବ୍ଦ ଓଡ଼ିଆରେ ‘ବେଳ’ ରୂପରେ ବ୍ୟବହୃତ ହୁଏ ଓ ଏହାର ଅର୍ଥ ସୂର୍ଯ୍ୟ ମଧ୍ୟ ହୁଏ । ଯଥା - ବେଳ ବୁଡ଼ିଲା ବା ସୂର୍ଯ୍ୟ ଅସ୍ତ ହେଲେ । ସୂର୍ଯ୍ୟ ଆକାଶର ଊର୍ଦ୍ଧ୍ୱରେ ଅବସ୍ଥିତ ହେବାକୁ ସଂସ୍କୃତରେ ‘ଉଚ୍ଛ୍ରିତ’ କହନ୍ତି । ବିଳମ୍ବ ଅର୍ଥରେ ଓଡ଼ିଆରେ ‘ଉଛୁର’ ଶବ୍ଦ ପ୍ରୟୋଗ କରାଯାଏ । ଏପରି ପ୍ରୟୋଗ ‘ବୌଦ୍ଧଗାନ ଓ ଦୋହା’ରେ ଦେଖାଯାଏ ଓ ସଂସ୍କୃତ ଟୀକାକାର ‘ଉଛୁର’ ଶବ୍ଦ ‘ଉଚ୍ଛାୟ’ ଶବ୍ଦର ଅପଭ୍ରଂଶ ବୋଲି ଲେଖିଅଛନ୍ତି ।

 

ସଂସ୍କୃତ ‘ଅବସ୍ତ୍ର’ ଶବ୍ଦ ପାଲିରେ ଅବତ୍‌ଅର’ । ଶବ୍ଦର ଆଦ୍ୟ ‘ଅବ’ ବର୍ଣ୍ଣଦ୍ୱୟ ଓଡ଼ିଆରେ ‘ଓ’ ରେ ପରିଣତ ହେଉଥିବାର କୁହାଯାଇଅଛି । ଏଣୁ ଲୁଗା ପିନ୍ଧି ନ ଥିବା ଅର୍ଥର ପାଲି ‘ଅବତ୍ରଥର’ ଶବ୍ଦ ଓଡ଼ିଆରେ ‘ଓଥରା’ ରୂପରେ ପରିଣତ ହେଲେ ବିବାହ ନ କରିବା ପର୍ଯ୍ୟନ୍ତ ଲୁଗା-ପିନ୍ଧାର ବାଧ୍ୟ ନ ଥିବା ବାଳକକୁ ଓଥରା କୁହାଯାଏ ।

 

ଆଚ୍ଛାଦାନ କରିବା ଅର୍ଥର ସଂସ୍କୃତ ‘ଚ୍ଛଦ୍‌’ ଧାତୁରୁ ଓଡ଼ିଆ ‘ଛୁଆଁଇବା’ ଓ ସଂସ୍କୃତ ‘ଛତ୍ର’ ହୁଏ । ‘ଛତ୍ର’ ନାମଧାତୁକୁ ଣିଜନ୍ତ କଲେ ‘ଛତ୍ରା’ ହୋଇ ତୃତୀୟ ପୁରୁଷର ଏକ ବଚନରେ ‘ଛତ୍ରାପୟତି’ ହୁଏ । ଏଥିରୁ ଛୁଆଁଇବା ଅର୍ଥର ‘ଛପର’ ବିପର୍ଯ୍ୟୟରେ ହୁଏ ।

 

ଶପଥ କରିବା ଅର୍ଥର ସଂସ୍କୃତ ‘ସତ୍ୟକାର’ ଓ ‘ସତ୍ୟକ୍ରିୟା’ ପ୍ରାକୃତରେ ଯଥାକ୍ରମେ ‘ସଚ୍ଚକାର’ ଓ ‘ସଚ୍ଚକରିଆ’ ରୂପାନ୍ତରିତ । ପ୍ରଥମ ବର୍ଣ୍ଣ ସ୍ଥାନରେ ‘ଅ’ ହୋଇ ଓ ଅନ୍ୟପ୍ରକାରେ ‘ସଚ୍ଚ’ ବର୍ଣ୍ଣଦ୍ୱୟ ଲୋପପାଇ ଓଡ଼ିଆରେ ବହିଣା ଦେବା ଅର୍ଥରେ ‘ଅଚକାର’ ଓ ଶପଥ କରିବା ଅର୍ଥରେ ‘‘କିରିଆ’ ହୁଅନ୍ତି । ବହିଣା ଦେବା ଧନ ଦେବାନେବାର ଶପଥ-ଚିହ୍ନ । ଶପଥ କରିବା ଅର୍ଥରେ ‘କିରିଆ’ ଶବ୍ଦ ସମ୍ବଲପୁର ଅଞ୍ଚଳରେ ବ୍ୟବହୃତ ହୁଏ ।

 

ସଂସ୍କୃତ ସଂସ୍ଥାପିତ ଶବ୍ଦରୁ ରୂପାନ୍ତରିତ ପ୍ରାକୃତ ‘ସଣ୍ଠାବିଅ’ ଶବ୍ଦର ଅନ୍ତ୍ୟ ‘ବିଅ’ ବର୍ଣ୍ଣଦ୍ୱୟ ଲୋପପାଇ ଆଦ୍ୟ ‘ସଣ୍ଠା’ ଓଡ଼ିଆରେ ‘ସୁଣ୍ଠା’ -ରେ ପରିଣତ ହୋଇଥିବାରୁ ବାମଣ୍ଡା ଅଞ୍ଚଳରେ ଶୁଖିଲା ସାଇତା ମାଂସକୁ ‘ସୁଣ୍ଠା’ କହନ୍ତି ।

 

ସଂସ୍କୃତ ‘ରାସବାସ’ ପଦର ଆଦ୍ୟ ‘ରାଜ’ ବର୍ଣ୍ଣଦ୍ୱୟ ଲୁପ୍ତ ହୋଇ ଅନ୍ତ୍ୟ ‘ବାସ’ ଓଡ଼ିଆରେ ‘ଉଆସ’ ଶବ୍ଦରେ ପରିଣତ ହୋଇଅଛି । ଏହିପରି ସଂସ୍କୃତ ‘ଇନ୍ଦ୍ରକିଳ’ ଶବ୍ଦର ଅନ୍ତ୍ୟ ‘କିଳ’ ବର୍ଣ୍ଣଦ୍ୱୟ ଲୋପପାଇ ଆଦ୍ୟ ‘ଇନ୍ଦ୍ର’ ବର୍ଣ୍ଣଦ୍ୱୟ ‘ଏରଣ୍ଡି’ -ରେ ପରିଣତ ହୋଇ ‘ବନ୍ଧ’ ଯୁକ୍ତ ହୋଇ ‘ଏରଣ୍ଡିବନ୍ଧ’ ନାମର ଉତ୍ପତ୍ତି ।

 

ସଂସ୍କୃତ ‘ନିଷ୍କଳଙ୍କ’ ପ୍ରାକୃତରେ ‘ଣିକ୍‌କଳଙ୍କ’ ହୋଇ ତହିଁରୁ ଅନ୍ତ୍ୟ ‘ଳଙ୍କ’ ବର୍ଣ୍ଣଦ୍ୱୟ ଲୋପପାଇ ଆଦ୍ୟ ‘ଣିକ୍‌କ’ ବର୍ଣ୍ଣତ୍ରୟ ଓଡ଼ିଆରେ ‘ନିକ୍‌’ ରୂପ ଧାରଣ କରିଅଛି ।

 

ଓଡ଼ିଶାରେ ଚୁଲୀ ଜାଳିବାପାଇଁ କହନ୍ତି, ‘‘ଅନଳନଳ, ଓଦାକଞ୍ଚା ସବୁ ଜଳ ।’’ ରାଜା ନଳ ଓଦାକଞ୍ଚା କାଠଜାଳି ପାକକ୍ରିୟା ସମ୍ପାଦନ କରିପାରିଥିଲେ ବୋଲି ଏପରି କହୁଥିବାର ପ୍ରବାଦ ଅଛି । ଏଣୁ ଅଗ୍ନି ଅର୍ଥର ‘ଅନଳ’ ସଂସ୍କୃତ ଶବ୍ଦରୁ ବିପର୍ଯ୍ୟୟରେ ସମ୍ଭବତଃ ରୂପାନ୍ତରିତ ‘ନିଆଁ’ ଶବ୍ଦ । ଏହାର ଅର୍ଥ ପ୍ରଭାବଶାଳୀ ‘ଅଗ୍ନି’ ।

ପୂର୍ବେ କୁହାଯାଇଅଛି ଯେ ସଂସ୍କୃତ ‘ଅନ୍ନ’ ଶବ୍ଦର ଓଡ଼ିଆ ଉଚ୍ଚାରଣ ‘ଅର୍ଣ’ । ‘ସ’-ବ୍ୟଞ୍ଜନରେ ଯୁକ୍ତ ‘ନ’ ମଧ୍ୟ ‘ର’ ରୂପରେ ଉଚ୍ଚାରଣ କରାଯାଏ । ଯଥା–ସ୍ନାନ = ସାହାନ ବା ସିରାଣ, ସ୍ନେହ = ସ୍ରିଣିହ । ଏଣୁ ସଂସ୍କୃତ ତୋୟାନ୍ନ’ ପଦରୁ ଓଡ଼ିଆ ‘ତୋରାଣି’ ନାମ ଜାତ । କଟକ ଜିଲାରେ ଏହାକୁ ‘ତୋନି’ କହନ୍ତି ।

ସଂସ୍କୃତ ‘ପୁଷ୍କରିଣୀ’ ଶବ୍ଦରୁ ପ୍ରାକୃତ ‘ପୋଖ୍‌କରିଣି’ ର ଅପଭ୍ରଂଶ । ଏଥିରୁ ଓଡ଼ିଆ ‘ପୋଖରୀ’ ଉତ୍ପନ୍ନ । ସଂସ୍କୃତ ‘ପୁଷ୍କରୀୟ’ ଶବ୍ଦରୁ ସେପରି ପ୍ରାକୃତ ‘ପୋଖ୍‌କରୀଅ’-ର ଅପଭ୍ରଂଶ ହୋଇ ପାରିଥିବ । କିନ୍ତୁ ଏହାର ଦ୍ୱିତୀୟ ମହାପ୍ରାଣ ‘ଖ୍‌’-ର ପ୍ରଭାବରେ ଆଦ୍ୟ ସ୍ୱଳ୍ପପ୍ରାଣ ‘ପୁ’ ଯଦି ମହାପ୍ରାଣ ‘ଫୁ’ ହୁଏ, ‘କ’ ସମୀଭବନରେ ‘କି’ ହୋଇ ‘ଖ୍‌’ ଓ ‘ର୍‌’ ଲୁପ୍ତହୁଏ, ତେବେ ‘ପୁଷ୍କରୀୟ’ ଶବ୍ଦଟି ‘ଫୁକିଆ’ ରେ ପରିଣତ ହେବ । ପୁଷ୍କରର ଅର୍ଥ ପଦ୍ମ ଓ ଜରାୟୁକୁ ପଦ୍ମ କହନ୍ତି । ଫୁକିଆ ଶୁକ୍ରତାରାର ନାମ ଓ ଶୁକ୍ରର ଅର୍ଥ ପୁରୁଷର ରେତଃ । ଶୁକ୍ର କବି ଓ ନାରୀ ଦେଖି କବିତା କବି-ହୃଦୟରୁ ପ୍ରସ୍ଫୁରିତ ହୁଏ । କବିତା ଜ୍ଞାନାଲୋକ । ଏଣୁ ଓଡ଼ିଆ ‘ଫୁକିଆ ଉଇଁଲା, ଫସର ଫାଟିଲା’ କଥାଟି ‘ରାତି ପାହିବା ଓ ଆଲୁଅ ହେବା’ କଥାର ସାର୍ଥକ କବି-ଭାଷା । ସମ୍ବଲପୁର ଅଞ୍ଚଳରେ ସକାଳର ଆଲୁଅକୁ ‘ପତ୍ତରଫୁଟା’ କହନ୍ତି । ରାତିରେ ପତ୍ର ଦିଶୁ ନ ଥାଏ; ସକାଳର ଆଲୁଅରେ ଦିଶେ । ଏଣୁ ସକାଳର ଆଲୋକକୁ ‘ପତ୍ତରଫୁଟା’ କହନ୍ତି । ଏଥିରୁ ‘ଫୁଟା’ ଲୋପପାଇ କୁର୍ଗୁଭାଷାରେ ଆଲୋକକୁ କେବଳ ‘ପତ୍ତର’ କହନ୍ତି । କିନ୍ତୁ ଓଡ଼ିଆ ‘ଫସର’ ସଂସ୍କୃତ ‘ପ୍ରସ୍ଫୁରକ’ ର (Phosphorus) ଅପଭ୍ରଂଶ ।

ସଂସ୍କୃତ ‘କାପାସପାଟ’ ପାଲିରେ ‘କପପଟ’ ରୂପରେ ଅପଭ୍ରଷ୍ଟ । ଏହାର ପୁଣି ରୂପାନ୍ତରିତ ଓଡ଼ିଆ କବଟା, ହିନ୍ଦୀ କପ୍‌ଡ଼ା ଓ ବଙ୍ଗଳା କାପଡ଼ ପ୍ରଚଳିତ ଅଛି ।

ତଟରେ ଲାଗିଥିବା ଆମ୍ବ, ପଣସ ପ୍ରଭୃତି ବୃକ୍ଷସମୂହକୁଓଡ଼ିଆରେ ଓ ତେଲୁଗୁ ଭାଷାରେ ‘ତୋଟା’ କହନ୍ତି । ଏଣୁ ‘ତଟବର୍ତ୍ତୀ’ ଶବ୍ଦରୁ ‘ତୋଟା’ ଶବ୍ଦର ଉତ୍ପତ୍ତି । ସଂସ୍କୃତ ‘ଆଜ୍ଞା’ ଶବ୍ଦ ପ୍ରାକୃତରେ ‘ଆଣ୍‌ଣା’ ରୂପରେ ପରିବର୍ତ୍ତିତ ହୋଇ ତହିଁରୁ ଶପଥ କରିବା ଅର୍ଥରେ ତାମିଲୀ ଭାଷାରେ ‘ଆଣ’ ହୁଏ । ‘ଆସକା’ ନାମକୁ କେହି କେହି ‘ରାସ କା’ ରୂପରେ ଅର୍ଥାତ୍‌ ଆଦ୍ୟ ଆ-ସ୍ୱରକୁ ‘ରା’ ରୂପରେ ଉଚ୍ଚାରଣ କରନ୍ତି । ସଂସ୍କୃତ ‘ଆଲୁଞ୍ଚିତ’ ଶବ୍ଦର ଓଡ଼ିଆ ଅପଭ୍ରଂଶ ‘ରାଞ୍ଚୁଡ଼୍‌ ବା ରାଞ୍ଚୁଡ଼ିବା’ ; କିନ୍ତୁ ବଙ୍ଗଳାରେ ‘ଆଞ୍ଚଡ଼’ ରୂପରେ ବ୍ୟବହୃତ ଅଛି । ଏଣୁ ଆଦ୍ୟ ‘ଆ’-ସ୍ଥାନରେ ‘ରା’ ହେବା ନିଃସନ୍ଦେହଜନକ । ପ୍ରାକୃତ ‘ଆଣ୍‌ଣ’ ତାମିଲୀରେ ‘ଆଣ’ ରୂପାନ୍ତରିତ ହୋଇଥିବାରୁ ତାହାର ଓଡ଼ିଆ ଅପଭ୍ରଂଶ ‘ରାଣ’ । ‘ଈଶ୍ୱରଙ୍କ ରାଣ, ସତ କହୁଛି’ କଥାର ଅର୍ଥ ଈଶ୍ୱର-ଆଜ୍ଞାରେ ସତ କହୁଛି-

ସଂସ୍କୃତ ‘ପ୍ରାତସ୍କାଳ’ ପଦରୁ ‘ପାତ’ ଲୁପ୍ତ ହୋଇ ଓ ‘ସ୍କା’ ପରିବର୍ତ୍ତିତ ହୋଇ ‘ସକାଳ’ ପ୍ରଭାତର ଓଡ଼ିଆ ନାମ ହୋଇଅଛି । କୌଣସି କ୍ରିୟାର ନିର୍ଦ୍ଦିଷ୍ଟ କାଳର ପୂର୍ବବର୍ତ୍ତୀ କାଳକୁ ବଙ୍ଗଳାରେ ‘ସକାଲ’ କହନ୍ତି–ଯଥା, ‘‘କାଲ ଆମି ସକାଲ ସ୍କୁଲେ ଯାବ ।’’ କିନ୍ତୁ ଓଡ଼ିଆ ‘ସକାଳ’ ଏପରି ଅର୍ଥରେ ପରିବର୍ତ୍ତିତ ହୋଇ ‘ସଅଳ’ ହୁଏ ।

ଏକ ଅର୍ଥର ଆଁକଡ଼ୀ ଓ ଆଁ କଡ଼ଷୀ ଶବ୍ଦଦ୍ୱୟ ବଙ୍ଗଳାରେ ପ୍ରଚଳିତ ଥିବାରୁ ଓଡ଼ିଆ ‘ଆଙ୍କୁଡ଼ି’ ଶବ୍ଦର ଉତ୍ପତ୍ତି ସଂସ୍କୃତ ‘ଆକର୍ଷୀ’ ଶବ୍ଦରୁ ଘଟିଥିବାର ପ୍ରତୀତ ହୁଏ । ସେପରି ସଂସ୍କୃତ ‘କର୍ଷ’ ‘କଡ଼ହ’-ରେ ପରିଣତ ହୋଇ ତହିଁରୁ ସମ୍ଭବତଃ ଓଡ଼ିଆ ‘କାଢ଼୍‌’ ଧାତୁର ଉତ୍ପତ୍ତି ଘଟିଅଛି ।

ଅସ୍ଥିର ଅର୍ଥର ସଂସ୍କୃତ ଚଳ, ମଇଲା ଅର୍ଥର ମଳ, ଝୁଲିବା ଅର୍ଥର ଦୋଳ ପ୍ରଭୃତି ସଂସ୍କୃତ ଶବ୍ଦମାନଙ୍କର ଓଡ଼ିଆ ଉଚ୍ଚାରଣ-କାଳରେ ଦୁଇ ବର୍ଣ୍ଣ ମଧ୍ୟରେ ପ୍ରତ୍ୟେକଟିରେ ‘ହ’-ର ଆଗମ ହୁଏ–ଯଞ୍ଚା, ଚହଲ, ମହଳ, ଦୋହଲ ପ୍ରଭୃତି । ସମ୍ଭବତଃ ‘ଦୋହଲ’ ପୁଣି ପରିବର୍ତ୍ତିତ ହୋଇ ଓଡ଼ିଆ ‘ଝୁଲ’ ଧାତୁର ଓ ସଂସ୍କୃତ ‘ଦୋଳ’ ପ୍ରାକୃତ ‘ଲୋଳ’ ଶବ୍ଦର ଉତ୍ପତ୍ତି ଘଟିଅଛି । କିନ୍ତୁ ପ୍ରାକୃତ ‘ଲୋଳ’ ସଂସ୍କୃତ ଶବ୍ଦ ରୂପରେ ପରିଗଣିତ ହେଉଅଛି । ‘ଦୋଳା’ ‘ଡୋଳା’-ରେ ପରିଣତ ହୋଇ ଚକ୍ଷୁ-ଡୋଳା ନାମ ମଧ୍ୟ ହୋଇଅଛି ।

 

ବଡ଼ ଦାନ୍ତ ଅର୍ଥର ସଂସ୍କୃତ ‘ଦଂଷ୍ଟ୍ରା’ ଶବ୍ଦ ପ୍ରାକୃତରେ ‘ଦାଟ୍‌ଠା’ ହୋଇ ଏଥିରୁ ଓଡିଆ ‘ଦାଢ଼’ ଉତ୍ପନ୍ନ ହେଲା । ଏହା କରତ ପ୍ରଭୃତି ବଡ଼ ବଡ଼ ଅସ୍ତ୍ରର ଦାନ୍ତକୁ ବୁଝାଉଅଛି । ଅନ୍ତ୍ୟ ମହାପ୍ରାଣ ‘ଢ଼’ -ର ପ୍ରଭାବରେ ସ୍ୱଳ୍ପ ପ୍ରାଣ ଆଦ୍ୟ ‘ଦା’ ମହାପ୍ରାଣ ‘ଧା’ ହେଲେ ଅନ୍ତ୍ୟ ମହାପ୍ରାଣ ‘ଢ଼’-ର ଧ୍ୱନି କୋମଳ ହୋଇ ‘ର’ ହେବା ଧ୍ୱନିତତ୍ତ୍ୱରେ ଗୋଟିଏ ରୀତି । ଏଣୁ ସଂସ୍କୃତ ଅସ୍ତ୍ରଶସ୍ତ୍ରର ତୀକ୍ଷ୍ଣ ପ୍ରାନ୍ତର ‘ଧାର’ ନାମଟି ‘ଦାଢ଼’ -ରୁ ଜାତ ହେବା ସମ୍ଭବପର । କିନ୍ତୁ ‘ନୀଳୋତ୍ପଳ-ପତ୍ରଧାର’ କାଳିଦାସ କହିଅଛନ୍ତି । ଏଣୁ ସେ କାଳରୁ ‘ଧାର’ ଶବ୍ଦର ପ୍ରଚଳନ ଅଛି । ତତ୍‌ପୂର୍ବରୁ ‘ଦାଢ଼’ ଶବ୍ଦ ପ୍ରଚଳିତ ଥିବାର ପ୍ରମାଣ ପାଇନାହୁଁ ।

 

ଓଠ କମ୍ପାଇ କଥା କହିବା ବହୁ ବୟସ୍କା ବହୁ ବୟସ୍କା ବୁଢ଼ୀକୁ ଓଡ଼ିଆରେ ‘ଧୋକଡ଼ୀ’ କହନ୍ତି । ସଂସ୍କୃତ ‘ଧୂଃ’ ବା ‘ଧୂର୍‌’ କମ୍ପନ ଅର୍ଥ ବ୍ୟକ୍ତ କରେ । ‘କଳ’ ର ଅର୍ଥ ଅସ୍ଫୁଟ ମଧୁର ଧ୍ୱନି । ଏଣୁ ‘ଧୂଃ କଳ’ ‘ଧୋକଡ଼ୀ’-ରେ ପରିଣତ ହୋଇପାରେ । ସ୍ଥୂଳ ବସ୍ତ୍ର ଅର୍ଥର ‘ଧୋକଡ଼’ ଶବ୍ଦ ଦେଶଜ ବୋଲି ହେମଚନ୍ଦ୍ର ଦେଶୀନାମମାଳାରେ ଲେଖିଅଛନ୍ତି । ‘ଠୁଳ କାପଡ଼’-ରୁ ‘ଳ’ ଓ ‘ପ’ ବର୍ଣ୍ଣ ଦ୍ୱୟ ଲୁପ୍ତ ହୋଇ, ‘କା’ ‘କ’-ରେ ଓ ‘ଠୁ’ ‘ଧୋ’-ରେ ପରିଣତ ହୋଇ ‘ଧୋକଡ଼’ ନିଷ୍ପନ୍ନ ହୋଇଥିବା ମଧ୍ୟ ସମ୍ଭବପର ।

 

ପର୍ବତ ଅର୍ଥର ‘ଡୁଙ୍ଗର’ ଶବ୍ଦ ସମ୍ଭବତଃ ‘ତୁଙ୍ଗଶିର’ ପଦର ଅପଭ୍ରଂଶ । ହେମଚନ୍ଦ୍ର ଏ ଶବ୍ଦ ଦେଶଜ ବୋଲି ଲେଖିଅଛନ୍ତି । କେଶବିହୀନ ମସ୍ତକକୁ ‘ଟାଙ୍ଗର ମୁଣ୍ଡ’ ଓ ବୃକ୍ଷଲତାବିହୀନ ପାହାଡ଼କୁ ‘ଟାଙ୍ଗର ମୁଣ୍ଡିଆ’ କହନ୍ତି । ମୁଣ୍ଡ ବା ଶିର ପର୍ବତ ପ୍ରତି ପ୍ରଯୁଜ୍ୟ ହୁଏ । ସଂସ୍କୃତ ‘ଟଙ୍କ’ ଶବ୍ଦ ଓଡ଼ିଆରେ ‘ଟାଙ୍ଗୀ’ ହୁଏ । ‘ର’ ଯୋଗକରି ବିଶେଷଣ ହେଲେ ‘ଟାଙ୍ଗର’ ହୁଏ ।

 

କୌଣସି ପାତ୍ରର ଗର୍ଭସ୍ଥ ପଦାର୍ଥକୁ ଆବୃତ୍ତ କରିବାକୁ ଢାଙ୍କିବା କହନ୍ତି । ଏହାଦ୍ୱାରା ଉପରିସ୍ଥ ପାତ୍ରର ଅଧ ବା ତଳଭାଗରେ ଆବୃତ୍ତ ପଦାର୍ଥ ରହେ । ଏଣୁ ‘ଅଧଃକରଣ’ ସଂସ୍କୃତ ଶବ୍ଦରୁ ବିସର୍ଗ ଓ ‘ର’ ଲୋପପାଇ ‘ଢଂକନ’ ଜାତ ହୋଇଅଛି । ଏହାକୁ ବଙ୍ଗଳାରେ ‘ଢାଁ କନା’ ଓ ଓଡ଼ିଆରେ ‘ଢାଙ୍କୁଣି’ କହନ୍ତି । ହେମଚନ୍ଦ୍ର ‘ଢଙ୍କନ’ ଶବ୍ଦ ଦେଶଜ ବୋଲି ଉଲ୍ଲେଖ କରିଅଛନ୍ତି ।

 

ମନୁଷ୍ୟର ଅଙ୍ଗ ଦୁଇ ଭାଗ - ବାମ ଓ ଦକ୍ଷିଣ । ସଂସ୍କୃତ ‘ଦକ୍ଷିଣ’-ର ଅପଭ୍ରଂଶ ଓଡ଼ିଆ ‘ଡାହାଣ’, ବଙ୍ଗଳା ‘ଡାଇନା’ ଓ ହିନ୍ଦୀ ‘ଡାହିନା’ । ବାମଭାଗକୁ ଓଡ଼ିଆରେ ‘ଡେବିରି’ କହନ୍ତି । ବାମହାତରେ ସାମାନ୍ୟ କାମ କରାଯାଏ । ସଂସ୍କୃତ ଦଭ୍ର’ ଶବ୍ଦର ଅର୍ଥ ସାମାନ୍ୟ । ଏହି ‘ଦଭ୍ର’ ଶବ୍ଦକୁ ଓଡ଼ିଆ ଉଚ୍ଚାରଣ ରୀତିରେ ‘ଦଭର’ ହେଲେ ‘ଦର’ ଶବ୍ଦ ‘ଡର’ ହେଲାପରି ‘ଦଭର’-ରୁ ‘ଡଭର’ ହୋଇ ତହିଁରୁ ‘ଡେବିରି’ ଜାତହେବା ସମ୍ଭବପର । ଗୁଜୁରାଟୀରେ ‘ଡାବ୍ଦୋ’ ପ୍ରଚଳିତ । ହେମଚନ୍ଦ୍ର ‘ଡବ୍ଦ’ ଶବ୍ଦ ଦେଶଜ ବୋଲି ଉଲ୍ଲେଖ କରିଅଛନ୍ତି ।

 

ସଧବା ନାରୀକୁ ଓଡ଼ିଆରେ ‘ଅଇହ’ ଓ ବଙ୍ଗଳାରେ ‘ଆଇହ’ କହନ୍ତି । ଏହା ସମ୍ଭବତଃ ‘ମାନନୀୟା’ ଅର୍ଥର ସଂସ୍କୃତ ‘ଆର୍ଯ୍ୟକା’ ଶବ୍ଦର ଅପଭ୍ରଂଶ । ଅନ୍ୟ ଅପଭ୍ରଂଶ ‘ଆଇ’ ଠାରୁ ‘ହ’ ଯୋଗରେ ପୃଥକ ।

 

ନୌକାକୁ ଓଡ଼ିଆରେ ‘ଡଙ୍ଗା’ ଓ ବଙ୍ଗଳାରେ ‘ଡିଙ୍ଗି’ କହନ୍ତି । ଉପପଦ ସମାସରେ ଜଳ ଉପରେ ଗମନ କରିବା ଅର୍ଥର ସଂସ୍କୃତ ‘ଉଦଗା’ ଶବ୍ଦର ‘ଉ’ ଲୁପ୍ତହୋଇ ଅବଶେଷ ‘ଦଗା’ ସମ୍ଭବତଃ ‘ଡଙ୍ଗା’-ରେ ରୂପାନ୍ତରିତ ।

 

‘ଡୋର’ ଶବ୍ଦଟି ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ଗୁଜୁରାଟୀ ଭାଷାରେ ପ୍ରଚଳିତ ଅଛି । ହେମଚନ୍ଦ୍ରଙ୍କ ମତରେ ଏହା ଦେଶଜ । କିନ୍ତୁ ସଂସ୍କୃତ ‘ରଜ୍ଜୁ’ ଶବ୍ଦ ବିପର୍ଯ୍ୟୟରେ ଜୁର’ ହୋଇପାରିବ-। ‘ର’ ‘ଡ’ ବର୍ଣ୍ଣଦ୍ୱୟ ସମଧ୍ୱନ୍ୟାତ୍ମକ ହୋଇଥିବାରୁ ‘ର’-ବର୍ଣ୍ଣର ପ୍ରଭାବରେ ‘ଜ’ ବଦଳି ‘ଡ’ ହେବା ସମ୍ଭବପର । ‘ଜୁ’ ବର୍ଣ୍ଣର ଉକାର ଓକାରରେ ପରିଣତ ହେବା ସନ୍ଦେହଜନକ ନୁହେଁ ।

 

ବର୍ତ୍ତମାନ ସଂସ୍କୃତ ପାଲି, ପ୍ରାକୃତ ଓ ଓଡ଼ିଆ ଶବ୍ଦମାନଙ୍କର ଗୋଟିଏ ତାଲିକା ତଳେ ଦିଆଯାଉଅଛି । ପୂର୍ବୋକ୍ତ ଧ୍ୱନି ତତ୍ତ୍ୱ ବିଧି ଅନୁସାରେ ଦିଆଯାଇଥିବା ସଂସ୍କୃତ ଶବ୍ଦରୁ ଅପଭ୍ରଂଶ ଶବ୍ଦରୁ ଅପଭ୍ରଂଶ ସମ୍ଭବପର କି ନା, ପାଠକେ ବିଚାର କରିବେ ।

 

ବର୍ତ୍ତମାନ ପ୍ରତ୍ୟେକ ଶବ୍ଦର ରୂପାନ୍ତର ସମ୍ବନ୍ଧରେ ଟିପ୍‌ଣୀ ନ ଲେଖି ଗୋଟିଏ ତାଲିକା କରାଯାଉଅଛି । ଏଥିରେ ସଂସ୍କୃତ, ତଦ୍ଭବ ଓ ଓଡ଼ିଆ ଶବ୍ଦମାନ ସନ୍ନିବେଶ କରାଯାଉଅଛି । ଏଗୁଡ଼ିକ ପରସ୍ପର ସଦୃଶ ଧ୍ୱାନ୍ୟାତ୍ମକ କି ନା, ପାଠକେ ବିଚାର କରିବେ । ବିଶେଷ ପ୍ରୟୋଜନ ନ ଥିବ ସ୍ଥଳରେ ସଦୃଶ ଧ୍ୱାନ୍ୟାତ୍ମକ ତଦ୍ଭବ ଏବ୍ଦ କେତୋଟି ଉଲ୍ଲେଖ କରାଯାଉନାହିଁ । ପ୍ରୟୋଜନ-ସ୍ଥଳରେ ଟିପ୍ପଣୀ ଦିଆଯାଉଛି ।

 

(୧) ସଂ ଆଲୁଳ= ଓ ଅଡ଼ୁଆ । (୨) ସଂ ଅଜ୍ଞ ( ପାଂ ଅଞ୍‌ଞ= ପ୍ରାଂ ଅଣ୍‌ଣ) = ଓଂ ଅଗା । (୩) ସଂସ୍କୃତ ଅସାର ଅର୍ଥର ଅଳୀକ = ଓଂ ଅଳିଖା(ଉ: ତୁ ମୋତେ ଅଳିଖା ପାଇଲୁ), ଅଳିଆ । (୪) ସଂ ଅର୍ଦ୍ଦ= ଓଂ ଅଳି, ଆଳ, (୫) ସଂ ଆସ୍ତରଣ = ପାଂ ଅଥରଣ= ଓଂ ଅଥାର (ଉ: ଏଣ୍ଡୁରି ଅଥାର) । (୬) ସଂ ଅବୋତ= ଓଂ ଅଭ୍ୟଡ଼ା । (୭) ସଂ ଅତିତ୍ରସ୍ତ= ପାଂ ଅତ୍ରିଚ୍ଛ= ଓଂ ଅତ୍ରିଚ୍ଛ । (୮) ତରଳ କରିବା ଅର୍ଥର ସଂ ଆବର୍ତ୍ତନ = ଓଂ ଆଉଟା । ଏଠାରେ ଉଲ୍ଲେଖ କରିବା ଉଚିତ ଯେ ବହୁ ସଂସ୍କୃତ ଶବ୍ଦର ମଧ୍ୟସ୍ଥ ‘ର୍ତ୍ତ’ ତଦ୍ଭବ ଶବ୍ଦମାନଙ୍କରେ ‘ଟ’ ହୋଇଅଛି । ଯଥା - ନର୍ତ୍ତନ = ନାଟ, ବର୍ତ୍ମ= ବାଟ, ନିବର୍ତ୍ତନ = ନେଉଟ, ବ୍ୟାବର୍ତ୍ତନ= ବାହୁଡ଼ (ଟ = ଡ଼) । (୯)ବାରଣ ଅର୍ଥର ସଂ ଅବବାର= ଫା ଓ ବାର = ଓଂ ଉବାର । (୧୦) ସଂ ଉଦ୍ଦୀର୍ଣ୍ଣ= ଫା ଉଲ୍ଲାର ଉ. ଚାଳ ଉଲାରିବା) । (୧୧) ସଂ ଉଷ୍ମ =ପାଂ ଉସହ = ଓଂ ଉମ୍ଭେଇ । (୧୨) ଉଦ୍‍ଗତ ହେବା ଅର୍ଥର ସଂ ଉଦ୍‌ବାନ୍ତ = ଓଂ ଉଭା । (୧୩) ସଂ ଉଦ୍‌ବହିତ= ଓଂ ଉଭେଇଯିବା । (୧୪) ସଂ ଉତ୍ତିଷ୍ଠ= ପ୍ରାଂ ଉଟ୍‌ଠ= ଓଂ ଉଠ । ସଂ ଉଦ୍‌ଯାନ= ଓଂ ଉଜାଣି । (୧୫) ସଂ ଉଦ୍‌ଗାର = ପାଂ ଉଦ୍‌ଗାର = ଓଂ ଉଗାଡ଼ିବା । (୧୬) ସଂ ଉବ୍ଦର୍ତ୍ତକ= ପାଂ ଉବ୍ଦଟନ= ଓଂ ଉବୁଡ଼େଇବା ଉ: ହାଣ୍ଡି ଉବୁଡ଼େଇ ଦିଅ । (୧୭) ସଂ ଏକତଃ = ପାଂ ଏକାଟଅ= ଓଂ ଏକାଟିଆ । (୧୮) ବିସ୍ତାର ଅର୍ଥର ସଂସ୍କୃତ ଅବତାନ= ଓଂ ଓଟାର । (୧୯) ସଂ ଅବଗୁଣ୍ଠନ = ଓଂ ଓଢ଼ଣା । (୨୦) ସଂ ଗୁଣ୍ଠନ= ଓଂ ଘୋଡ଼ଣ, ଘୋଡ଼ାଇବା । (୨୧) ସଂ କଚ୍ଛୁ = ପାଂ କାଚ୍ଛୁ= ଓଂ କାଚ୍ଛୁ । (୨୨) ସଂ କୀର୍ଣ୍ଣ = ପାଂ କିଣ୍‌ଣୋ= ଓଂ କଣା । (ଉ: କଣା ମାଠିଆ) । (୨୩) କଣ୍ୱ = ଓଂ କଣା (ଅନ୍ଧାରକଣା; କଣାମାମୁଁ) । କଣ୍ୱ ମୁନି ଅନ୍ଧ ଥିଲେ । ଅଶ୍ୱିନ୍‌ମାନେ ତାହାଙ୍କୁ ଦୃଷ୍ଟି-ଶକ୍ତି ଦେଇଥିବାର ବେଦରେ ବର୍ଣ୍ଣିତ ଅଛି । ବ୍ରହ୍ମ ପୁରାଣରେ କଥିତ ଅଛି, ବତ୍ସକଣ୍ୱ କୋଣାର୍କଠାରେ ବାସ କରୁଥିଲେ । ଅନ୍ଧ ଦୀର୍ଘତମା ନାରୀମାନଙ୍କ ପ୍ରତି ଗାଭୀ ତାହାର ବତ୍ସାକୁ ସ୍ନେହ କଲା ପରି ବ୍ୟବହାର କରିବା ପାଇଁ କହିଅଛନ୍ତି । ତାହାଙ୍କ ପୁତ୍ର କକ୍ଷିବତ୍‌ କୋଣାର୍କ ଛଡ଼ା ଭାରତର ଅନ୍ୟତ୍ର ଉଷା-ସୂକ୍ତ ରଚନା କରିବା ଅସମ୍ଭବ । କଣାସ ତାମ୍ରଶାସନ ଅନୁଯାୟୀ କୋଣାର୍କ ନିକଟରେ ଅନ୍ଧମୁନିସୁତ ରାଜତ୍ୱ କରୁଥିଲେ । (୨୪) ପ୍ରାଂ କଲିର = ଓଂ କରିଡ଼ । (୨୫) ସଂ କର୍ଷଣ = ପ୍ରାଂ କଡ଼୍‌ଢଣ= ଓଂ କଢ଼ାଣ ( ନୂତନ ଫସଲ ପାଇଁ ଜମିର ପ୍ରଥମ ଚାଷ ) । (୨୬) ସଂ କାର୍ଷାପଣ = ଓଂ କାହାଣ । (୨୭) ସଂ କୁଲ୍ୟ= ପାଂ କୁଲ୍ଲୋ= ଓଂ କୁଲା । (୨୮) ସଂ କୃତ୍ରିମ = ପାଂ କିଟ୍‌ଟିମ= ଓଂ ଖେଣ୍ଟ । (୨୯) ସଂ କ୍ଷୋଭୟତି= ଓଂ କ୍ଷୋବଇ(୩୦) ସଂ ଖଦିକା= ଓଂ ଖଇ । (୩୧) ସଂ କୀଳକ= ଓଂ ଖିଡ଼ିକି । (୩୨) ସଂସ୍ଖତ୍‌= ଓଂ ଖସ୍‌ । (୩୩) ସଂ ଖାଦ୍ୟ = ପା ଖଜ୍‌ଜ= ଓଂ ଖଜା ( ମିଠା ଖାଦ୍ୟ ) । (୩୪) ଭକ୍ଷଣ କରିବା ଅର୍ଥର ସଂସ୍କୃତ ଧାତୁ ‘ଗୃ’ = ଓଂ ଗିଳ୍‌ । (୩୫) ସଂ ଗ୍ରହଣ = ଓଂ ଘେନ । (୩୬) ସଂ ଗୃହୀତ = ଓଂ ଘିତି ( ଉ: ବଜାରରୁ ତେଳ ଘିତି ଆସିଲି । (୩୭) ସଂସ୍କୃତ ଘୂର୍ଣ୍ଣାୟମାନ-= ଓଂ ଘୋଳାୟମାନ-। ଏଣୁ ସଂସ୍କୃତ ଘୂର୍ଣ୍ଣ= ଓଂ ଘୋଟ, ଘୋର, ଗୋଳ, ଘୂରିବା । (୩୮) ସଂ ଗ୍ଳାନି= ଓଂ ଗାଳି । (୩୯) ଗୋପନୀୟ ଅର୍ଥର ସଂସ୍କୃତ ଗୁହ୍ୟକ= ପ୍ରାଂ ଗୁଜଝଓ= ଓଂ ଗୁଞ୍ଜ । (୪୦) ସଂ ଗର୍ତ୍ତ= ପ୍ରା ଗଡେ୍‌ଡ଼ା= ଓଂ ଗାଡ଼, ଗାଡ଼ିଆ । (୪୧) ସଂ ସଂକ୍ରମ = ପାଂ ଚକମ= ଓଂ ଚଙ୍କ ଉ. ପଥର ଚଙ୍କେ ନାହିଁ ) । (୪୨) ସଂ ତୀକ୍ଷ୍ଣ= ପ୍ରାଂ ଚୋଖା= ଓଂ ଚୋଖା (କ୍ଷଣବୁଦ୍ଧି ସମ୍ପନ୍ନ) । (୪୩) ସଂ କ୍ଷାର = ଓଂ ଛାର । (୪୪) ସଂ ସ୍ପଶ୍‌= ପ୍ରା ଛୁପ୍‌ପ= ଓଂ ଛୁଁ(ଉ: ସେ ମୋତେ ଛୁଇଁଲା) । (୪୫) ସଂ ଶାବକ = ପାଂ ଛାପ୍‌ପୋ= ଓଂ ଛୁଆ । (୪୬) ସଂ ଶ୍ଚୋତ= ପାଂ ଛଡେ୍‌ଡତି= ଓଂ ଛାଡ଼ିବା (୪୭) ସଂ ତନ୍‌= ଓଂ ଟାଣ । (୪୮) ସଂ ଯୌବନ = ପ୍ରାଂ ଜୋବବାନ= ଓଂ ଜୁଆନ । (୪୯) ସଂ ଜ୍ୟୋତ୍ସ୍ନା= ପଂ ଜୁନହା= ଓଂ ଜହ୍ନ । (୫୦) ସଂ ଜ୍ୟୋତ୍ସ୍ନୀ= ଓଂ ଜହ୍ନି । (୫୧) ସଂ ଦ୍ୟୁତ= ଓଂ ଜୂଅ-। (୫୨) ସଂ ସ୍ଥିତ= ପ୍ରାଂ ଠିଅ= ଓଂ ଠିଆ । (୫୩) ସଂ ତିରଶ୍ଚୀନ= ପ୍ରାଂ ତେରଚ୍ଛା= ଓଂ ତେରଚ୍ଛା । (୫୪) ସଂ ଦଗ୍‌ଧ = ପାଂ ଦହଡ଼= ଓଂ ଦହଡ଼ । (୫୫) ସଂ ଦୃଢ = ଓଂ ଦଢ଼ ( ଉ: ଦଢ଼ ହାଣ୍ଡି ) । (୫୬) ସଂ ନିଗତ= ପ୍ରାଂ ନିକ୍‌କଳିତ= ଓଂ ନିକିଳିବା । (୫୬) ସଂ ମୃଣାଳ = ପ୍ରାଂ ମୁଣାଳ, ନାଡ଼= ଓଂ ନାଡ଼(୫୭) ସଂ ପ୍ରଥମ = ପାଂ ପଧମ= ପ୍ରାଂ ପଢ଼ମ= ଓଂ ପୋଢ଼ୁଆଁ । (୫୮) ସଂ ପ୍ରସ୍ଖନ୍ଦନ= ପାଂ ପକ୍‌ଖଣ୍ଡନ= ଓଂ ପହଣ୍ଡ । (୫୯) ସଂ ପ୍ରସ୍ଫନ୍ଦ= ଓଂ ପହଣ୍ଡି ( ଉ: ଜଗନ୍ନାଥ-ଧର୍ମରେ ହିନ୍ଦୁ, ଜୈନ ଓ ସୋତ୍ରାନ୍ତିକ ବୌଦ୍ଧମାନଙ୍କର ପରମାଣୁବାଦର ସମିଶ୍ରଣ ଘଟିଥିବାରୁ ଜୀବ-ପ୍ରବୃତ୍ତି ପ୍ରସ୍ଫନ୍ଦର ଅଭିନୟ ଅନୁଷ୍ଠିତ ହୁଏ । (୬୦) ସଂ ପ୍ରାନ୍ତ = ପାଂ ପନତ= ଓଂ ପଣନ୍ତ । (୬୧) ସଂ ପୀଠ = ଓଂ ପିଢ଼, ପିଢ଼ା । (୬୨) ସଂ ପ୍ରଚ୍ଛଦପଟ = ପାଂ ପାଛୁଡ଼ା = ଓଂ ପାଛୁଡ଼ା । (୬୩) ସଂ ପ୍ରୋଞ୍ଛ = ଓଂ ପୋଛ । (୬୪) ସଂ ପ୍ରଷାଳ= ଓଂ ପଖାଳ, ହକାଳ । (୬୫) ସଂ ପର୍ଯ୍ୟସ୍ତ= ପ୍ରାଂ ପଲ୍ଲସ୍ତୋ= ଓଂ ପାଲଟ । (୬୬) ସଂ ପ୍ରକ୍ଷେପ = ଓଂ ପକାଅ (ଉ: ଲୁଣ ପକାଅ ) । (୬୭) ସଂ ପ୍ରସାର = ଓଂ ଓସାର । (୬୮) ସଂ ପ୍ରବେଶ = ଓଂ ପଶ । (୬୯) ସଂ କ୍ଷିପ୍ର = ପ୍ରାଂ ପିକ୍‌ଖ= ଓଂ ଫିଙ୍ଗ । ବଙ୍ଗଳାରେ ଓ ସମ୍ବଲପୁରୀ ଓଡ଼ିଆରେ ଫିକ । (୭୦) ସଂ ବଧିର = ପାଂ ବହେର = ଓଂ ବେହେଡ଼ା( ଉ: ବେହେଡ଼ାଦାନ୍ତ) । (୭୧) ସଂ ବଟୁ = ଓଂ ବଡ଼ୁ । ଉପନୟନରେ ବ୍ରହ୍ମଚାରୀ-ବ୍ରତ ଗ୍ରହଣ କରିବାକୁ ‘ବଡ଼ୁ’ କହନ୍ତି । ଏଥିରେ ବଟବୃକ୍ଷର ତତ୍ତ୍ୱ ବୁଝି ବାଳକ ବୁଦ୍ଧତ୍ୱ ଲାଭ କରୁଥିଲା । (୭୨) ସଂ ପ୍ରଭୁତ= ଓଂ ବହୁତ । (୭୩) ସଂ ବହୁଳ = ଓଂ ବହଳ, ଗହଳ । (୭୪) ସଂବେଷ୍ଟନୀ= ଓଂ ବେଢ଼ାଣ । (୭୫) କାହିଁରେ ବସିବା ଅର୍ଥର ସଂ ଉପବିଷ୍ଟ = ପ୍ରାଂ ବଇଠ = ଆସନ ଅର୍ଥର ଓଂ ବଇଠି ( ବସିବା ଅର୍ଥର ହିନ୍ଦୀ ବଇଠୋ) । (୭୬) ସଂ ପରାୟାତି= ଓଂ ଫେରଇ । (୭୭)ସଂ ବୀଜମ୍‌= ପ୍ରାଂ ବିଅମ= ଓଂ ବିହନ । (୭୮) ସଂ ଭ୍ରଷ୍ଟ = ପାଂ ଭସ୍‌ସିତୋ= ଓଂ ଭୁଷିଡ଼ିବା । (୭୯) ସଂ ଭଦ୍ର = ପାଂ ଭଦ୍ଦ= ଓଂ ଭଲ । (୮୦) ସଂ ଭୟୋଦଭ୍ରମ= ପାଂ ଭଡ଼ମ୍ବ= ଓଂ ଭଡ଼କ, ଭେଳିକି-। (୮୧) ସଂ ମର୍ଦ୍ଦ = ଓଂ ମଳ, ମାଡ଼(ଉ: ଧାନ ମିଳିବା, କଣ୍ଟା ମାଡ଼ିବା) । (୮୨) ସଂ ମୃଷ୍ଟ = ଓଂ ମାଠ । (୮୩) ସଂ ଯଷ୍ଟି = ଓଂ ଲାଠି । (୮୪) ସଂ ଶୃଙ୍ଗାର = ଓଂ ସିଂଘାର । (୮୫) ସଂ ଉଲ୍ଲା= ଓଂ ହୁଳା । (୮୬) ସଂ ଅଧଃ = ଓଂ ହେଠ । (୮୭) ସଂ ହୃଦୟ = ପ୍ରାଂ ହିଅଅ= ଓଂ ହିଆ । (୮୮) ସଂ ଲଘୁକ= ଓଂ ଲହକା, ହାଲୁକା ।

 

ସଂସୃତ ଶବ୍ଦ ସହିତ ଧ୍ୱନିଗତ ସାଦୃଶ୍ୟ ଥିବା କେତେ ଓଡ଼ିଆ ଶବ୍ଦର ତାଲିକା ଉପରେ ଦିଆଗଲା । ଏହାକୁ ଆଲୋଚନା କଲେ ଜଣାଯିବ ଯେ ଧ୍ୱନି ପରିବର୍ତ୍ତନର କୌଣସି ସାଧାରଣ ସୂତ୍ର ବାନ୍ଧି ଶବ୍ଦଗୁଡ଼ିକୁ ଶ୍ରେଣୀବିଭାଗ କରାଯାଇ ନ ପାରେ । କେତେକ ସଂସୃତ ଶବ୍ଦ ଏକପ୍ରକାର ରୂପାନ୍ତରିତ ହୋଇ ଦ୍ରାବିଡ଼ୀ ଭାଷାରେ ଓ ପରିବର୍ତ୍ତିତ ନ ହୋଇ ଅଥବା ପରିବର୍ତ୍ତିତ ହୋଇ ଭିନ୍ନ ଭିନ୍ନ ରୂପରେ ଓଡ଼ିଆରେ ଓ ଦ୍ରାବିଡ଼ୀ ଭାଷାମାନଙ୍କରେ ପ୍ରଚଳିତ ଥିବାର ଦେଖାଯାଏ । ସେଥିମଧ୍ୟରୁ ଅଳ୍ପ କେତୋଟିର ଉଦାହାରଣ ଦିଆଯାଇ ପରିବର୍ତ୍ତନର ଧାରା ଆଲୋଚନା କରାଯାଇଅଛି । ବର୍ତ୍ତମାନ ଗୋଟିଏ କ୍ଷୁଦ୍ର ତାଲିକା ଦିଆଯାଉଛି ।

 

(୧) ସଂ ତାଳୁ = ଓଂ ତାଳୁ, ତାଂ ତାଳ, ତେଂ ତାଳୈଃ । (୨) ସଂ ଚୁକ୍ତିକରଣ = ଓଂ କାଢ଼ିଆ, ତାଂ କଡ଼ନ, କଡ଼ମ (କରଜ) । (୩) ସଂ ବୃହତ୍= ଓଂ ଭେଣ୍ଡା, ତା:ଭେଣ୍ଡ, (vendu) । (୪) ସଂ ବୃହତ୍ତର = ଓଂ ବଡ଼= ତୁଂ ବଡ଼ । (୫) ‘ସୂକ୍ଷ୍ମ’ ଅର୍ଥବୋଧକ ସଂ କ୍ଷୀଣ= ଓଂ କୁନି । (ଉ: କୁନି ପୁଅ) = ପା: କୁନି = ତାଂ କୁନି (ଯେ ଚାଲି ନ ପାରେ ) । (୬) ପୁଷ୍କରିଣୀ ଅର୍ଥର ସଂସ୍କୃତ ଖାତ= ଓଂ ଖାଲ, ଗଭୀର ଜଳରେ ନୌକା-ଚାଳନ ଦଣ୍ଡ ଅର୍ଥର ଓଡ଼ିଆ କାତ, ଗଭୀରତା ଅର୍ଥର ତାମିଲୀ କାତ । ଯେଉଁଠାରେ ଜଳର ତଳ କାତ ସ୍ପର୍ଶ କରେ ନାହିଁ ସେଠାରେ ‘ଅକାତକାତ ପାଣି’ ଓଡ଼ିଆରେ କହୁଥିବାରୁ ‘କାତ’ ଶବ୍ଦ ଗଭୀରତା ଜ୍ଞାପନ କରୁଅଛି । ପ୍ରଥମେ ନୌକାରେ ଚଢ଼ି ସମ୍ଭବତଃ ଗଭୀରତା କାତ ଦ୍ୱାରା ମାପ କରାଯାଉଥିଲା । ତତ୍ପରେ ତାହାର ନୌକାଚାଳନ ଶକ୍ତି ଅନୁଭବ କରାଯାଇଅଛି । (୭) ଭୋଜନର ଇଚ୍ଛା ଅର୍ଥର ସଂସ୍କୃତ କ୍ଷୁତ୍‌= ଭୋଜନ ପାଇଁ ଭୂ-ପୃଷ୍ଠରୁ ଶସ୍ୟ-ସଂଗ୍ରହ ଅର୍ଥର ଓଂ ଖୁଣ୍ଟ, ତେଂ କୁଟ୍ଟା, ତାଂ କୋଟ୍ଟା । ଏହି ‘ଖଣ୍ଟ’ ଓଡ଼ିଆରେ ଭୋଜନ ଅର୍ଥରେ ସମ୍ଭବତଃ ପୁଣି ‘ଟୁଙ୍କ’ରେ ପରିଣତ ହୋଇଅଛି । (୮) ଜଳ ଉପରେ ଗମନ କରିବା ଅର୍ଥର (ପାଅ+ଗମ) ସଂସ୍କୃତ ପାଥଖୁ= ଓଂ ପଢ଼ଉ, ତାଂ ପଡ଼ଗୁ । (୯) ସଂ ଉଲ୍ଲଂଘନ = ଓଂ ଡ଼େଇଁଯିବା । ବାମଣ୍ଡା ଅଞ୍ଚଳର ଉପଭାଷାରେ ଡେଖିବା, ବଙ୍ଗଳା ଡିଙ୍ଗିୟେ ଯାଓୟା, ତାଂ ଓଲ୍‌ହାଇବା ଅର୍ଥର ତିଗୁ । (୧୦) ସଂ କଟୂକ୍ତି= ଓ କାଟିବା, ତାଂ କଟ୍‌ଟୁ (ଗାଳିଦେବା) । (୧୧) ଖେଦ ଦେବା ଅର୍ଥର ସଂ ଖିଦ୍‌= କୋଡ଼ିବା, ତାଂ କୋଡ଼ିବା (ହତ୍ୟା) କରିବା । (୧୨) ସଂ ପାରବା=ଓଂ ପାରିବା, ତାଂ ପେରୁ (ବଢ଼ିବା) । (୧୩) ସଂବିକୃତି= ଓଂ ବିଗିଡ଼ିବା, ତାଂ ବିଗୁଡ଼ି । (୧୪) ସଂ ପ୍ରେରଣ = ପ୍ରାଂ ପେଳଣ= ଓଂ ପେଲ (ଠେଲ), ତାଂ ପେଲ [ସଂସ୍କୃତ ‘ବଳ’ ଶବ୍ଦର ଅପଭ୍ରଂଶ ବୋଲି Caldwell ଅନୁମାନ କରନ୍ତି] ।

 

ଉପରି ଲିଖିତ ଶବ୍ଦ-ତାଲିକାରୁ ପାଠକେ ବୁଝିପାରିବେ ଯେ କେତେକ ଦ୍ରାବିଡ଼ୀ ଓ ଓଡ଼ିଆ ଶବ୍ଦ ଏକ ସଂସ୍କୃତ ଶବ୍ଦରୁ ରୂପାନ୍ତରିତ ହୋଇଅଛି । ଏଣୁ ପ୍ରତ୍ୟେକ ରାଜ୍ୟର ବିଭିନ୍ନ ଅଭିନେତ୍ରୀ ବିଭିନ୍ନ ପ୍ରାକୃତ ରଙ୍ଗମଞ୍ଚରେ ବ୍ୟବହାର କରିବା ପାଇଁ ଅଳଙ୍କାର ଶାସ୍ତ୍ରମାନଙ୍କରେ ନିର୍ଦ୍ଦେଶ ଥିବାରୁ ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରାକୃତ ବ୍ୟବହୃତ ହେଉଥିଲା ବୋଲି ବିଶ୍ୱାସ ଜନ୍ମୁଅଛି-। ମୁସଲମାନମାନେ ଉତ୍ତର ଭାରତ ଅଧିକାର କରିବା ଉତ୍ତାରୁ ଆରବୀ ଓ ଫାର୍ସୀ ମିଶା ଉର୍ଦ୍ଧୁ ଭାଷା ସେଠାରେ ପ୍ରଚଳିତ ହୋଇ ସେଠାକାର ଭାଷାରେ ପ୍ରଭାବ ପକାଇ ହିନ୍ଦୀ ଭାଷାକୁ ବଙ୍ଗଳା, ଓଡ଼ିଆ, ଆସାମୀ ପ୍ରଭୃତି ଭାଷାମାନଙ୍କଠାରୁ ବହୁ ପରିମାଣରେ ସ୍ୱତନ୍ତ୍ର କରିଥିଲେ ମଧ୍ୟ ଭାରତର ପ୍ରତ୍ୟେକ ରାଜ୍ୟର କଥିତ ଭାଷାମାନଙ୍କରେ ଆରବୀ ଓ ଫାର୍ସୀ ଶବ୍ଦମାନ ପ୍ରଚଳିତ ଅଛି । ଉଦାହାରଣ ସ୍ୱରୂପ ପରପୃଷ୍ଠାରେ କେତେକ ଶବ୍ଦର ତାଲିକା ଦିଆଯାଉଛି ।

 

ଆରବୀ

ଓଡ଼ିଆ

ଆରବୀ

ଓଡ଼ିଆ

ଆକ୍‌କଲ

ଅକଲ

ତରଫ

ତରଫ

ଦେମାଘ [ମସ୍ତିଷ୍କ]

ଦିମାକ [ଗର୍ବ]

ତକରାର [ଯୁକ୍ତି]

ତକରାଳି [କଳହ]

ଫିକର

ଫିକର

ତାରିଫ୍‌ [ପ୍ରଶଂସା]

ତାରିଫ୍‌ [ଉତ୍କୃଷ୍ଟ]

କେତାବ

କିତାପ

ଗରିବ

ଗରିବ

ଖୈରାତ

ଖଇରାତ [ଦାନ]

ଘରଜ

ଗରଜ

ସାବୁତ

ସାବୁତ

ଘାଲିଜ

ଗଲିଜା [ମଇଳା]

ଖାରାବ

ଖରାପ

ଗୋସ୍‌ସା

ଘୋସା [ରାଗ]

କୁଲ୍‌ଫ

କୋଲପ

ଜାହାଜ

ଜାହାଜ

ଖାଲି

ଖାଲି

ଜିଦ

ଜିଦ

କସୂର

କସୋର

ଜିଲ୍‍ଲା

ଜିଲା

କିଲ୍ଲା

କିଲା

 

 

କିସ୍ତି

କିସ୍ତି

ହିମ୍ମତ

ହେମନ୍ତ

କାୟେଦା

କାଇଦା

ଜୋବତ, ଜବ୍‍ତ

ଜବ୍‌ତ

କଦର୍‌ [ସୂତ୍ର]

କଦର

ଜମିନ

ଜମି

କୋରାମତ

କରାମତ

ଜବର

ଜବର

ତକଲିଫ୍‌

ତକଲିଫ

ଜାରି

ଜାରି

ହର୍କତ

ହରକତ

ଜବାବ

ଜବାବ

ଅସଲ

ଅସଲ

ଆମଳ୍‌

ଅମଳ

ନାକେରା

ନାକର

ଚିଜ

ଚିଜ

ନାଚାର

ନାଚାର

ଚେରାଘ

ଚିରାଖ

ନହରପହର

ନହରପହର

ଜିଗର [ହୃଦୟ]

ଜିଗର [ଜିଦ]

ନିହାଲ

ନିହାଲ

ଜୋର

ଜୋର

କୁର୍ତ୍ତା

କୁର୍ତ୍ତା

ଜହର

ଜହର

ଖର୍ଦ୍ଦି

ଖରିଦ

ଜଗହ

ଜେଗା

ଆରବୀ

ଓଡ଼ିଆ

ଆରବୀ

ଓଡ଼ିଆ

ଖାତେର

ଖାତିର

ଆନ୍ଦାଜ

ଅନ୍ଦାଜ

ଖାପା

ଖପା

ଭରୋସା

ଭରସା

କେନାରା

କିନାରା

ବରାବର

ବରାବର

ତୈୟାର

ତିଆର

ଆମଦାନି

ଆମଦାନି

ଗୁମର

ଗୁମର

ବେୟର

ବେଉରା

ଗୁମାନ

ଗୁମାନ

ହୁସିୟାର

ହୁସିଆର

ଗୋମାସ୍ତା

ଗୁମାସ୍ତା

ସୁମାର

ସୁମାର

ଚାବୁକ

ଚାବୁକ

ତଲାସି

ତଲାସ

ଚାଲାକ

ଚାଲାକ

ତଜ୍‌ବିଜ୍‌

ତଜିବିଜି

ସିନ୍ଦୂକ

ସିନ୍ଦୂକ

ହରେକ

ହେରିକା

ନଫା

ନଫା

ଖେୟାଲ

ଖିଆଲ

ଫକତ

ଫକତ

ପସନ୍ଦ

ପସନ୍ଦ

ଶେକାର

ଶିକାର

ଫତେ [ଜୟ]

ଫତେ [ଶେଷ]

ଦୁକ୍‌କାନ

ଦୋକାନ

ମୁଲ୍‌କ

ମୁଲକ

ନରମ

ନରମ

ମାଲିକ

ମାଲିକ

 

ଏହିପରି ଅନେକ ଇଂରାଜୀ ଶବ୍ଦ ଭାରତୀୟ ଭାଷାମାନଙ୍କରେ ମିଶିଛି ଓ ଅନେକ ଭାରତୀୟ ଶବ୍ଦ ଇଂରେଜୀ ଭାଷାରେ ମିଶିଲାଣି । ଏଥିପାଇଁ ଆରବ ବା ପାରସ୍ୟରୁ ଅଥବା ଇଂଲଣ୍ଡରୁ ଭାରତୀୟମାନେ ଆସିଛନ୍ତି ବୋଲି କୁହାଯାଇ ପାରିବ ନାହିଁ । ଆହୁରି ମଧ୍ୟ ଏ ଦେଶରୁ ଯାଇ ସେ ଦେଶରେ ବହୁ କାଳ ହେଲା ବାସ କରୁଛନ୍ତି ବୋଲି କୁହାଯିବ ନାହିଁ । ଭାରତରେ କୃଷ୍ଣବର୍ଣ୍ଣର ଓ ଗୌରବର୍ଣ୍ଣର ଲୋକ ବହୁକାଳ ହେଲା ବାସ କରୁଥିବାରୁ ମଧ୍ୟ ଏସିଆରୁ ଗୌରବର୍ଣ୍ଣର ଲୋକ ଏ ଦେଶକୁ ଆସିଛନ୍ତି ବୋଲି କୁହାଯାଇଛି । କିନ୍ତୁ ଅତି ପ୍ରାଚୀନ କାଳରେ ଏ ଦେଶରେ ଗୌରବର୍ଣ୍ଣର ଲୋକ ଜନ୍ମିବା ପାଇଁ ଜଳବାୟୁ ଅନୁକୂଳ ନ ଥିଲା ବୋଲି କିଏ କହିବ ? ଛାନ୍ଦୋଗ୍ୟୋପନିଷଦରେ ବଳିଷ୍ଠ ବୁଦ୍ଧିମାନ ଗୌରବର୍ଣ୍ଣର ସନ୍ତାନ ପିତାର ସଦାଚାର ବିଧି ପାଳନରୁ ଜନ୍ମନ୍ତି ବୋଲି ଉକ୍ତି ଅଛି ।

Image